Unknown

 

 

 

 

 

 

 

 

 

 

 

ତନ୍ତ୍ରିକାର

ଗୋପୀନାଥ ମହାନ୍ତି

 

ଲେଖକଙ୍କ ଅନ୍ୟାନ୍ୟ ବହି–

 

ଉପନ୍ୟାସ

ଅମୃତର ସନ୍ତାନ, ପରଜା, ଦାଦିବୁଢ଼ା, ଅପହଞ୍ଚ, ହରିଜନ, ମନଗହୀରର ଚାଷ, ସପନ ମାଟି, ଦୁଇ ପତ୍ର, ଶରତ୍‌ ବାବୁଙ୍କ ଗଳି, ରାହୁର ଛାୟା, ଦାନା ପାଣି, ଶିବ ଭାଇ, (ପ୍ରକାଶ ଅପେକ୍ଷାରେ) ମାଟିମଟାଳ ।

ଗଳ୍ପ ସଂଗ୍ରହ

ପୋଡ଼ା କପାଳ, ନବ ବଧୂ, ଘାସ ଫୁଲ, ରଣ ଧନ୍ଦୋଳ ଆଦି ।

ନାଟକ

ମହାପୁରୁଷ ।

ଅନ୍ୟାନ୍ୟ

ଭୌଗଳିକ କାହାଣୀ, କୁଭି କନ୍ଧ ଭାଷାତତ୍ତ୍ୱ, କନ୍ଧ ପରଜା ସ୍ତୋତ୍ର ଓ ସଂଗୀତ, କୁଭି ଲୋକୁତି ନେହି ପଣ୍‌ବୁ, ଗାଦବା ଭାଷା ଆଦି ।

Image

 

ଡାମରା

 

କାଉ ନୁହେଁ । ଗୋଟିଏ ପୁରୁଣା ଗାଁ । ମିଶ୍ର ସାହିରେ କହନ୍ତି ତିହାଡ଼ି ସାହିରେ କହନ୍ତି ପୂର୍ବେ ୟେ ଗାଁର ପଣ୍ଡିତମାନେ ‘ଡାମର-ତନ୍ତ୍ର’ ଚର୍ଚ୍ଚା ଓ ସାଧନାରେ ପାରଙ୍ଗମ ହୋଇଥିଲେ ।

 

କଣ ସେ ‘ଡାମର-ତନ୍ତ୍ର’ ?

 

ସେମାନେ ଜାଣନ୍ତି ନାହିଁ । ମିଶ୍ର ସାହିରେ କହନ୍ତି ତିହାଡ଼ ସାହିରେ କହନ୍ତି ସେ ପୋଥି କାହା କାହା ଘରେ ଥିଲା ବୋଲି ବୁଢ଼ା ବୁଢ଼ାମାନେ କହୁଥିଲେ, ତା ପରେ ଯହୁଁ କଳିକାଳ ଅଧିକ ଘମାଘୋଟ ହୋଇଗଲା ପୋଥି ଲୁଚିଗଲେ । ଦେବତା, ଔଷଧି ଓ ପୋଥି ୟେ ଯୁଗରେ ଲୁଚିବେ ତ-! ବେଳ ଆସିଲେ ପୁଣି ବାହାରିବେ ।

 

–ସେ ସିନା ସତ୍ୟଯୁଗ ହେଲେ !

 

ତନ୍ତ୍ର ଆୟତ୍ତ କରି ପୂର୍ବାପୂର୍ବି ଲୋକେ କେଡ଼େ କେଡ଼େ କାମ କରୁଥିଲେ ସେ ବିଷୟରେ ନାନା କିମ୍ୱଦନ୍ତୀ ସେମାନେ କହନ୍ତି । ଯେଉଁମାନେ ଇସ୍କୁଲରେ ପଢ଼ନ୍ତି କି ପଦାରେ କୌଣସି କାମ ଧନ୍ଦା କରି ଚଳନ୍ତି ସେମାନଙ୍କର ଏ ସବୁ କିମ୍ୱଦନ୍ତୀ ପ୍ରତି ଆସ୍ଥା ନଥାଏ । ଯେଉଁମାନେ ଚାଷ କରନ୍ତି,–ଏପରି ଅନେକେ ଅଛନ୍ତି, ଗୋରା ଦେହ ଖରାରେ ଝଟକୁ ଥାଏ, ରୂପା ପରି ପଇତା, ହଳ ପେଲୁଥାନ୍ତି କି କୋଡ଼ି ହାଣୁଥାନ୍ତି, ସେମାନେ ଏ କିମ୍ୱଦନ୍ତୀକୁ ବିଶ୍ୱାସ କି ଅବିଶ୍ୱାସ କିଛି କରନ୍ତି ନାହିଁ, କିଏ କହିଲେ ମୁଣ୍ଡ ଟୁଙ୍ଗାରନ୍ତି ତା ପରେ ଯାଆନ୍ତି ବଳଦ ମୋହିଁବାକୁ କି ହଳ କରିବାକୁ କି ବାଡ଼ ବୁଜିବାକୁ । କିନ୍ତୁ ଏମାନଙ୍କୁ ଛାଡ଼ିଦେଲେ ଆଉ କେହି କେହି ବି ଅଛନ୍ତି, ଯେପରି ସତୁରି ବର୍ଷର ବୁଢ଼ା ଯୋଗୀ ତିହାଡ଼ି, ଦୁଇ ଗୋଡ଼ରେ ବାତ ବୁଢ଼ା ପଞ୍ଚୁ ମିଶ୍ର, ଅନ୍ତକୋଷ ଲାଗି ପିଣ୍ଡାରେ ବସିଥାନ୍ତି, ରଘୁ ମିଶ୍ର, ସେ ପିଲାଦିନେ ପାଠ ପଢ଼ିଲେ ନାହିଁ, ନାନା ହୁର୍ଦ୍ଦୁମା ହୁଣ୍ଡାପଣିଆ କରି ଯୌବନଟା ବିତେଇଲେ, ସମ୍ପତ୍ତି ସାରିଲେ, ବୟସ ପଇଁଚାଳିଶି ନହେଉଣୁ ବାଆସ୍ତରି ପରି ଦିଶିଲେଣି, ଅତ୍ୟଧିକ ପ୍ରବୃତ୍ତି ଫଳରୁ ସତେ ଯେମିତି ନିବୃତ୍ତି ଆସି ଯାଇଛି, ବାଉରୀ ଭାଗଚାଷୀ ଯାହାଦେବ ସେହିଆକୁ ଅପେକ୍ଷା କରି ବସିଥାନ୍ତି, ସେମାନେ କହନ୍ତି ସେ ପୁରୁଣା କିମ୍ୱଦନ୍ତୀ କଥା । ସେମାନେ ପ୍ରାଣପଣେ ବିଶ୍ୱାସ କଲା ପରି କହନ୍ତି, ସତେ ଯେମିତି ଅଲୌକିକତାରେ ବିଶ୍ୱାସହିଁ ସେମାନଙ୍କ ଜୀବନ ବଞ୍ଚିବା ଆଶାର ମୂଳଦୁଆ ।

 

ଆଉ ଜଣେ ବି କହନ୍ତି, ସେ କୃଷ୍ଣ ମିଶ୍ରେ । ସୁନ୍ଦର ସୁଠାମ ଗଢ଼ଣ, ସ୍ୱାସ୍ଥ୍ୟବାନ୍, ବୟସ ଅଠତିରିଶ ହେବ । ନିଶ ଦାଢ଼ି ଗହଳ ହୋଇ ବଢ଼ି ଏକାଠି ମିଶିଛି, ନିଶା ଚଢ଼ିଲା ପରି ଆଖି, ମୁଣ୍ଡରେ ଲମ୍ୱ ସୁନ୍ଦର କଲି, ମୁଣ୍ଡବାଳ କଟା ହୁଏ ନାହିଁ, କୁଞ୍ଚୁ କୁଞ୍ଚୁ ହୋଇ ଗୋଲ ଉଜ୍ଜ୍ୱଳ ମୁହଁର କରପଟ ହୋଇ ଓହଳି ଥାଏ । ସେ ମନ୍ଦାର ବର୍ଣ୍ଣର ଲୁଗା ପିନ୍ଧନ୍ତି । ତାଙ୍କ ବେଶହିଁ ବୁଝାଇ ଦିଏ ସେ ତାନ୍ତ୍ରିକ । ତାଙ୍କ ବାପା ଗୋରା ମିଶ୍ର ବହୁତ ସମ୍ପତ୍ତିବାନ୍‍ ଲୋକ ଥିଲେ, ତା ଆଗରୁ ତାଙ୍କ ଅଜା ବିଦ୍ୟାଧର ମିଶ୍ର ଥିଲେ ଆହୁରି ଧନୀ । ମାଲି ମକଦ୍ଦମା ଲାଗି ସମ୍ପତ୍ତି ଉଜୁଡ଼ି ଗଲା, ଚାହୁଁ ଚାହୁଁ ସବୁ ଚଲ୍ । କୃଷ୍ଣ ମିଶ୍ର ଅଜାଙ୍କ ପାଖରେ କିଛି ସଂସ୍କୃତ ପଢ଼ିଥିଲେ, କର୍ମ କର୍ମାଣି ଶିଖିଥିଲେ । ସେ ତନ୍ତ୍ର ଚର୍ଚ୍ଚା, ପୂଜା ଉପାସନା ଧରିଲେ । ଦିନକୁ ତିନିଥର ଗାଧୁଆ, ଏକାଦଶୀ ଉପାସ ବ୍ରତ ଆଚାର ଓ ଦୁଇ ଓଳି ଦୁଇ ଦୁଇ ଘଣ୍ଟା ମନ୍ତ୍ର ଉଚ୍ଚାରଣ ଆସନ ଧ୍ୟାନ ଆଦି କରି ପରର ରିଷ୍ଟ ଖଣ୍ଡନ ମାନସିକ ପୂରଣ ଆଦି ପାଇଁ ନାନା ହୋମ ଯଜ୍ଞ ଆଦି କରି ଚଳିବାକୁ ଲାଗିଲେ । ସେ ଦୃଢ଼ ଭାବରେ କହନ୍ତି–ସବୁ ଅଛି, ଖୋଜିଲେ ମିଳିବ, ସେ ବି କହନ୍ତି ପୁରୁଣା ତନ୍ତ୍ରଚାରୀମାନଙ୍କ ପାରିଲାପଣ କଥା । ସେ ତାନ୍ତ୍ରୀକ ଭାବି କେହି କେହି ତାଙ୍କୁ ଡରନ୍ତି । ମାସକେ ପଚିଶ ଦିନ ତାଙ୍କ ଭୋଜନରେ ଅସୁବିଧା ହୁଏନାହିଁ, ଘରକୁ ଯାହା ଆସେ ପରିବାରର ତହିଁରେ ଚଳିଯାଏ । ଅନେକେ ଭାବନ୍ତି ଡାମର–ତନ୍ତ୍ର ବିଷୟରେ ସେ ଜଣେ ବିଶାରଦ, ମାନନ୍ତି, ଡରନ୍ତି, ତାଙ୍କ କଥାର ଓଜନ ଥାଏ । ତାଳପତ୍ର ପୋଥି ଖୋଜି ଗବେଷଣା କରିବେ ବୋଲି ଅଧ୍ୟାପକ ବଂଶୀଧର ଯେତେବେଳେ ତାଙ୍କ ଗ୍ରାମକୁ ଆସିଥିଲେ–ଗଲାଥର ଭୋଟକେନ୍ଦ୍ର ପରିଚାଳନାବେଳେ ତାଲିକାରୁ ‘ଡାମରା’ ନାଁଟି ଦେଖି ସେ ତା ସହିତ ଡାମର–ତନ୍ତ୍ରର ସଂଯୋଗ ଆବିଷ୍କାର କରିଥିଲେ, ସେତେବେଳେ ଲୋକେ ତାଙ୍କୁ କୃଷ୍ଣ ମିଶ୍ରଙ୍କ ଘର ଦେଖାଇ ଦେଇଥିଲେ । କୃଷ୍ଣ ମିଶ୍ରେ ଶ୍ରୀଯୁକ୍ତ ଧରଙ୍କୁ ଏପରି ଚାହାଣୀରେ ଅନାଇଁ ରହିଥିଲେ ଯେ ଶ୍ରୀଯୁକ୍ତ ଧର ଏକାଠି ମୋହନ ଥମ୍ୱନ ବଶ୍ୟ ଉଚ୍ଚାଟନ ଆଦି ଗାରଡ଼ିର ପ୍ରଭାବ ଅନୁଭବ କରିଥିଲେ । ତାଙ୍କର ଆଶା ଓ ବିଶ୍ୱାସ ବଢ଼ିଥିଲା । ସେ ଲେଉଟି ଆସି ବନ୍ଧୁମାନଙ୍କୁ କହିଥିଲେ, ‘‘ଦେଲା ନାହିଁ ସିନା, ମାଲ ରଖିଛି ବୋଲି ଜଣା ପଡ଼ୁଛି ।’’

 

ଡାମର-ତନ୍ତ୍ର ଅନ୍ୟ ଦେଶରେ ଛପା ହୋଇଛି ବୋଲି ଶୁଣାଯାଏ । କିନ୍ତୁ ଶ୍ରୀଯୁକ୍ତ ଧର କହନ୍ତି, ଏଠି ଯେଉଁ ପୋଥି ଅଛି (ଯାହାକୁ ସେ ଦେଖି ନାହାନ୍ତି) ସେଥିରେ ତା’ର ପ୍ରକୃତ ଅର୍ଥ ଅଛି, ସମ୍ପୂର୍ଣ୍ଣ ଶରୀର ଅଛି, ଅନ୍ୟଠି ତା ନାହିଁ । ଯେଉଁ ଅଲୌକିକ କାହାଣୀମାନ ତା ସହିତ ସଂଯୁକ୍ତ ସେଗୁଡ଼ିକ ଅତି ଆଶାପ୍ରଦ । ଶୁଣାଯାଉ ଚଇଁ ମିଶ୍ରଙ୍କ କୀର୍ତ୍ତି । ସେ କାଳର କଥା । ଖରାବେଳ । ପଇଡ଼ ଦରକାର । ମିଶ୍ରେ ନଡ଼ିଆ ଗଛ ମୂଳରେ ଠିଆ ହୋଇ ହାତ ବଢ଼ାଇ ଦେଲେ ଗଛ ନଇଁପଡ଼ି ତାଙ୍କ ହାତ ପାଖକୁ ଚାଲି ଆସିବ, ପଇଡ଼ ତୋଳି ନେବେ, ଗଛ ପୁଣି ସିଧା ହେବ । କେଡ଼େ ସହଜ କଥା ! ମାଛ ଖାଇବାକୁ ମନ ହେଲେ ଦେଉଳ ପାଖ ପୋଖରୀ ପାଉଛରେ ଠିଆ ହୋଇ ମିଶ୍ରେ ଡାକଟାଏ ମାରି ଦେବେ ‘‘ସୁନେଇଁ ଲୋ ! ରୂପେଇ ଲୋ !’’ ଯୋଡ଼ାଏ ବଡ଼ ବଡ଼ ରୋହିମାଛ ତାଙ୍କ ପାଦ ତଳକୁ ଚାଲି ଆସିବେ, ନାଲି ଟହ ଟହ ପାକୁ ପାକୁ ପାଟି । ମିଶ୍ରେ ଥିରିକିନା ମାଛ ଦିଓଟିକୁ ଟେକି ନେଇ ଘରକୁ ଚାଲି ଆସିବେ, ସେମିତି ଗୋଟାଛାଏଁ ତରକାରି ହେବ, ଖିଆହେବ, ଗୋଟାଛାଏଁ କଣ୍ଟା ବାହାରିବ, ତାକୁ ନେଇ ସେହି ପୋଖରିରେ ପକାଇ ଦେଇ କହିବେ ‘‘ନିଜ ରୂପ ଧରି ଚାଲି ଯା ।’’ ପୁଣି ଯେଉଁ ମାଛକୁ ସେହି ମାଛ, ଆଉ ଦିନେ ଡାକିଲା ବେଳକୁ ପୁଣି ତିଆର । କୁଆଡ଼େ ଯିବାକୁ ପଡ଼ିଲେତ ମିଶ୍ରଙ୍କର ସତେ ଯେମିତି ମନ ପବନ ବାହନ, ଲୋକ ରେଲ୍‍ରେ ଯାଉ, ସେ ତା ଆଗେ ଆଗେ ପହଞ୍ଚିବେ । କିନ୍ତୁ ରେଲ୍‍ ସେତେବେଳେ ନଥିଲା । ନଥାଉ, ଆଉ ଅନ୍ୟ ପ୍ରମାଣ ଅଛି । କୃଷ୍ଣ ମିଶ୍ରେ କହନ୍ତି, ଥରେ ଚଇଁ ମିଶ୍ରେ ତାଙ୍କର ଗୋଟାଏ ଭଙ୍ଗା ଅଧାକାନ୍ଥୀ ଉପରେ ବସି ଦାନ୍ତକାଠିରେ ଦାନ୍ତ ଘଷୁଥାନ୍ତି । ଶୀତ ଦିନ, କୁହୁଡ଼ିଆ ସକାଳ । ଏତିକିବେଳେ ଫୁରୁକୁଟି ଗାଁର ବଡ଼ ତନ୍ତ୍ରିକାର କେଳେଇ ରଥେ ଗୋଟାଏ ବାଘ ଉପରେ ଚଢ଼ି ସେଠି ଆସି ପହଞ୍ଚି ମିଶ୍ରଙ୍କୁ ଟେହିଲା ପରି କହିଲେ ‘‘ଆସ ପ୍ରୟୋଗ ଯାଇ ସ୍ନାନ କରି ଆସିବା ।’’ ମିଶ୍ରେ ହସିଦେଇ କାନ୍ଥକୁ କହିଲେ ‘‘ଉଡ଼୍ରେ କାନ୍ଥ ।’’ ତା ପରେ ସେମିତି ସେ ବସିଥାନ୍ତି, ଭଙ୍ଗା କାନ୍ଥ ତାଙ୍କୁ ଘେନି ଆକାଶରେ ଉଡ଼ିଲା । କେଳେଇଙ୍କ ବାଘ ତଳେ କ୍ଷେପା ମାରି ମାରି ଧାଉଁ ଧାଉଁ ଚଇଁ ମିଶ୍ରେ ପ୍ରୟୋଗ ସ୍ନାନ ଶେଷକରି ସକାଳୁ ସକାଳୁ ଘରକୁ ବାହୁଡ଼ି ସାରିଥାନ୍ତି, ଆଉ କଳେଇ ରଥେ ମୁହଁ ଦେଖାଇ ନାହାନ୍ତି ।

‘‘କିଛି ଅସମ୍ଭବ ନୁହେଁ । ବେଳ ଆସିଲେ ସବୁ ସମ୍ଭବ ହେବ ।’’ –ଡାମଁରା ଗାଁର ଭାବିବା ଲୋକ ଏହିପରି ବେଳେ ବେଳେ ଭାବୁଥିଲେ । କିନ୍ତୁ ସମ୍ଭବ ଅସମ୍ଭବ ବିଷୟରେ ସବୁ ଧାରଣା ଓଲଟ ପାଲଟ କରିଦେଇ ଖବର କାଗଜରେ ବଡ଼ ବଡ଼ ଅକ୍ଷରରେ ବାହାରି ପଡ଼ିଲା–ଭାରତ ଉପରେ ଚୀନର ଆକ୍ରମଣ ।

କଣ ଏଇଟା ହେଲା ? କାହିଁକି ଏପରି ହେଲା ? ଲୋକେ କୁହାକୋହି ହେଲେ । ଆମର ୟେ ପରା ଗାନ୍ଧୀ ଦେଶ, ଅହିଂସାର ଦେଶ, ଆମ ଉପରେ କିଏ ହିଂସା କରିବ କାହିଁକି ? ଚୀନାବାଲାଏ ପରା ବୁଦ୍ଧଧର୍ମୀ, ଆମ ଦେଶ ପରା ବୁଦ୍ଧଙ୍କ ଜନ୍ମଭୂମି ବୋଲି ପୃଥିବୀ ଯାକର ବୌଦ୍ଧଙ୍କ ତୀର୍ଥ, ନିଜେ ପ୍ରଭୁ ଜଗନ୍ନାଥ ପରା ବୌଦ୍ଧ ଅବତାର, ଏ ଦେଶକୁ ସେମାନେ ଆକ୍ରମଣ କଲେ କେମିତି ? ଏତେ କାଳ ପରା ଚୀନ ଭାରତ ଦୁହେଁ ମିଶି ‘‘ହିନ୍ଦୁ ଚିନି ଭାଇ ଭାଇ’’ ବୋଲି ଉଚ୍ଚାରଣ କରି କରି କ’ଣ ପଞ୍ଚଶୀଳା ବ୍ରତ କରୁଥିଲେ, ହଠାତ୍‍ ୟେ କ’ଣ ହେଲା ଯେ ଯେ କାଲି ଆମ ଭାଇ ହୋଇଥିଲା ସେ ଆଜି ତଣ୍ଟିକି ଛୁରୀ ମାରିଲା । କାଲି ଜାପା୍‍ନ ତାକୁ କେଣ୍ଟା କେଣ୍ଟା କରି ଖାଉଥିଲାବେଳେ ଆମେ କହୁଥିଲେଁ ‘‘ଆହା ଆହା !’’ ସେଠି ଲୋକ ବଢ଼ିରେ ଭାସିଗଲେ କି କନ୍ତାରରେ ମଲେ ପରା ଆମେ କହୁଥିଲୁଁ ଚୁ’ ଚୁ’, ଆମର ଏଡ଼େ ପୁରୁଣା ବନ୍ଧୁ, ଏଡ଼େ ସୋଗେଇତର ଭାଇକୁ କାହିଁକି ଅତିଶୀଘ୍ର ଜାତିସଂଘ ପଞ୍ଚାଏତ୍‍ରେ ମିଶୋଉ ନାହିଁ ବୋଲି ପରା ଆମ ଭାରତ ତରଫରୁ ତୁହାଇ ତୁହାଇ ଆପତ୍ତି ହେଉଥିଲା, ତେବେ ୟେ କ’ଣ ହେଲା ? ତା’ର କେମିତି ମନ ହେଲା ସେ ଦଳ ବଳ ହାତ ହତିଆର ଧରି ଆମ ରାଜ୍ୟ ମାଡ଼ି ଗୁଳି ଫୁଟାଇ ଆମରି ଲୋକଙ୍କୁ ମାରୁଚି ।

ଡାମରା ଗାଁରେ ଘମାଘୋଟ ଆଲୋଚନା ଲାଗିଗଲା । ରସା ସାହୁ ଗୁଡ଼ିଆର ଚାଉଳ ଡାଲି ଦୋକାନରେ, ଅନ୍ତର୍ଯ୍ୟାମୀ ରଥ ପାନ ଗୁଆ ଗୁଣ୍ଡି ଦୋକାନରେ, ସଞ୍ଜବୁଡ଼େ ଆଖଡ଼ା ଘରେ, ସୁନାକର ମିଶ୍ରଙ୍କ ଫରଚା ମେଲାରେ, ଯେତେଠିଁ ଲୋକେ ରୁଣ୍ଡନ୍ତି ପଡ଼ିଗଲା ସେହି କଥା । ଗାଁ ଅବଧାନ ଅଦେଇ ନାହାକ ବହୁତ ବୋଲଣା ସହିଲା, ରସା ସାହୁ ଦୋକାନରେ ଲୋକ ବେଢ଼ିଗଲେ, କହିଲେ ‘‘କଣ ଏତେ ଛେନାଗୁଡ଼ ଖଡ଼ିଗୋଟାଳିରେ ଗାରେଇ ଗାରେଇ ଭବିଷ୍ୟ କହୁଥିଲ ପାଞ୍ଜି ପଢ଼ୁଥିଲ ? କାହିଁ ଏ କଥା ତ କେବେ କହି ନଥିଲ ?’’ ଅଦେଇ ନାହାକ କହିଲା, ‘‘ଯେତେ ଜାଣିଲେ କ’ଣ ହେବ ? ଦଇବ କ’ଣ ଗ୍ରହପୁତ୍ରଙ୍କ ହାତକୁ ସବୁ ଚାବି ବଢ଼େଇ ଦେଇଚି ? ହାତରେ ପାଞ୍ଚ୍‌ ରଖିଚି ନା । ଏ ସେମିତିଆ କଥା । ନଇଲେ ମୁଁ ଅବା ଭୁଲିଗଲି, ୟେ ଭାରତଯାକ ହଜାର ହଜାର ନାହାକ ଗଣକ ଜ୍ୟୋତିଷୀ, କେହି ଗୋଟିଏ ଆଗରୁ ଜାଣି ପାରିଲେ ନାହିଁ ?’’ ହଟ ତିଆଡ଼ି ଟାପରା କରି କହିଲା ‘‘ଅବଧାନେ, ଭଲା ଗଣନା କରୁଚ ବାଳ ଝୋଟ ହେଲା ଆସି । ଗୋବିନ୍ଦ ଦ୍ୱାଦଶୀକି ସମୁଦ୍ର ପାଣି ମିଠା ହେବ ଉଠେଇଥିଲ, ଯେ ପିଇଲା ତା ମନ ବୋଧ । ଅଷ୍ଟଗ୍ରହ କୂଟକୁ ପୃଥିବୀ ଧ୍ୱଂସ ହେବ କହିଥିଲ, ଯାହା ହେଲା ତ ଦେଖିଲ, ଆଚ୍ଛା କହିଲ ଜୀବନଯାକ ଯେତେ ଜାତକ ଶୁଝେଇଚ ସବୁଠିଁ କ’ଣ ସମସ୍ତେ ଅହ୍ୟ ସୁଲକ୍ଷଣୀ ହେଇଚନ୍ତି ?’’ ଅଦେଇ ନାହାକ ରାଗିଯାଇ କହିଲା ‘‘ଭାରି କୁହାଳିଆ ପଡ଼ିଚି ୟେ ଟୋକା, ଆଁ ! ଦେଖ ହୋ ଯୁଦ୍ଧ ହେଲା ସେଥିପାଇଁ ମୋର ଦୋଷ ! କିଏ କ’ଣ ପଶିଥିଲା କାହାର ମନରେ ?’’

ହଟ ତିଆଡ଼ି କହିଲା ‘‘ଯୁଦ୍ଧର ପହିଲି ଚୋଟ ତମ ପାଞ୍ଜିବିଡ଼ା ଉପରେ । ସେ ଗୁଡ଼ା ନିଆଁ ଲଗେଇ ଦିଅ । ଏଡ଼େ ବଡ଼ କଥା ହେବ ମଣିଷ ମରିବେ ଗାଁ ଗଣ୍ଡା ଉଜୁଡ଼ିବ ଯଦି ତେମେ ଜାଣି ପାରିଲ ନାଇଁ, ଜଣେ ମଣିଷର ଆଗତ ଭବିଷ୍ୟ କହିଦେବ ବୋଲି ତମୁକୁ କିଏ ଆଉ ବିଶ୍ୱାସ କରିବ-?’’

ଲୋକେ ମୁଣ୍ଡ ହଲେଇଲେ, ‘ସତ’ ‘ସତ’ । ଅଦେଇ ନାହାକ କହିଲା ‘‘ସମସ୍ତେ ପାଞ୍ଜିବିଡ଼ା ଫୋପାଡ଼ିଲେ ଆମେ ବି ଫୋପାଡ଼ିବା, ସେଥିରେ କ’ଣ ଅଛି ? ତା ସଙ୍ଗେ ସାଙ୍ଗେ ତମ ବ୍ରାହ୍ମଣଙ୍କ ପୂଜାଓଝା ପାଠ ବି ଯିବ । ଗଣନାରେ ଯଦି କିଛି ନ ହେଲା ପୂଜାରେ କ’ଣ ହେଉଛି ହେଉ ।’’

କୃଷ୍ଣ ମିଶ୍ର ଲୁଣ ତେଲ କିଣୁଥିଲେ । ଘୁଞ୍ଚି ଆସି ଗମ୍ଭୀର ହୋଇ ଠିଆ ହୋଇ ଡାହାଣ ପାପୁଲି ଟେକି ଜାଣିଲା ପରି ଆଖି ମିଟିମିଟି କରି ମୁରୁକି ମୁରୁକି ହସି କହିଲେ ‘‘ହେବ । ତୁମେ ଦେଖିବ ।’’

ହଟ ତିଆଡ଼ି ଥଟ୍ଟା କରି କହିଲା ‘‘କଣ ହେବ ? ପୁଅ କି ଝିଅ ?’’

କୃଷ୍ଣ ମିଶ୍ର କହିଲେ ‘‘ଯେ ମନ ଲୋଡ଼ୁଥାଇ ଯାହା, କାଳେ ପ୍ରାପତ ହୋଇ ତାହା । ପୂଜା ହେଲେ ଫଳ ଫଳିବ ।’’

ହଟ ପଚାରିଲା ‘‘ଯୁଦ୍ଧ ହେଲା କାହିଁକି ? ବିପତ୍ତି ଅମଙ୍ଗଳ ଏଗୁଡ଼ା ଘଟିବା କାହିଁକି ଆଉଉ ପୂଜା କରିବା ଦରକାର ପଡ଼ିବ କାହିଁକି ?’’

 

କୃଷ୍ଣ ମିଶ୍ର କହିଲେ ‘‘ଠାକୁରଙ୍କ ଲୀଳା ।’’

 

ହଟ ତିଆଡ଼ି କହିଲା ‘‘ସବୁ ତ ଠାକୁରଙ୍କ ଲୀଳା, ସେଠି ତମର ପୂଜାର ଆଉ ମୂଲ୍ୟ କ’ଣ ?’’

 

କୃଷ୍ଣ କହିଲେ ‘‘ଆଉ ଦେଖିବ ।’’

 

ହଟ କହିଲା ଆଉ ଦେଖିବ ଦେଖିବ କହିଲେ କେହି ଭୁଲିବେ ନାଇଁ କୃଷ୍ଣ ଭାଇନା, ୟେ ଯୁଦ୍ଧ ତମ ପୂଜାଓଝା ଉପରେ ବି ଚଡ଼କ । ତମ ପୋଥିରେ କିଛି କିମିଆ ନାହିଁ, ଥିଲେ କ’ଣ ୟେ ମଣିଷ ମରା ଯୁଦ୍ଧ ହୋଇଥାନ୍ତା ? ଆମେ କେଇଟା ସିନା ଛତରା, ତମ ଭଳି କେତେ ପୁରୋହିତ ପୂଜକ ପଣ୍ଡା ବଡ଼ପଣ୍ଡା ତ ୟେ ଦେଶଯାକ ଅଛନ୍ତି ସବୁ ପ୍ରକାର ଆଚାର ଆମ୍ୱୁଲ କରୁଛନ୍ତି–

 

କୃଷ୍ଣ ହସିଦେଇ କହିଲେ ‘‘କହି ଯା, ଆମ୍ୱସଢ଼ା ଛାଡ଼ିଗଲୁ–’’

 

ହଟ କହିଲା ‘‘କହିବି ନାହିଁ ଛାଡ଼ିଦେବି ? ପୂଜା କରି ଯୁଦ୍ଧ ଶାନ୍ତି କରିବ ପଛେ । ଅଇଛା ଯୁଦ୍ଧ ଚାନ୍ଦାପାଇଁ ଅଣ୍ଟାରୁ ଟଙ୍କା ବାହାର କର । ନହେଲେ ନଢ଼େଇକି ଯିବ ଛାଲ, ମୁଁ ବି ଯାଉଚି ।’’

 

ହୋ’ ପଡ଼ିଗଲା । ସମସ୍ତେ ଜାଣନ୍ତି ହଟ ତିଆଡ଼ି ହୁଣ୍ଡାଟାଏ । ଯାହା ମନକୁ ପାଇଲା ତା କଲା, ଗାଁର କୋଠ କାମ ବହୁତ କରେ, ଲାଗିଥିଲେ ଲାଗିଥାଏ, ମନ ପାଇଥିଲେ ମାଡ଼ିଯିବ ।

 

ରାସ ସାହୁ କହିଲା ‘‘ପୁଆଣି ଘର ପରା ବରଷ ପୂରି ନାହିଁ, ଯୁଦ୍ଧକୁ ଯିବ କ’ଣ ?’’

 

ହଟ କହିଲା ‘‘ଆମ ତରଫରୁ ଯେତେ ନଢ଼ୁଛନ୍ତି, ତେମେ କ’ଣ ଭାବୁଚ ସମସ୍ତେ ଓଥରା-? ତେମେ କ’ଣ ଭାବୁଚ କାହାରି ବାପ ନାଇଁ ମା ନାଇଁ ଭାରୀଜା ନାଇଁ କାମ ଧନ୍ଦା ନାଇଁ ସେମାନେ ନିର୍ଜଞ୍ଜାଳ ବୋଲି ନଢ଼େଇକି ଗଲେ ? ସେମାନେ ଘର ଦୁଆର ମୁରୁଛି ଜୀବନ ମୁରୁଛି ଶତ୍ରୁ ସଙ୍ଗରେ ଯାଇ ନଢ଼ୁଛନ୍ତି ବୋଲି ଆମେ ଗାଁ ଗାଁକେ ଯୋଉ ସୁଖ ଶାନ୍ତିରେ ଥୁଲୁ ସେଇ ସୁଖ ଶାନ୍ତିରେ ଅଛୁ, ତେମେ ଦଣ୍ଡି ଧରିଚ, ଆଉ କିଏ ଦଣ୍ଡ ଧରିଚି, କୃଷ୍ଣ ଭାଇନା ଜପରେ ବସିବାକୁ ବାହାରୁଚନ୍ତି, ଆମେ ଏମିତି ପର ବାହା ବଳରେ ଘର କରୁଥିବା ନା ନିଜେ ନଢ଼େଇ କରିବାକୁ ଧାଇଁଯିବା ?

 

‘‘ବାହ୍–ବାହ୍–ଠିକ୍–ଠିକ୍’’ ନାନା ଶବ୍ଦ ହେଲା । ସେହି ଘଡ଼ିକ ଦୋକାନର ଗହଳି ଭିତରେ ହଟ ତିଆଡ଼ି ସମସ୍ତିଙ୍କ ଆଖିରେ ବୀର ପୁରୁଷ ପରି ଦିଶିଲା । କେତେବେଳୁ ସେ ତା ବିଡ଼ି ଦିଆସିଲି କିଣି ସାରିଥିଲା, ଚାଲିଗଲା ।

 

ରସା ସାହୁ କହିଲା ‘‘ୟେ ମନ ଲୋଡ଼ୁଥାଇ ଯାହା କାଳେ ପ୍ରାପତ ହୋଇ ତାହା । ଠିକ୍ କହିଲ କୃଷ୍ଣ ନନା । ଖବର ଶୁଣି ମନଟା ବିଦାରି ହେଉଥିଲା ନିଜେ ଭଲା ଯୁଦ୍ଧକୁ ଯାଆନ୍ତି, ବୁଢ଼ା ହେଲି, ମୁଁ କି ଯୁଦ୍ଧ କରିବି ? ଅଇଛା ସାକ୍ଷାତ୍‌ ଯେମିତି ମୋ ଅନ୍ତର ପୁରୁଷ ପରି ଆଗରେ ଆସି ଠିଆ ହୋଇପଡ଼ିଲା ହଟ । ବୁଧିଆ ଯାହା ନ ପାରନ୍ତି ହୁଣ୍ଡା ତା କରନ୍ତି । ସେ ବା କାହିଁକି ହୁଣ୍ଡା ହବ, ସେ କି ତାରି ପରି ଯେତେ ଯେ ଆମ ଦେଶର ୟେ ବିପତ୍ତି କାଳରେ ଲଢ଼େଇକି ବାହାରିଚନ୍ତି ସେହିମାନେ ଅସଲ ବୁଧିଆ, ଆଉ ତେମେ ଆମେ ଖାଲି ପିଣ୍ଡା ଓଲୁ ।’’

 

କୃଷ୍ଣ ମିଶ୍ର ଓଠ କାମୁଡ଼ିଲେ, କହିଲେ ‘‘ଆଜି ଚଇଁ ମିଶ୍ରେ ଥିଲେ–’’

 

ରସା ସାହୁ କହିଲା ‘‘ନାଇଁ, ସେଗୁଡ଼ା କହନା, ମନ ମାନୁନାଇଁ । ଏମିତି ତୁଣ୍ଡେ ତୁଣ୍ଡେ ମନ୍ତର କରିଦେଲେ ଯୁଦ୍ଧ ଉଡ଼ିଯାଏ ନାହିଁ ।’’

 

କୃଷ୍ଣ ମିଶ୍ର କହିଲେ, ‘‘ମହାଭାରତରେ କ’ଣ ଲେଖିଚି ? ଯମାପୃଷ୍ଠ ବୋଲି ରାଜା ଥିଲା । ଯମକୁ ପୂଜା କରେ, ଯମ ତାକୁ ପ୍ରସନ୍ନ ହୋଇ ବର ଦେଲେ । ଶତ୍ରୁ ପକ୍ଷର ଯେତେ ସୈନ୍ୟ ସେ ତାଙ୍କ ସଂଖ୍ୟା ଖଡ଼ିରେ ଲେଖିଦେଇ ହାତରେ ପୋଛି ପକାଇଲେ ତେଣେ ସେ ଶତ୍ରୁ ମଲେ ।’’

 

ଅନାଦି ସାହୁ କହିଲା ‘‘ତେମେ ବି ସେଇଆ କର । ଶତ୍ରୁପକ୍ଷ ସଂଖ୍ୟା ନାଁ ଗାଁ ସବୁତ ଖବର କାଗଜରେ ବାହାରୁଚି, ମନ୍ତ୍ର ଯନ୍ତ୍ର କରି ସବୁ ତଳେ ଉତାରି ପକାଇ ରଗଡ଼ି ରଗଡ଼ି ପୋଛ, ସବୁ ଚୀନା ସୈନ୍ୟ କରିଯିବେ, ଆମ ଗାଁର ନାଁ ହେବ । ସେଉଠୁ ୟେ ଆଟମ୍ ଫାଟମ୍ ଯେତେ ଯାହା ମାରକ ବାହାରୁଛି କୁଆଡ଼େ ଉଭେଇ ଯିବ ।’’

 

ହସ ଉଠିଲା ।

 

ଲୋକ କହିଲେ ‘‘ସେଇଆ କର, ସେଇଆ କର ।’’

 

କୃଷ୍ଣ ମିଶ୍ର କିଛି ନକହି ଫେରିଆସିଲେ ।

 

ମନେ ମନେ ବାଟଯାକ ଅଦୃଶ୍ୟ ଚୀନା ଶାସକମାନଙ୍କୁ ଚୀନା ସୈନ୍ୟମାନଙ୍କୁ ଗାଳି ଦେଉଥାନ୍ତି । ଚୀନା ୟେ କ’ଣ କଲା ? ୟେ ଯୁଦ୍ଧରେ ଖାଲି ମଣିଷ ହତାହତ ହେବେ ଜିନିଷ ଲୋକସାଣ ହେବ ସେତିକି ନୁହେଁ, ଏ ଦେଶର ମଣିଷଙ୍କ ପୁରୁଣା ବିଶ୍ୱାସରୁ ଗୁଡ଼ାଏ ବି ହତାହତ ହେବ । ଆରମ୍ଭ ହେଲାଣି । ଜଉତିଷ ଆଗରୁ ଜାଣିପାରିଲା ନାହିଁ, ଚେତାଇ ପାରିଲା ନାହିଁ ତେଣୁ ତା ପାଠରୁ ଆସ୍ଥା ଗଲାଣି । ଦେଶଯାକ ଏତେ ପୁରୋହିତ ଆଉ ବାବାଜି ଥିଲେ, ଯୁଦ୍ଧକୁ ରୁହାଇ ପାରିଲେ ନାହିଁ, ତାଙ୍କ ଉପରୁ ବି ଆସ୍ଥା ଗଲାଣି । ପୂଜାଉଝାରୁ ବି ଆସ୍ଥା ତୁଟି ଆସିଲାଣି । ଜଣକର ରିଷ୍ଟ ଖଣ୍ଡନ କରିବାକୁ ଯେଉଁ ପୂଜାଓଝା ହୁଏ ଦେଶଯାକର ରିଷ୍ଟ ଖଣ୍ଡନ କରିବାକୁ ଯେଉଁ ପୂଜା ଓଝା ହୁଏ ଦେଶଯାକର ରିଷ୍ଟ ବେଳକୁ ସତେ କି ସେଗୁଡ଼ାକ ଅକାଟୁ ।

 

ଜଣକ ବେଳକୁ ବି ସତେ କ’ଣ ସେ କାଟୁ କରେ ?

 

କିଆ ବାଡ଼ ସେ କରେ ଦର୍‍ହ ପାଚିଲା ଧାନ କ୍ଷେତ ଉପରେ ଝରା ଝଲ ଝଲୋଉଛି, ଯେମିତି ଦିନ ନୁହେଁ, ଜହ୍ନରାତି, ଠାଏ ଠାଏ ବଉଦର ଛାଇ । ମଝିରେ ମଝିରେ ଅରାଏ ଅରାଏ ଡେଙ୍ଗା ତାଳ ଗଛ, ନହେଲେ ଆଖି ଯେତେଦୂର ଯାଉଛି ଚଟା ହୋଇ ଚକଡ଼ା ଧାନ । ଆସୁଛି ବାଟ କରର ଗୋଟିଏ ଗୋଟିଏ ଗଛ, ଆଛୁ, ଜନ୍ଦାଖାଇ, ସାହାଡ଼ା, ହେଇ ପଲେ ସାତଭାଇଆ ଚଢ଼େଇ, ଏ ଋତୁରେ ଚଢ଼େଇ ହୃଷ୍ଟପୃଷ୍ଟ । ଆଉ ଆଗରେ ହେଇ ଖତୁ ସୋଇଁର ଖଳା ବାଡ଼ି ଘର, ହାତୀ ପରି ବଳଦ, ଖଇଁଫୁଲିଆ, ଛନଛିଆ, ଚାରିପଟ ବନ୍ଧା ହୋଇଛନ୍ତି । ଏପଟେ ପନିପରିବା ବାରି, ସେପଟେ ଆଉ ପଛ ଆଡ଼କୁ ଲାଗିଛି ତା ବଗିଚା, କାନ୍ଦି ଓହଳିଛି କଦଳୀମୟ, କୁମ୍ଭାର ହାଣ୍ଡି ଗଦା ହେଲା ପରି ଖୁନ୍ଦା ଖୁନ୍ଦି ହୋଇ ହୋଇ ଅମୃତଭଣ୍ଡା, ଫଳ ଭର୍ତ୍ତି, ବୃଷାଳ ଗଢ଼ଣ ନଡ଼ିଆ ମାଳ, ଘର ପଛଆଡ଼େ ଥିବ ତା ପୋଖରି, ଆଉ ଅନ୍ଧାର ପରି ଦିଶୁଛି ତା ଗଜା ଆମ୍ୱତୋଟା । ପରିବା ବାରି ସେପଟେ ତା ଆଳୁ ପିଆଜ ବିଲ । ଖତୁ ଠିଆ ହୋଇଛି ତେଣ୍ଡା ଭିଡ଼ି ଉପରେ, ଟୁବିରୁ ପାଣି ତେଣ୍ଡି ତାଳ ଗଣ୍ଡିର ନୋଦା ଉପରେ ଢାଳୁଛି । ତା ପୁଅ ବୁଧିଆ ଆଳୁ କିଆରିରେ ପାଣି ବାଟେଇ ଦେଉଛି ।

 

ଏଇ ଜାଗା ଥିଲା କ’ଣ ହେଲା କ’ଣ ! କେଉଁ ପୂର୍ବ କାଳରେ ଭଲ ତାଷ ହେଉଥିଲା । ଘାଇ ଭାଙ୍ଗି ନଈପାଣି ବୋହିଗଲା, ଛାତିଏ ଅଣ୍ଟାଏ ଉଞ୍ଚରେ ବାଲି ପଡ଼ିଗଲା । ସେଉଠୁ ଫସଲ ଖାଲି ବେଣା । ବେଣା ଉତ୍ତାରୁ ଭିଁ’ ବରକୋଳି ଆସିଲା, ଅରଖ ଗଛ ହେଲା, ତା ପରେ ଡରି ଡରି କିଛି କିଛି ଘାସ । ସେ ପାଖେ ବ୍ରାହ୍ମଣ ଶାସନ, ଛତୁ ଫୁଟିଲା ପରି ନଡ଼ିଆ ମାଳ ଉଠିଛି । କିନ୍ତୁ ସଞ୍ଜ ଉତ୍ତାରୁ ଏଇଠିକି ସେମାନେ ପଡ଼ିଆବସି ଆସନ୍ତି, ଖୋଲା ଫରଚା ଥାନ, ଗୋଟାଏ ଖାଲରେ ବି ପାଣିଥାଏ । ଗୋରୁ ଗାଈ ମରିଗଲେ ବି ଏଇଠି ଆଣି ପକାଇ ଦିଅନ୍ତି । ଆଉ ତା’ର ଅନ୍ୟ ବ୍ୟବହାର ନଥିଲା ।

 

ଖତୁ ସୋଇଁ ଥିଲା ମହନ୍ଦରା ଗାଁରେ । ଆର ଗାଁଟା । ଚଟକଳରେ ପାଞ୍ଚ ସାତ ବର୍ଷ ଖଟି ପେଟରୁ କାଟି କ’ଣ ବା ସାଇତି ଥିଲା, ଲେଉଟି ଆସି ଶସ୍ତାରେ ବାଲିପଟା କିଣିଲା, ଲୋକ ଲଗାଇ ଆପେ ବାପ ପୁଅ ଘର ବଉଁଶ ମିଶି ଖଟି ବାଲି କାଢ଼ିଲେ, କୁଢ଼ିଆ ଖଣ୍ଡେ ଟେକିଲା, ପୋଖରୀ ଦିଟା ଖୋଳିଲା, ଛାତିଏ ଲେଖାଁ ଗାଡ଼ କରି ଗଛ ଲଗାଇଲା, ତୋଟା, ବାରି ସବୁ କଲା । ଦିନରାତି ପରିଶ୍ରମ ଆଉ ପହରା ।

 

କଣ ଥିଲା, ଆଉ ଅଇଛା ଦେଖ ।

 

ମୁନୁଆଁ ମୁନିଆଁ କଳା କଳା ସୂର୍ଯ୍ୟମୁଖୀ ଲଙ୍କା ମରିଚ, ସେ ଗଛ କେଡ଼େ ଚେକା ମାଡ଼ିଛି ସେ ଫଳ କେଡ଼େ ଟାଣ ଦିଶୁଛି । ଏମିତି ବୁଦାଏ ହେଲେ ଆଉ କେଉଁଠି ସତର ବୁଦା ସଙ୍ଗେ ସମାନ ବିଲାତି ବାଇଗଣ, ଗଛ ଗୋଟିକେ ଖଣ୍ଡେ ଲେଖାଁ ସିଧା ରଞ୍ଜା ପୋତା ହୋଇ ବନ୍ଧା ହୋଇଛି, ଚାରିପଟକୁ କି ପିଲ ମେଲିଛି କି ଫଳ ସେ ହୋଇଛି । ଅଣ୍ଟାଏ ଉଞ୍ଚକୁ ଉଠିବି ଭାଡ଼ି ଉପରେ ମଟରଛୁଇଁ ଲଟେଇଛି ଯେ ସତେ ଯେମିତି ବାଡ଼େଇ ପିଟି ହେଉଛି, ବୋଝ ବୋଝ ଫଳିଛି-। କି ବାଇଗଣ ! କଳା ମିଚି୍ମିଚି୍ କିଆରିମାନଙ୍କରେ କେଡ଼େ କେଡ଼େ ଫୁଲ କୋବି ବନ୍ଧା କୋବି । ଖତୁ ସୋଇଁର ପରିବା ସହରକୁ ଯାଏ, ମହାଜନ କିଣି ନିଏ, ଏ କ୍ଷେପର ପରିବା ପ୍ରସ୍ତୁତ ହୋଇ ରହିଛି, କେତେ ଟଙ୍କା ପାଇବ କେଜାଣି ! ଶହକରୁ ବେଶି ହେବ ପରା ।

 

କୃଷ୍ଣ ମିଶ୍ରଙ୍କ ଗୋଡ଼ ଆଉ ଚଳିଲା ନାହିଁ । ଲଙ୍କା ମରିଚ ବାଇଗଣ ବିଲାତି ବାଇଗଣ ମଟରଛୁଇଁ କୋଶିଳା ଶାଗ ଧନିଆଁ ପତ୍ର ସମସ୍ତେ ତାଙ୍କୁ ଡାକୁଛନ୍ତି । ଅନାଇଁ ରହିଲେ ଲାଗୁଛି ଯେମିତି ଏ ବାଇଁଗଣ ଆଉ ବିଲାତି ବାଇଗଣ ଆସ୍ତେ ଆସ୍ତେ ଗାଲରେ ଆଉଁସି ହେଉଛନ୍ତି ଆଉ ନାକରେ ବାସ୍ନା ବାଜୁଛି ଧନିଆ ପତ୍ରର ଆଉ ମଁକଚା ସୂର୍ଯ୍ୟମୁଖୀ ଲଙ୍କାର ।

 

ତାଟି ଖୋଲି ପଶିବାକୁ ମନ ।

 

କିନ୍ତୁ ଊଣା ଅଧିକେ ସମସ୍ତିଙ୍କର ଅଭିଜ୍ଞତା ଅଛି । କୁଆଡ଼ୁ ଭାଉଁ ଭାଉଁ ହୋଇ ଦୌଡ଼ି ଆସିବେ ତିନିଟା ଏଡ଼୍ଡ଼େଡ଼େ କାମୁଡ଼ା କୁକୁର, କୋଉଠି ଛକି ଛକି ପଡ଼ିଥାନ୍ତି ଠିକଣା ବେଳକୁ ଖେଦି ଆସନ୍ତି । ଭୟଙ୍କର । କିଏ ପାରେ ? ବାଟରେ ଗଲେ କିଛି କହିବେ ନାହିଁ, ଉଣ୍ଡୁଥିବେ । ଲୋକ ନ ଥାଇ ପଶିଗଲେ ସଇଲା ।

 

ସେହି ଛନଛନିଆ ପରିବା ବଗିଚା, ତୋଟା, ଘର, ନଡ଼ିଆ ବାରି, ଆମ୍ୱ ବୁରେଇକୁ ଅନାଇଁ ରହୁ ରହୁ କୃଷ୍ଣ ମିଶ୍ର ଯେପରି କି ଦାର୍ଶନିକ ଭାବରେ ଦୋହଲି ଗଲେ । ଚାଉଁ କିନା ମନେ ପଡ଼ିଗଲା,–ଲଢ଼େଇ ।

 

ଢୁ ଢୁ ଗୁଳି ଫୁଟେ, ମଣିଷ ପଂଝାକୁ ପଂଝା ମାଡ଼ି ଆସନ୍ତି ହାଣିବାକୁ ତେଣ୍ଟାରେ ଭୁଷିବାକୁ ମାରିବାକୁ, ନିଆଁ ଧୂଆଁ ରଡ଼ି ଚିତ୍କାର ଏକାକାର ।

 

ଆଉ ଛନଛନିଆ ବାଇଗଣ, ୟେ ଛନଛନିଆ କୋଶିଳା ଧନିଆ ପତ୍ର, ଏମନ ଉଲୁସା ଶାନ୍ତି ସମୃଦ୍ଧିର ଛବି, ଗହଳ ଚହଳ ନାହିଁ ସତର୍କ ପରିଶ୍ରମରେ ଚାଷୀ ଉପୁଜାଉଛି ଫସଲ, ୟେ ଧାନ ୟେ କୋବି କ୍ଷେତ ୟେ ଆଳୁ କ୍ଷେତ । କେଉଁ ପାଗଲ ହତଭାଗା ସେ ଯେ ୟେ ଶାନ୍ତି ଛାଡ଼ି ପରର ଦେଖି ଝରସରି ହୋଇ ମରି ସରି ୟାକୁ ଜାଳିବ ଭୂଇଁ ମାଡ଼ି ବସିବ ବୋଲି ମରଣ ସଉଦା କରିବାକୁ ଆସି ପହଞ୍ଚିଛି ! କିଏ ସେ ପାପିଷ୍ଠ ଦୁରାଚାର ଅସୁର !

 

ଆମ ଜୀବନ ଥାଉଁ ଥାଉଁ ସେ କ’ଣ ମାଡ଼ି ଆସିବ ? ତାକୁ ବାଟ ମିଳିବ ? ନା ପ୍ରତି ଆଙ୍ଗୁଳିକ ଯାଗା ଉପରେ ଆଗୋଉ ଆଗୋଉ ଏ ଦେଶର ପୁରୁଷପଣିଆ ଗହଳି ଅଗନାଗିନି ବନସ୍ତ ପରି ତା ବାଟ ଓଗାଳି ଠିଆ ହେବ ? କୃଷ୍ଣ ମିଶ୍ର ସେଠି ଠିଆ ଠିଆ ଯେପରି ନୂଆ ଅବତାର ହେଉଥିଲେ । ତାଙ୍କ ଭିତରୁ ଠେଲି ଠେଲି ହୋଇ ଗୋଟାଏ ନୂଆ ଚେତନା ଫୁଲ କଢ଼ ଫୁଟି ଆସିଲା ପରି ହେଉଥିଲା ।

 

ମଣିଷ ଯେ ବଞ୍ଚିଛି ସେଥିପାଇଁ ଗୋଟାଏ ସ୍ପଷ୍ଟ ହେତୁ ଅଛି । ସେ ତ ଏଇ । ରୂପ–ରସ–ଗନ୍ଧ । ସତ୍–ଚିତ୍–ଆନନ୍ଦ । ଖାଲି ଶୁଣା କଥା ନୁହେଁ, ଘୋଷା ବିଦ୍ୟା ନୁହେଁ । ସେତ ଏଇ । ଶୀତବେଳେ ଦେହରେ ଖରା । ଖରାବେଳେ ଗଛତଳ ଛାଇ ସୁଖ । ଆଖିରେ ଏଇ ଛନ ଛନିଆ, ଏଇ ଆଭା । ନାକରେ ଏଇ ମହକ । ନାନାମତେ ସ୍ନେହର ସମ୍ପର୍କ ଯୋଡ଼ି ସୁଖ ଆନନ୍ଦ ଦେବାକୁ ସୁଖ ଆନନ୍ଦ ପାଇବାକୁ ମୌଳିକ ଅଧିକାର । ସବୁବେଳେ ମନଇଚ୍ଛା ଚାଖି ଚାଖି ମଠେଇ ମଠେଇ ଜୀବନ ଉପଭୋଗ କରିବାକୁ ସୁଯୋଗ ।

 

ଆଖି ଆଗରେ ଖତୁ ସୋଇଁର ବଗିଚା ଯେପରି କି କୃଷ୍ଣ ମିଶ୍ରଙ୍କ ଜୀବନ ବଞ୍ଚିବା ହେତୁର ଜୀଅନ୍ତା ରୂପକ । ଜନନୀ ଜନ୍ମଭୂମି ଖାଲି ମାତୃମୂର୍ତ୍ତି ନୁହେଁ, ତା’ର ଝଳି ଫିଠଟୁଛି ଏଇ ବଗିଚା ଉପରେ, ଏଇ ପନିପରିବାର ଫଳ ଉପରେ ପତ୍ର ଉପରେ, ହଳ ବଳଦ କୁଢ଼ିଆ କ୍ଷେତ ତୋଟା ଏ ଆକାଶ ଏ ସାତଭାୟା ଚଢ଼େଇ ଏ ତାଳ ଖଜୁରି ଏ ମାଟି ଧୂଳି ଏ ମଣିଷ ମଣିଷ ମଣିଷ କିଏ ପିଲା କିଏ ବୁଢ଼ା କିଏ ସ୍ତ୍ରୀ କିଏ ପୁରୁଷ ଏଇ ଯେତେ ଛନ୍ଦାଛନ୍ଦି ସଂପର୍କ–ଏଇ କାହାର ଧୂଳି କାହାର ଛାଇ କାହାର ମହକ କାହାର ହସ କାହାର ଲୁହ ସବୁ ଏକାଠି ଆଉଟା ଆଉଟି ଗୋଳିଆ ଗୋଳି ହୋଇ ଖାଲି ଭିନେ ଭିନେ ଛାଞ୍ଚରେ ଢାଳିଦେଇ ତ ଏ ଯେତେ ଗୋଟିକା ଗୋଟି ରୂପ ।

 

ଜୀବନର ହେତୁ ଏଇ । ତାକୁ ଧ୍ୱଂସ ହେବାରୁ ଛାଡ଼ିଦେବା ! ନା, ନା, ନିଜେ ପଛେ ମରି ଧଳି ପାଉଁଶ ହୋଇ ତାକୁ ରକ୍ଷା କରିବା, ସବୁ ମଣିଷ ଏକଜୋଟ ହେବେ କାନ୍ଧକୁ କାନ୍ଧ ଲଗାଇ, ସବୁ ଉପାୟ ସାଧନ ଏକାଠି ହେବ କାନ୍ଧକୁ କାନ୍ଧ ଲଗାଇ, ଖତୁ ସୋଇଁର ତାଷ, କୃଷ୍ଣ ମିଶ୍ରର ସାଧନା, ମଦନା ଓଝାର ଉହା ଆଉ ଲୁହା, ଭଗତା ବଢ଼େଇର ନିହାଣ ବାରିଶି, ଗଙ୍ଗା କୁମାହାରର ଭାଟି, ସବୁ ଏକାଠି, ଏକଜୋଟ । କେତେ ପୋଡ଼ିବ ? କେତେ କ୍ଷୟ ହେବ ? ଅଟକିବତ ଠାଏ । ସେଉଠୁ ପୁଣି ଏ ଦେଶ ହସୁଥିବ ଯୁଗେ ଯୁଗେ ।

 

ଛୁଣୁକାଏ ଆଗରୁ ଇଚ୍ଛା ହେଇଥିଲା ଖତୁ ସୋଇଁକୁ ମାଗି କିଛି ପରିବା ନେଇ ଯାଆନ୍ତି । ମନ ଭିତରେ ଅନନୁଭୁତ ଉଦାରତା । ସେ ଇଚ୍ଛା ଗଲା । କିନ୍ତୁ ଦିଶୁଛି, ଖତୁ ସୋଇଁ ତେଣ୍ଡା ଭାଡ଼ିରେ ଚଢ଼ି ଆଳୁ କିଆରିକି ପାଣି ତେଣ୍ଡୁଛି, ମଡ଼ୋଉଛି ତା ବଡ଼ ପୁଅ ବୁଧିଆ ।

 

ଆପେ କୁହାଟ ବାହାରି ଗଲା–‘‘ଖତୁ ଓଇ–କ୍’’

 

ସଙ୍ଗେ ସଙ୍ଗେ ଉତ୍ତର, ‘‘ଓଏ–’’

 

ବୁଧିଆ ଦଉଡ଼ି ଆସି ତାଟି ଫିଟେଇ ଦେଲା । କୃଷ୍ଣ ମିଶ୍ର ଭିତରକୁ ଗଲେ ।

 

‘‘ନନା ଓଳିକି ।’’

 

‘‘ସର୍ବାରିଷ୍ଟ ଶାନ୍ତର୍ଭବତୁ ।’’

 

‘‘କୁଆଡ଼େ ?’’

 

‘‘ନାତି ଦେହ କ’ଣ ଖରାପ ଥିଲା ପରା, ପୂଜା ଓଝା କିଛି ?’’

 

‘‘କରିବ କର, ତମ ଦୟା । ଝାଡ଼ା ହେଉଥିଲା । ଭାଇଗ କତିକି ପଠେଇଲି, କ’ଣ ଧଳା ଧଳା ବଟିକା ଦେଲା, ଛାଡ଼ିଗଲା ତ । ଆଜି କାଲି ସବୁ ରୋଗକୁ ଓଷଧ ବାହାରିଲାଣିମ, ଓଷଧ ନଥିଲାବେଳେ ଯେତେ ପୂଜା ଓଝାର ଧୁମ୍ ଉଡ଼ୁଥିଲା, ଅରଖିତକୁ ଦଇବ ସାହା ନୀତି ଆଉ କଣ, ପଞ୍ଚାଏତ ଓଷଧ ପୁଳିଏ ରଖିଚି, ଭାଇଗ ଧଳ ଚିହ୍ନିଚି, ଦଉଚି, ଛାଡ଼ିତ ଯାଉଚି ।’’

 

ପୂଜା ଓଝା ପ୍ରତି ଏ ମନୋଭାବ କୃଷ୍ଣ ମିଶ୍ରଙ୍କୁ ବିବ୍ରତ କରିଥାନ୍ତା, କିନ୍ତୁ ଆଉ ଟିକକ ଆଗରୁ ଗୋହିରି ବାଟରେ ତାଙ୍କ ମନରେ ଯେଉଁ ବୋଧି ଘଟିଥିଲା ତା’ର ଝଂକାର ଏବେ ବି ରହିଥିଲା, ସେ ଖାଲି ହସିଦେଲେ ।

 

ଏ ଯୁଦ୍ଧ ପାଇଁ କ’ଣ କରୁଚ ଖତୁ ସୋଇଁ ?

 

ଖତୁ ସୋଇଁ ହସିଦେଲା । କହିଲା ‘‘ତେମେ ନନାଏ କ’ଣ ଭାବିବ କେଜାଣି, ତେମେ ତ ହସରେ ଉଡ଼େଇବ, ନାଇଁ ମୁଁ କହିବି ନାଇଁ ।’’

 

‘‘ଆମ ହଟ ଯାଉଚି ନଢ଼େଇକି ।’’

 

‘‘ସେ କଥା ତ ଗାଁରେ ହାଟ ବସିଚି । ସେ ସେମିତିଆ ପୁଅ । ଦେଖିନା ଗୋଦୋସ୍ତା ବଢ଼ିବେଳେ କ’ଣ କଲା । ଭାସି ଯାଉଥିବା ମଣିଷକୁ ପହଁରି ପହଁରି ଧରି କୂଳକୁ ଆଣିଥିଲା ପରା, ଆଉ ସମସ୍ତେ ଜୁଳୁଜୁଳୁ କରି ଚାହିଁ ଥାଆନ୍ତି । ହୁଣ୍ଡା ବୋଲି କହନ୍ତି, ଠାକୁରାଣୀଙ୍କି ପଣା ଦେଲେ ଦେଖେଇ ଦେଖେଇ ପିଇଦିଏ, ପର ପାଇଁ ନିଆଁକୁ ଡିଏଁ, ବସନ୍ତରା ଗଉଡ଼ ସାହିରେ ସେଥର ଯେତେବେଳେ ନିଆଁ ନାଗିଥିଲା, ଦେଖିନା ? ଲୋକଙ୍କ କହିବା ବାଗରେ ନ ଚାଲିଲେ ତାକୁ ଲୋକେ କହନ୍ତି ଚଗଲା ହୁଣ୍ଡା ଛତରା, ନିଜେ ଶୁଖିଲାରେ ରହି ମଉଜ କରନ୍ତି, କାମବେଳେ ଜଣାପଡ଼େ କିଏ କ’ଣ ।’’

 

‘‘ତେମେ କ’ଣ କରୁଚ କହିବ ନାଇଁ ଟିକିଏ ? ଚାନ୍ଦା କେତେ ଦେଲ ?’’

 

‘‘ସେ କଥା କାଇଁକି ପଡ଼ିଚି’’, ଖତୁ ସୋଇଁ ଗେଳେଇ ଦେଲା, ‘‘ଦବ କିଏ ନବ କିଏ । ସବୁ ଧନ ୟେ ଦେଶର, ମା ସେଇ, ମାଟି ସେଇ, ସେଇ ପୋଷୁଥିଲା ପାଳୁଥିଲା, ଅଇଛା ତାକୁ ବିପଦ ପଡ଼ିଚି, ତାମାନେ ସମସ୍ତିଙ୍କି ବିପଦ ପଡ଼ିଚି, ତେମେ କହ । ୟେ ଯୋଉ ଯୁଦ୍ଧ ଘୋଟିଲା, ୟେ କ’ଣ କାହାରି ଜଣକର ମାମଲତ, ୟେ ସବୁରି । ୟେ ଯେମିତିକି ନଈ ବନ୍ଧରେ ଘାଇ ହେବାକୁ ବସିଚି, ଗାଁ ଯାକ ଯାହା ଘରେ ଯାହା ଅଛି ଆଣ ପକା ଘଳିଆ ଚୁଣ୍ଟ, ନ ହେଲା ବେଳକୁ ସେଇ ଘଳିଆ ମୁହଁରେ ନିଜେ ଶୋଇପଡ଼, ଜଣକା ଉପରେ ଜଣେ, ଆଗ ଘଳିଆ ବନ୍ଦ ହେଉ, ବାଲିବସ୍ତା ଲଦା ହେଉ, ମାଟି ପଡ଼ୁ, ବନ୍ଧ ରକ୍ଷା ହେଉ ।’’

 

‘‘କ’ଣ ଦେଲ ?’’

 

‘‘ଅଇଛା ଦେଇଚି ଚାଳିଶି ଟଙ୍କା, ସେତିକିରେ କ’ଣ ହେବ ? ନା ଥରକେ ୟେ ସରିବ-? ୟେ ଟଙ୍କା ଖାଲି ନାଆଁକୁ, ଗାଁ ଭେଦା । ଖାଲି ଆପଣା କଷ୍ଟେମଷ୍ଟେ କାମ ଚଳାଇଲା ଭଳି ଗଣ୍ଡିଏ ରଖି ବିକି ଭାଙ୍ଗି ସବୁ ନ ଦେଲେ ଏଡ଼େ ବଡ଼ କାମ ଉଠିବ ନାଇଁ । ନା କ’ଣ କହୁଚ ? କିଏ ରକତ ଦଉଚି ଜୀବନ ଦଉଚି, ଆଉ ଏ ଛାର ସଂପତି, ଦୁନିଆଁ ଛାରଖାର ହେଲେ ତେମେ ଆମେ କୋଉଥିବା ନା ସଂପତି ବୈକୁଁଠକୁ ନବା ?’’

 

ହାଡ଼ୁଆ ଚେମେଡ଼ା ଖତୁ ସୋଇଁ, ମୁହଁରେ କଞ୍ଚା ପାକେଲା ରୁଢ଼ ବଲ ବଲ, ଖାଲି ପିଠି, କାନ୍ଧରେ କସ ଗାମୁଛା, ଦେହରେ ମାଟିଆ ଲୁଗା ଖଣ୍ଡେ, ମାଟି ସଙ୍ଗେ ମାଟି, କେବେ ଦେଖାଇ ହୋଇ ନାହି ସେ କେଉଁ ମଣିଷରେ ଗଣା କି କେଉଁ ଗାଈର ଗୋବର ।

 

କୃଷ୍ଣ ମିଶ୍ର ତା ମୁହଁକୁ ଅନାଇଁଲେ । ପାଚିଲା ପାନପତ୍ର ପରି ମୁହଁ, ସେଠି ଆଂଶ ଅଛି ହିଡ଼ ବାଡ଼ ଅଛି ସିଅର ଅଛି । କପାଳରେ ତିନିଟା ଗାର । ଆଖିରେ ଶାନ୍ତି, ବିନୟ, ଭଲ ମଣିଷର ସୁଧାର ପଣ । କୃଷ୍ଣ ମିଶ୍ରଙ୍କଠିଁ ଚେଇଁ ଉଠିଥିବା ବୋଧି ପୁଣି ତାଙ୍କୁ ଆଚ୍ଛନ୍ନ କଲା । ଏଥର ଯେମିତି କର୍ଣ୍ଣପିଶାଚୀ ତୁନି ତୁନି କାନେ କାନେ କହିଦେଇ ଗଲା, ଏ ଦେଶରେ ଏମିତି କ୍ଷେତରେ ଖଳାରେ ଧୂଳିରେ ବାଲିରେ ମୁହୂର୍ତ୍ତ ମୁହୂର୍ତ୍ତକେ ମଣିଷର ଚିତ୍ତ ଭିତରେ ମହାପୁରୁଷ ଅବତରନ୍ତି, ଯୁଗ ଯୁଗକେ କେତେ ନୂଆ ନୂଆ ଭାଷାରେ ଦେଶର ମଣିଷ ଓଠରୁ ଝରିପଡ଼େ ଅକ୍ଷୟ ଅମୃତ ପ୍ରବଣ ।

 

‘‘କଣ ଦେଖୁଚ ?’’ ଖତୁ ସୋଇଁ ହସୁଛି, ସେ ହସରେ ମରଣ ଝାଉଁଳି ପଡ଼ିବ, ଉଷୁନା ଧାନ ଗଜା ହେବ, ବାହାରକୁ ହିଡ଼ ହିଡ଼ ଭ୍ରୁଲତା ତଳେ ପାଣି ଚବ ଚବ ଆଖି ସେଥିରେ ଗଡ଼ିଶ ମାଛ ସ୍ଥିର ହୋଇ ଶୋଇଛି, ତାରି ଉହାଡ଼ରେ କେଉଁଠି, ତାରି ଉହାଡ଼ରେ ତା’ର ପ୍ରାଣ, ତା’ର ଚେତନା । ଯୁଗ ପରେ ଯୁଗ ଚାଲି ଯାଇଛି, କେତେ ମୁନି ଋଷି ଯୋଗୀ ତପସ୍ୱୀ କେତେ ହୋମ ଧୂଆଁରେ କେତେ ତ୍ୟାଗ ତପସ୍ୟାରେ ପାଗ କରି କରି ଗଢ଼ିଛନ୍ତି ଖତୁ ସୋଇଁର ଅମର ଚେତନାକୁ, ସେ କେଉଁ ପୁରୁଣା ସତ୍ୟ ଯୁଗର, ଆପେ ସତ୍ୟ, ସେ ଅଛି ।

 

କୃଷ୍ଣ ମିଶ୍ର ତାକୁ ଚାହୁଁଛନ୍ତି ଭାବୁଛନ୍ତି ।

 

ଖତୁ ସୋଇଁ ଲାଜରା ହେଉଛି । ଏହି ଯେଉଁ ଘଟ ଭିତରେ ରହିଛି ଏପରି ଆଣ୍ଟ ଯେ ସବୁ ପାଇଲା ଘଡ଼ିରେ ପୁଣି ସବୁ ଫୋପାଡ଼ି ଦେଇପାରେ, ଯେ ରାଜା ହୋଇସାରି ହୋଇପାରେ ସର୍ବତ୍ୟାଗୀ ବୈରାଗୀ, ଏଇତ ସେଇ, ଏଇତ ଖାରବେଳ. ଏଇତ ଅଶୋକ, ଏଇତ ପ୍ରତାପରୁଦ୍ର, ଏଇତ ସାରଳା ଦାସଙ୍କ ମହାଭାରତ ପୋଥିର ଜାନୁଘଣ୍ଟ–

 

‘‘ମାହା ଛତ୍ରି ବିଦ୍ୟା କରି ସମରାଜ୍ୟ କରି ରକ୍ଷା

ଜନ ପରଜା ପାଳି ରାଜା ଆପଣେ ମାଗଇ ଭିକ୍ଷା

ଘଣ୍ଟରାବ ଶବଦ କରିଣ କରେଣ ଖପରା ଧରି

ସଂସାର ଜନହିତେ ନୃପତି ବୁଲଇ ଦିଗମ୍ବରି’’

 

ସେଇ ଜାନୁଘଣ୍ଟ ପରି ସେବିତ ଶତ୍ରୁକୁ କହି ଦେଇଛି–

 

‘‘(ମୁଁ) ପରେ ହତ୍ୟା ନ କରଇ ପରେ ନୋହି ବିବାଦି

ୟେ ଯୁଗ ଭୋଗ କରୁଅଛି ମୁହିଁ ମହାଧର୍ମ ସାଧି

ଧର୍ମକୁ ଅଟଳ ମୁଇଁ ଦୁର୍ଜନକୁ ଅନର୍ଗଳା

ପ୍ରାଣେ କାର୍ଯ୍ୟ ଥିଲେ ତୁ ଏଥୁଁ ସୈନ୍ୟ ଘେନି ପଳା ।’’

 

ଦେଇଦେବ ଖତୁ ସୋଇଁ ସବୁ ଦେଇଦବ, ବେଳ ପଡ଼ିଛି, ସେ ପଛେଇବ ନାହିଁ । କିଏ ଭାଡ଼ିରେ ଚଢ଼ିଲା କିଏ ଗାଡ଼ିରେ ଚଢ଼ିଲା କିଏ ଆପଣା ଧର୍ମ କେମିତି ରଖିଲା କି ନ ରଖିଲା ଖତୁ ସୋଇଁର ଗରଜ ନାହିଁ ପଚାରିବାକୁ, ତା କାମ ସେ କରିବ, ନିଶ୍ଚୟ କରିବ, ସେଥିପାଇଁ ବାହ୍‍ ବାହ୍‍ କି ହୋ ହୋ ଖୋଜିବ ନାହିଁ ।

 

ଖତୁ ସୋଇଁ କହିଲା ‘‘ନାଇଁ, ଆଜି ତମ ମନ ଚଞ୍ଚଳ ଅଛି, କ’ଣ ଗୋଟାଏ ହେଇଚି ।’’

 

କୃଷ୍ଣ ମିଶ୍ରଙ୍କ ଭିତରୁ ଦୀର୍ଘଶ୍ୱାସ ସଙ୍ଗେ ସଙ୍ଗେ ବାହାରି ପଡ଼ିଲା ‘‘ଯୁଦ୍ଧ । ମଣିଷ ମରୁଚନ୍ତି-। ଶତ୍ରୁ ପଶି ଆସୁଚି ।’’

 

ଖତୁ ସୋଇଁ କହିଲା ‘‘କିଏ ମାରେ କିଏ ମରେ ? ଆଜି ମଲେ ପରା କାଲି ପୁଣି ମା ପେଟରେ । ଅର୍ଜୁନକୁ ବୁଝେଇ ନାହାନ୍ତି, କେଡ଼େ ସୁନ୍ଦର ବଳରାମ ଦାସେ ଲେଖିଚନ୍ତି ଗୀତା ଅନୁବାଦ ପୋଥି ବାବାଜି ଗାଉଥିଲେ, ଶୁଣି ଶୁଣି ମୋର ମୁଖସ୍ଥ ହେଇଗଲା ।’’ ଘାଗଡ଼ା ଟାଣୁଆ ପାଟିରେ ଖତୁ ସୋଇଁ ଗାଇଲା–

 

ଆତ୍ମା ଅଟେ ଅବିନାଶୀ ନିତ୍ୟ ବୋଲି ଯାହା ଭାଷି

ସେ କାହାକୁ ମାରଇ କେ ତାହାକୁ ମାରି

ଲେଙ୍କଡ଼ା କନା ପକାଇ ନୂଆ ପିନ୍ଧି ସୁଖ ପାଇ

କନାଖଣ୍ଡି ଗଲାକୁ କି ଶୋଚନା କରି

 

ଉଦୁଉଦିଆ ଦିପହରେ ପାଣି ତେଣ୍ଡା କତିରେ ମସିଆ ଧୂଳିଆ କାଦୁଆ ନୁଖୁରା ସୋଇଁ ଟେକିଲା ପୋଥି ଗୀତ, ଦେଲା ଛାଡ଼ି, ଛାଡ଼ି ଦେଲା ତୋଟା ଉପରେ ବିଲ ଉପରେ ନଡ଼ିଆ ମାଳ ଉପରେ ମିଶ୍ର ସାହି ଆଡ଼କୁ ବୋଲି ଭୀମା ରଡ଼ିରେ ଆଉ ତା ବଡ଼ ପୁଅ ବୁଧିଆ ଚଲେଇଥାଏ ତେଣ୍ଡା ଯେ ଗୀତ ସାଙ୍ଗକୁ ତାଳ ପରି ଶୁଭୁଥାଏ କଅଁ – କଅଁ ଆଉ ପାଣି ଧାର ହୀରା ଧାର ପରି ଝଟକି ଲାଗିଥାଏ ଖରାଏ ଖରାଏ । ଖତୁ ସୋଇଁ ଗୀତ ଗାଇଗଲା –

 

‘‘ସ୍ନେହିମତି ଜୀର୍ଣ୍ଣ ଦେହ ଛାଡ଼ିଲେ ନ କରେ ସ୍ନେହ

ଯେବଣ ଆତ୍ମାକୁ ଶସ୍ତ୍ର ନପାରେ ଛେଦି

ଅଗ୍ନିହିଁ ଦହି ନପାରି ପାଣି କି ବୁଡ଼ାଇ ପାରି

ପବନ ଉଡ଼ାଇ ତାକୁ ନ ପାରେ ଭେଦି

ଛାଡ଼ିବା ପୋଡ଼ିବା ପୁଇଁ ଶୁଖିବା ଯେହୁ ନୁହଇ

ଅବ୍ୟଗତ ନିର୍ବିକାର ଅଚିନ୍ତ୍ୟମୟେ

ଦେହକୁ ଘେନିଣ ଜାତ ମରଣ ହୋଏ ନିୟତ

ଏହାହିଁ ତୁ ଦୃଢ଼ ବୋଲି ନ କର ଭୟେ’’

 

ଆଉ ହସି ହସି ସରସ ଗଳାରେ ଭାଡ଼ି ଉପରୁ ବୁଧିଆ ପଦଟିଏ ଗାଇଲା–

 

‘‘ଯୁଦ୍ଧ ସେ କ୍ଷତ୍ରିଙ୍କ ଧର୍ମ ଅନ୍ୟ ମାରଣ ଅକର୍ମ

ଏମନ୍ତ ସଂଗ୍ରାମେ ଭାଗ୍ୟ ଥିଲେଣ ପାଇ ।’’

ମିଳିଛନ୍ତି ଦୁଇ ଥାଟ ଫିଟିଛି ସ୍ୱର୍ଗକୁ ବାଟ

ଏଥି ରଣ ନ କଲେଣ ମହତ୍ୱ ଯାଇ ।’’

 

କୃଷ୍ଣ ମିଶ୍ର ଖତୁ ସୋଇଁକୁ କୁଣ୍ଢେଇ ପକାଇଲେ । ଖତୁ ସୋଇଁ ହଠାତ୍ ସତେ କି ସାନ ପିଲାଟାଏ ହୋଇଗଲା, କହିଲା ‘‘କିଛି ନୂଆ ନୁହେଁ ମ, ପୁରୁଣା ପୋଥି ପାଠରେ ଆମର ସବୁ ଥିଲା ସବୁ ଅଛି, ସେ କାଳରେ ନଢ଼େଇ ବି କରୁଥିଲେ ଗୀତ ବି ଭଣିତା କରୁଥିଲେ ତୁମେ ଜାଣିନା ଯେ ମୁଁ କ’ଣ ତମୁକୁ କହିବି ?’’

 

କୃଷ୍ଣ ମିଶ୍ର ପଚାରିଲେ ‘‘କଣ କହୁ ନଥିଲ, ଯୁଦ୍ଧପାଇଁ କ’ଣ କୁଆଡ଼େ କରୁଚ, କହୁଥିଲ କିଏ ଶୁଣିଲେ ହସିବ ବୋଲି ତୁମେ କହିବ ନାଇଁ । କ’ଣ କହୁନା, ଆମ ଦେଶ ଯୁଦ୍ଧ ଜିତିବ ବୋଲି ଯେ ଯାହା କାମ କରୁଚି ତା ପବିତ୍ର, କହ ଶୁଣିବା ଟିକିଏ କ’ଣ କରୁଚ–’’

 

ଖତୁ ସୋଇଁ ହସିଦେଇ କହିଲା ‘‘ଡାଳୁଅ ।’’

 

‘‘ଯୁଦ୍ଧପାଇଁ ଡାଳୁଅ କରୁଚ ?’’

 

‘‘ହଁ, ଘାଇ ତଳ ଚକରେ–’’, ତା ପରେ ଖତୁ ସୋଇଁ ବୁଝାଇଲା ‘‘ଆମେ ବାପ ପୁଏ ବସି ବିଚାର କଲୁଁ, ନଢ଼େଇତ ଲାଗିଲା, ଆମ ତରଫରୁ ଲକ୍ଷ ଲକ୍ଷ ହୋଇ ଥାଟ ଠିଆ ହେବେ, କ୍ଷତ୍ରି ବିଦ୍ୟା କରିବେ, ତେବେ, ତାଙ୍କ ଖୋରାକି ପାଇଁ ଦେଶଯାକ ଆହୁରି ଉପୁଜାଣ ବଢ଼େଇଲେ ସିନା । ସେମାନେ ନଢ଼ୁଥିବେ, ହଳ ଧରିବେ ଆଉମାନେ । ନ କମେଇଲେ ହବ କୁଆଡୁ ? ଖାଲି ତାଙ୍କ ଖୋରାକି ? କେତେ ପଦାର୍ଥ ଲୋଡ଼ା । ହଳରୁ କଳରୁ ସବୁଆଡୁ ଜିନିଷ ଆମଦାନି ଆଗଠୁଁ ଆହୁରି ଆହୁରି ନ ବଢ଼େଇଲେ ଯୁଦ୍ଧବେଳେ କନ୍ତାର ପଡ଼ିବ । କାମ କରିବା ନାଇଁ କାଇଁକି ? କାଇଁକି ନଖଟ କି କନ୍ତାର କରେଇ ଦବା ? ଜିନିଷ ଉପୁଜାଣ ବଢ଼ିଲେ ବଳେ ଭାଉ କମିବ, ସେତିକି ଟଙ୍କାରେ ଆମ ସୈନ୍ୟଙ୍କ ପାଇଁ ଆହୁରି ବେଶି ଜିନିଷ କିଣି ହେବ, କାମରେ ଲାଗିବ । କହିଲୁଁ ତେବେ ଲାଗ କରିବା ଡାଳୁଅ ଏକାନଟେ ତିନି ମାଣ, ଆମ ପଛେ ପଛେ ଚକକ ଯାକ ସମସ୍ତେ କରିବାକୁ ବସିଲେଣି । ଗୋଟାଏ କିଛି ହଉତ ।’’

 

କୃଷ୍ଣ ମିଶ୍ର କହିଲେ ‘‘ଏ କଥା ହାଟରେ ଢୋଲ ପିଟିବା କଥା ନା ଏ କଥା ଲୁଚେଇବା କଥା ? ନଢ଼େଇ ତାତ୍ପର୍ଯ୍ୟ ତେମେଇ ଠିକଣା ବୁଝିଚ । ଗୋଟାଏ ଭାଇ ହାତକୁ ଜିନିଷ ବଢ଼ାଇ ଦଉଥିବ ଆଉ ଗୋଟାଏ ଭାଇ ଲଢ଼ୁଥିବ । ବଳକା ଧାନ ତିନି ମାଣ ବିଲ କଲେ ଶତ୍ରୁ ଉପରେ ସେ ବି ଗୋଟାଏ ପାହାର ଆମ ଯୋଦ୍ଧାଙ୍କ ହାତରେ ସେ ବି ଗୋଟାଏ ବଳ । ଅଇଛା ଯାହା ଯାହା କଲେ ଆମ ଦେଶ ଟାଣ ହେବ, କି ଧାନରେ କି ଧନରେ କି ମନରେ ସେ ସବୁ ଜାଣ ଯେ ଅସଲ ଯୁଦ୍ଧ ଉଦ୍ୟମ, ଆଉ ନିଲଠା ଫମ୍ପା କାମ ହେଉଛି ଘର ପିଣ୍ଡାରେ ବସି ଅଳସେଇ ଅଳସେଇ କଥା ଗପିବା । ତମେ ଲାଗ ତମ କାମରେ, ମୁଁ ଯାଏଁ ।’’

 

ଖତୁ ସୋଇଁ ଥଙ୍ଗେଇ ଥଙ୍ଗେଇ ହେଲା, କହିଲା ‘‘ପଦେ ପଚାରିବାକୁ ମନ ହଉଚି ‘ଯେ, ମୋ ବୁଧିତ ପାଉନାଇଁ, କାଳେ ତେମେ ଜାଣିଥିବ ?’’

 

‘‘କଣ କହୁନା ?’’

 

‘‘ନାଇଁ କିଛି ନାଇଁ ଯେ, ମାରଣାଙ୍କୁ ମାରଣ ମାଡ଼ୁଆଙ୍କୁ ମାଡ ଛଡ଼ାତ ଅନ୍ୟ କଥା କିଛି ନାଇଁ, ସେ ଚିନି ହୁଅନ୍ତୁ କି ଗୁଡ଼ ହୁଅନ୍ତୁ ଶିମିଳୀ ଗଛରେ ପଛଆଡ଼ ଘଷୁଛନ୍ତି ପାଇବେ ତା ପ୍ରତିଫଳ, ଆମେ ଦବୁଁ ଛାଡ଼ିବୁ ନାଇଁ, ଜଗନାଥେ ଦେବେ । ମତେ ଖାଲି ବୁଝେଇ ଦିଅ କାଇଁକି ୟେ ଭାରତ ଯୁଦ୍ଧ ନାଗିଲା, କିଏ କାହାର କି ଅନିଷ୍ଟ କରିବାକୁ ଯାଇଥିଲା ଯେ ଚୀନା ଲୋକ ଆମ ଦେଶକୁ ଚଢ଼ୋଉ କରି ଥାଟ ଚଳେଇଲେ, ତାଙ୍କ ଦେଶରେ ତ ଆମରି ପରି ଚାଷୀ ମୂଲିଆ ଥିବେ, ଗାଁ ଗଣ୍ଡା ଥିବ, ଛୁଆ ପିଲା ଗୋରୁ ଗାଈ ଘେନି ସବୁ ଘର କରୁଥିବେ, ଆମେ ତାଙ୍କର କ’ଣ କଲୁ ଯେ ତାଙ୍କ ଦେଶର ବାପ ମା ତାଙ୍କ ପୁଅଙ୍କୁ ପଠେଇ ଦେଲେ ଘରଣୀ ତାଙ୍କ ଗିରସ୍ତଙ୍କୁ ପଠେଇ ଦେଲେ କ’ଣ ନା ତେମେ ଯାଅ, ପର ଦେଶର ଘର ଜାଳ ମଣିଷ ମାର ଗାଁ ଜୁର ପିଲାଙ୍କ ତଣ୍ଟି ଚିପ ଘରଣୀଙ୍କ ଚୂଡ଼ି କାଚ ଭାଙ୍ଗ । କ’ଣ, ସତ କଥା କହ, ଆମର ଦୋଷ କ’ଣ ? ଦେଖା ହୁଅନ୍ତା କେବେ ତାଙ୍କ ଚଷା ମୂଲିଆଙ୍କ ସାଙ୍ଗରେ ତାଙ୍କ ମୁରବି ମାମଲାତକାରଙ୍କ ସାଙ୍ଗରେ ତାଙ୍କ ପଞ୍ଚାଏତ କି ମହାଜନ ସଭା ସାଙ୍ଗରେ ଆମେ ପଦେ ପଚାରନ୍ତୁ । ଏତେ କାଳ ଗଲା କିଛି ନଥିଲା ଅଇଛା କ’ଣ ତାଙ୍କ ମୁଣ୍ଡରେ ପଶିଲା କାଇଁକି ୟେ ସଇତାନି ବୁଦ୍ଧି ଘୋଟିଲା, ୟେ ତ ଜଣିକିଆ କଥା ନୁହେଁ, ଅନାମତ ଗୋଟାଏ ଦେଶର ଲୋକ ଖଣ୍ଟ ଡକେଇତ ହୋଇ ମାଡ଼ି ଆସିଚନ୍ତି, କ’ଣ ୟେ କଥା ?’’

 

କୃଷ୍ଣ ମିଶ୍ର କହିଲେ ‘‘ସେଇ କଥା ଆଜି ଦୁନିଆଁ ତାଙ୍କୁ ପଚାରୁଛି, ଏକା ତମେ ଆମେ ନୁହେଁ ।’’

 

‘‘ସେମାନେ କି ଜବାବ୍ ଦଉଚନ୍ତି ?’’

 

‘‘ଗାଲଭୁରୁଡ଼ି ବାହାର କରୁଚନ୍ତି, ବାତଫୁରୁସି ମାରୁଚନ୍ତି, କହୁଚନ୍ତି ଆମେ କୁଆଡ଼େ ତାଙ୍କୁ ଆକ୍ରମଣ କଲୁଁ, ଆମେ କୁଆଡ଼େ ତାଙ୍କ ରାଇଜ ମାଡ଼ି ବସିଲୁଁ ।’’

 

‘‘କଣ କହୁଚ !’’

 

‘‘ଏଡ଼େ ମିଛ କୋଉଠି ଶୁଣିଥିଲ ! ହଜାର ହଜାର କି ଲକ୍ଷ ଲକ୍ଷ ଫଉଜ ଧରି ଯେ ଛଅଶ କୋଶ ଦୂରରୁ ସାଜ ସରଞ୍ଜାମ ଧରି ଆମ ରାଜ୍ୟ ଆକ୍ରମଣ କରିବାକୁ ଆସିଚି, ଏଇ କାମ ପାଇଁ ଯେ ବରଷ ବରଷ ବିତି ଗଲାଣି ଲାଗିଚି, ଆଗୋଉଚି, ପକା ସଡ଼କ କରିଚି, ହତିଆର ଗଢ଼ିଚି, ତାଷ ବେଉସା ଉଜାଡ଼ି ଦେଇ ମଣିଷଙ୍କୁ ପଲଟଣ କରିଚି, ଯେ ଖଞ୍ଜ ଉଣ୍ଡି ବେଳ ଦେଖି ଭୁଷ୍ କରି ଏକାନଟକେ ଆମ ସୀମା ପୂର୍ବ ପଟେ ପଶ୍ଚିମ ପଟେ ଜନ୍ଦା ପିମ୍ପୁଡ଼ି ପରି ମଣିଷ ପୂରେଇ ଘରାଉ କରି ଖୁଣି ଆରମ୍ଭ କରି ଦେଇଚି, ଆମ ଇଲାକାରୁ ଖଣ୍ଡେ ଗ୍ରାସ କରି ପକେଇଚି ସେ କେଡ଼େ ସୁନ୍ଦର ଭଲ ପିଲା ପରି କହୁଚି ମୁଁ ନୁହେଁ ୟେ, ୟେ ଖୁରି କଲା, ୟେ ମୋ ଦେଶରେ ପଶିଲା ।’’

 

‘‘କୂଟ, କୂଟ ୟେ’’, ଖତୁ ସୋଇଁ କହିଲା, ‘‘ୟେ ଫିସାଦି କଥା, ତେବେ କାଇଁକି ? କାଇଁକି ସେ ଏଡ଼େ ଅବିଶ୍ୱାସୀ କଂସେଇ କାମ କରିବାକୁ ଆଇଲା ? ମୁଁ ତ ତା’ର କିଛି ଅନ୍ତ ପାଉନାଇଁ । ସେ ଦେଶର ଚଷା, ସେ ଦେଶର ବଢ଼େଇ କମ୍‌ହାର ସେ ଦେଶର ଖଟିଖିଆ ଭାଇମାନେ ସେମାନେ କ’ଣ ପାଗଳ ହେଲେ ଯେ ମାରିବାକୁ ମୁସ୍ତେଜ୍ ହୋଇ ଘର ଦ୍ୱାର ଛାଡ଼ି ଉଠି ଆସିଲେ ?’’

 

କୃଷ୍ଣ ମିଶ୍ରେ ବୁଝେଇଲେ, ‘‘ୟାରି ନାଁ ବୈଷ୍ଣବୀ ମାୟା, ମହାମାୟାର ମାୟା, ସେ ଯାହାକୁ ମାରିବାକୁ ମନ କରେ ତା ବୁଧିକି ବାୟା କରେ । ଅସୁର ବଳ ନ ମାତିଲେ ନିପାତ ହେବେ କେମିତି ? ଦୁର୍ଯ୍ୟାଧନ ଉତପାତ ନ ହେଲେ ଅନେଶତ ଭାଇଙ୍କି ମରେଇ ନିଜେ ମରିବ କେମିତି-?’’

 

ଖତୁ ସୋଇଁ କହିଲା, ‘‘ମନ ବୁଝୁନାଇଁ । ଆଜି କାଲି କ’ଣ ଏ ସଂସାରରେ ଏମିତି ଦେଶ ଅଛି ଯୋଉଠି ଗୋଠକ ଯାକ ଅସୁର ? କ’ଣ ନା ଲଙ୍କାରୁ ଯେତେକ ବାହାର ସମସ୍ତେ ଅସୁର ଆକାର ! ଲଙ୍କାରେ ବି କୁଆଡ଼େ ଆମରି ପରି ମଣିଷ, ଅସୁର ଆଉ ନାହାନ୍ତି ।’’

 

କୃଷ୍ଣ ମିଶ୍ର କହିଲେ ‘‘ଦେଖ, ତମେ ଯୋଉଠି ମୁଁ ସେଇଠି, ତେବେ ଖବରକାଗଜ ପଢ଼ୁଚି, କେବେ କେବେ ରେଡ଼ିଓ ଶୁଣୁଚି । ସେ ଦେଶରେ ଆଉ ତମ ଆମ ଭଳି ସାଧାରଣ ଲୋକଙ୍କର ମତ ଖଟୁ ନାହିଁ, ସେମାନେ ସତେ ଯେମିତି ଛେଳି ମେଣ୍ଢା, ତାଙ୍କ ପିଠିଆଡ଼େ ଭୁଷା ହୋଇ ରହିଚି ବନ୍ଧୁକର ନଳି ମୁହଁ, କ’ଣ ନା ହୁସିଆର୍, ଆମ କଥାରେ ଉଁ କି ଚୁଁ କରି ପାଟି ଫିଟେଇଚ କି ଆମ ବୋଲ ନ ମାନି ବାଏଁ କି ଡାହାଣେ ମୋଡ଼ ବୁଲିଚ ତ ଢ଼ୁ, ମଲ, ଗୁଳି କି କେଞ୍ଚା କି ଫାସି । ଯୋଉ ଦଳଟା ସେ ଦେଶ ଲୋକଙ୍କୁ ଦବେଇ ରଖିଚନ୍ତି କାଠିରେ ନଚୋଉଚନ୍ତି ଅଡ଼ୋଉଚନ୍ତି, ସେଗୁଡ଼ାକ ପକ୍‌କା ମାରଣା ଗୁଣ୍ଡା ଆଉ ଖଣ୍ଟ, ସେମାନେ ମାଲବିନ୍ଧା ସାଧି ସାନ ସାନ ରାଜ୍ୟକୁ ଡରେଇ ଦବେଇ ଭାବିଲେଣି ଯେ ତାଙ୍କ ବଳ ଅଧିକ ହେଇଗଲା, ଏଥର ଆଉ ଦେଶ ଉପରେ ଚଢ଼ୋଉ କରି ଜିଣି ତାକୁ ସୁଖରେ ବସି ଅମଳ କରିବେ । ତାଙ୍କୁ ସେ ପୁରୁଣା କାଳିଆ ରାଜାଙ୍କ ପରି ରାଜ୍ୟ ବିସ୍ତାର ନିଶାଟା ଧରିଚି, ପର ରାଜ୍ୟ ଦଖଲ କରିବା, ସେ ଦେଶରେ ରାଜା ହେବା, ସେ ଦେଶର ଧାନ ଚାଉଳ ହୀରା ମାଣିକ ବୋହିନେବା, ସେ ଦେଶ ଲୋକଙ୍କୁ ଚାକର କରି ରଖି ତାଙ୍କରି ଦ୍ୱାରା ମେହେନତ କରେଇ ଆମେ ସୁଖରେ ବସି ଖାଇବା, ଏଇଆ ତାଙ୍କ ଆଶାଟା । ଏଣେ ଭାରତ ଦେଖୁଚନ୍ତି ଆହୁରି ବଳି ବଳି ବଢ଼ିଆରୁ ବଢ଼ିଆ ହବାକୁ ପାରୁ ପର୍ଯ୍ୟନ୍ତେ ଲାଗିଚି, ତା ଦେଖି ବାଦ ହିଂସାରେ ହାଡ଼ରୁ ମାଉଁସ ଝଡ଼ି ପଡ଼ୁଚି, ସହି ହଉନାଇଁ, ପାଟିରୁ ବି ଲାଳ ବୋହୁଚି, ଭାରତ ଦଖଲ କରି ପାରିଲେ ଦୁଧରୁ ସରଟା ଓଟାରି ଖାଇଲା ଭଳି, ସେଥିପାଇଁ ତାଙ୍କ ଦେଶର ଏତେ ମଣିଷଙ୍କୁ ହାଣ ମୁହଁକୁ ପେଲି ଅପକୀର୍ତ୍ତିକି ଠେଲି ଦେଇ ଅଡ଼େଇ ଅଡ଼େଇ ସେ ପଠେଇଚନ୍ତି, ସେମାନେ ସର୍ଦ୍ଦାର ହେଇଚନ୍ତି ନା, ତାଙ୍କ ଲୋକେ ମଶା ମାଛି ପରି ମଲେ ତାଙ୍କର କ’ଣ ଯିବ ? ନେତା ଆଉ କାହାକୁ କହନ୍ତି କି ସେଠି ? ଏଇଆ ।’’

 

ଖତୁ ସୋଇଁ ଆକାଶକୁ ଯୋଡ଼ା ପାପୁଲି ଟେକି କହିଲା ‘‘ହେ ଧର୍ମ ତୁଇ ଜାଣୁ । ୟେ ପାପ ଅଧର୍ମ ତୁଇ ବୁଝିବୁ,’’ କହିଲା ‘‘ବାବାଜି ଥିଲେ କହନ୍ତେ ଚେତ୍ ଚେତ୍, କଥା ନାଇଁ, କାମ ।’’

 

କୃଷ୍ଣ ମିଶ୍ର ଚାଲି ଆସିଲେ । ନିଶ୍ୱାସ ଖର ହୋଇ ପଡ଼ୁଛି, ଆଖି ଯେମିତି ମିଞ୍ଜି ମିଞ୍ଜି ହୋଇ ଧ୍ୟାନ–ରତ । ମନ ଭିତରୁ ଭାବୁକତା ଖସି ପଡ଼ିଛି, ତା ପରିବର୍ତ୍ତେ ଗୋଟାଏ ଅତିଚିଆ ଅତି ଜାଣତାପଣର ନୀରବ ଆଚ୍ଛନ୍ନତା, ଚେତନାରେ ଗୋଟାଏ ନିଷ୍ଠୁର ଚାଉଁ । ଯେମିତି କୋଲମରା ଜାଡ଼ ରାତିରେ ବିଛଣାରୁ ଉଠିପଡ଼ି ରେଜେଇ ଫୋପାଡ଼ି ଦେଇ ପଦାକୁ ଆସି ଅନ୍ଧାରରେ ଶୀତରେ ବାଟ ଧରିବାକୁ ପଡ଼ିବ କ’ଣ ଜରୁରୀ କାମ ପାଇଁ, ନ ଗଲେ ନ ହୁଏ, ବିପଦ ।

 

ଆପଣାକୁ ଆପେ ପଚାରିଲେ, ମୁଁ କ’ଣ କରିବା ଦରକାର ? ଲାଗିବି ତ, କ’ଣ କରିବି-?

 

ବାଟ ବଳେ ଦିଶିବ, ଅନ୍ତର ଭିତରୁ କିଏ ସେ ଜବାବ୍ ଦେଲା, ଯାହାର ମନ ଯେଡ଼େ ତା’ର ପ୍ରଭୁ ତେଡ଼େ, ପ୍ରଭୁ ବାଟ ବତାଇବେ ।

 

କରପଟିଆ ହୋଇ ଆଗ ପଡ଼ିବ ଦେଉଳ, ତା ତିନିକରେ ଘଞ୍ଚ ନଡ଼ିଆ ତୋଟା ବହୁଦୂର ଲମ୍ବିଛି । ନଡ଼ିଆ ଗଛ କିଏ ଲଗାଇ ଥିଲା ଜଣାନାହିଁ, ବହୁତ ମାଲିକଙ୍କ ନଡ଼ିଆ ତୋଟା ପାଖକୁ ପାଖ, ଠାଏ ଠାଏ ସେଥିରେ ଜଗୁଆଳି ପିଲା, ମାଲିକମାନେ ଗୋଟମା ଗଣି ଗଛ କୁତ ଲଗାଇ ଦିଅନ୍ତି, ବାଉରି କୁତ ନିଅନ୍ତି ଜଗନ୍ତି । ଦେଉଳ କିଏ ତୋଳିଲା କେହି କହି ପାରିବେ ନାହିଁ, ଖାଲି ଗାଁ ବଡ଼େଇ ଦେଖାଇ ସମସ୍ତେ କହନ୍ତି ‘‘ଲିଙ୍ଗରାଜ ଦେଉଳ ତୋଳା ହେବା ଆଗରୁ ଏ କୀର୍ତ୍ତି ।’’ ପୁରୁଣା ଦେଉଳରେ ପୁରୁଣା ପାରା ସମାଜ, ମେଘ ପରି ଦେହର ବର୍ଣ୍ଣ, ମୟୂର କଣ୍ଠ ପରି ବେକ, ଘୁମୁରୁ ଥାଆନ୍ତି, କଳି କରୁ ଥାଆନ୍ତି, ଅନ୍ଧ ସନ୍ଧିରୁ ବି ଚିଁ ଚିଁ ପାଟି । ସେମାନେ ଦେଉଳ ସହିତ ଖାପି ଯାଆନ୍ତି-। ଅଲଗା ହୋଇ ଆଖିଦରଶା ହୁଅନ୍ତି ଖାଲି ସଞ୍ଜବୁଡ଼େ, ମଣିଷ ବିଲରୁ ବାଟରୁ ବାହୁଡ଼ି ଆସି ଗାଁରେ ଗହଳ କଲା ପରି ସେତେବେଳେ ସେ ପାରାମାନେ କୁଆଡ଼ୁ କୁଆଡ଼ୁ ଆସନ୍ତି, ଶୂନ୍ୟରେ ଲାଗି ରହେ ଝିଲିମିଲି ଝିଲିମିଲି ଦେଉଳ ଉପରେ ଛାଇ ହୋଇ ଯାଆନ୍ତି ।

ଭାତ ଖାଇସାରି ଦି’ପହରେ ପଶାପାଲି ଓ ଭାଙ୍ଗଘୋଟା ସରଞ୍ଜାମ ଘେନି ମିଶ୍ର ସାହିର ନଟ ଓ ତିଆଡ଼ି ସାହିର ଦଧି ସେ ଦେଉଳର ପୂର୍ବଆଡ଼ ପକା ପଥର ଚଟାଣ ପାଖେ ପହଞ୍ଚିଥାନ୍ତି । ବଉଳ ଗଛ ଛାଇ । ଆଗେ ସେଠି ଗାଁର ମହାଜନ ସଭା ବସୁଥିଲା, କଳି ଭଙ୍ଗା ହେଉଥିଲା, ନିଶାପ ହେଉଥିଲା, ଗାଁର ହାନି ଲାଭ ପଡ଼ୁଥିଲା । ସେ ଦିନ ଯାଇଛି । ଏବେ ଦି’ପହରେ ସେଠି କେତେଟା ଟୋକା ରୁଣ୍ଡ ହୋଇ ଭାଙ୍ଗ ବାଟି ପିଅନ୍ତି, ପଶା ଖେଳନ୍ତି, ଅଳସ ଗପ କରନ୍ତି, ତାସ ଖେଳନ୍ତି । ଭାଗରେ ଲାଗିଥିବା ଜମିରୁ ଆଠ ପଣି ଫସଲତ ସେମିତି ମିଳିଯାଏ, ତା ଉପରେ ନଡ଼ିଆ କୂଢ଼ରୁ ଭଲ ଆୟ, ବିନା ପରିଶ୍ରମରେ ଗଛ ଗୋଟିକେ ବର୍ଷକେ ତିରିଶି ଚାଳିଶି ଟଙ୍କା । ବଳକା ଲୁଣ ତେଲ ଖର୍ଚ୍ଚ ପାଇଁ କାହାରି କାହାରି କିଛି କିଛି ଯଜମାନୀ କାମ ଅଛି, ପୂଜା ବ୍ରତ ଥାଏ, ଗାଁ ଗଣ୍ଡାରେ ଅଳପେ ବହୁତେ ଭୋଜି ଭାତ ବି ହୁଏ । ଦେହ ମେହେନତ ନ କରି ପଇସାଟିଏ ବି ନ ଖଟେଇ ମୋଟା ହେଉ ସୋଟା ହେଉ ଖାଇ ପିଇ ଚଳିବା ପାଇଁ ନଡ଼ିଆ ଗଛ ଲଗାଇବା ଯୋଜନା ଆଗରୁ କେଉଁ ଦୂରଦର୍ଶୀ ପ୍ରପିତାମହମାନେ କରି ଯାଇଛନ୍ତି, ଏକଚେଟିଆ ବଜାୟ ରଖିବା ପାଇଁ କୋକୁଆ ଭୟ ବି କରି ଯାଇଛନ୍ତି, ଅନ୍ୟ କେହି ଲଗାଇଲେ ମୁର୍ଦ୍ଧନା ଫାଟିଯିବ, ନ ହେଲେ ଭାଗ୍ୟକୁ ଆହୁରି କିଛି ବାଧିକା ପଡ଼ିବ ।

ସୁସ୍ଥ ସବଳ ଯୁବକ ଦିହେଁ । ପେଟେ ଭୋଜନ ସରିଛି, ଛାଇତଳ, ନିଛାଟିଆ, ଗହଳି ହୋଇ ନଡ଼ିଆ ତୋଟା ଟାରା ଓ ଛାଇରେ ଚିତ୍ର କାବର, ପୋଖରୀରୁ ଉଷୁମିଳିଆ ବାସ୍ନା ଉଠି ଆସୁଛି । ନଟ ଟେଳାଏ ଗୁଡ଼ାଖୁ ଘଷୁଥାଏ, ମୁଣ୍ଡ ଆସ୍ତେ ଝାଙ୍କି ହେଉଥାଏ ।

ସେ ନଇଁପଡ଼ି ଅନାଇଁ ଦେଖିଲା ରକ୍ତଲଗା ପାରା ପରଗୁଡ଼ାଏ ଧାଡ଼ି ହୋଇ ଧୀରେ ଧୀରେ ଚାଲିଛି, ପିମ୍ପୁଡ଼ି ବୋହି ନେଉଛନ୍ତି । ଦିଶୁ ନାହାନ୍ତି ।

ସତେ ଯେମିତି ସେ ପକା ଚଟାଣରେ କ’ଣ ଦର୍ଶନ ତଥ୍ୟ ଲେଖା ହୋଇଛି, ସେ ପଢ଼ୁଛି, ଠିଆ ବସା ହୋଇ ତଳକୁ ଅନାଇଁ ରହି କହିଲା ‘‘ଜଡ଼ରେ ବି ଜୀବ ଅଛି ଜାଣ । ପାରାପଖି ହେଲା ଜଡ଼, ସେ ଚାଲୁଛି, ତେଣୁ ସେ ଜୀବ ।’’

ଦଧି କହିଲା ‘‘ଉହୁଁ’’ । ଜୀବରୁ ଜଡ଼, ଜଡ଼ ପୁଣି ଜୀବ । ଆଗ ଯେଉଁ ପାରାଟା ଥିଲା ସେ ଥିଲା ଜୀବ, ସେଉଠୁ ବାହାରିଲା ପଖିମାନେ ଜଡ଼, ବୋହିଲେ ପିମ୍ପୁଡ଼ି ହେଲା ଜୀବ । ୟେ ଲୀଳା କଲା କିଏ ?’’

ନଟ କହିଲା ‘‘ସେଇଆତ, ୟେ ଲୀଳା କଲା କିଏ ?’’

ଦଧି କହିଲା ‘‘ତେମେ ଭାବୁଥ, ମୁଁ ଏଣେ ସଜାଡ଼େ ।’’ ଅଗଛିଆ ଓପାଡ଼ି ଜାଗାଟି ଓଳେଇଲା, ପଶାପାଲି ଥୋଇଲା । ଗଡୁ ଥୋଇଲା । ଗଡୁରୁ ଗିଲାସ ଖୋଲିଲା । ଚଟାଣ କରରେ ଅରାଏ ଅଳ୍ପ ଢିପ, ସେଇଟା ସବୁ ଦିନେ ଭାଙ୍ଗ ବାଟିବା ଥାନ, ତଳେ ଖଣ୍ଡେ ଶିଳପୁଆ ପରି ଚିକଣ ଗୋଲ ପଥର ଅପେକ୍ଷା କରିଛି । ପାକେଲା ଗାମୁଛା । କାନିରୁ ପତି ଫିଟେଇଲା । ପାଣି ଢାଳିଲା । ଭାଙ୍ଗ ବାଟିବାକୁ ଆରମ୍ଭ କଲା । କହିଲା ‘‘କୁଆଡ଼େ ଗଲେ ସବୁ ?’’

ନଟ କହିଲା ‘‘ଭଲା ନଢ଼େଇ ଲାଗିଲା ।’’

ଦଧି କହିଲା ‘‘ଯିବ ?’’

ନଟ କହିଲା ‘‘ଆମୁକୁ ନବ କିଏ ?’’

ଦଧି କହିଲା ‘‘ହଟକୁ କିଏ ନଉଚି ?’’

ପାଟିରେ ଗୁଡ଼ାଖୁ, ମୁଣ୍ଡ ଭିତରେ ବଟା ଭାଙ୍ଗର ବାସ୍ନା, ନଟ ଦୋହଲି ଦୋହଲି କହିଲା ‘‘ମଲେ ଏ ଦଶା, ଜୀବଟା ହବ ଜଡ଼, ଜଡ଼କୁ ବୋହି ନେବାକୁ ଆସିବେ ଜୀବ ।’’ ଗୀତ ବୋଲିଲା ‘‘ମରିଗଲେ ପାଣି ପତ୍ରିଏ ପାଇବୁ ମଉଜ ପାଇବୁ କାହିଁରେଁ–ହାଏରେ ପାରା ।’’

ଦଧି ଭାଙ୍ଗବଟା ପାଖକୁ ଘୋଷା ଧରିଲା । ଯେମିତି ସେ ପୁରୁଣା ଲୋକଗୀତ ଧାଡ଼ିକରେ ମିଠା ଲାଗିଛି, ପାଟିରେ ଧରିଲେ ସୁଆଦ, ଦୁହେଁ ପ୍ରଚଣ୍ଡ ଚିତ୍କାର କରି ରଡ଼ି ଛାଡ଼ିଲେ ‘‘ମରିଗଲେ ପାଣି ପତ୍ରିଏ ପାଇବୁ ମଉଜ ପାଇବୁ କାହିଁରେ–’’

ସେହି ପାଟି ଶୁଣୁ ଶୁଣୁ ଆସି ପହଞ୍ଚିଲେ କୃଷ୍ଣ ମିଶ୍ର, କହିଲେ ‘‘କଣ ? ମଉଜ କରୁଛ ?’’

ଦିହେଁ ଦାନ୍ତ ନିକୁଟ ହସି ଠିଆ ହୋଇ ପଡ଼ିଲେ ।

କୃଷ୍ଣ ମିଶ୍ର ହସିଲେ ନାହିଁ । କହିଲେ ‘‘ତମର ଏ ଭାଙ୍ଗ ଆଉ ପଶା ଖେଳର ମଉଜ ସେମିତି ଚାଲିଥିବ ବୋଲି ଆଜି ଆମ ଦେଶରେ ଜୀବନକୁ ପାଣି ଛଡ଼ାଇ ଦେଇ ଶତ୍ରୁ ସଙ୍ଗରେ ଲଢ଼ିବା ପାଇଁ ହଜାର ହଜାର ଭେଣ୍ଡିଆ ଘର ଦୁଆର ଛାଡ଼ି ଲଢ଼େଇକି ଚାଲିଚନ୍ତି, କେତେ ଜଓ୍ୱାନ୍ ସେଠି ମରୁଚନ୍ତି, ନ ଆଗୁଳିଲେ ଦେଶ ଭିତରକୁ ଶତ୍ରୁ ପଶି ଆସିବ, ସେଇଥିପାଇଁ ।’’

ସେମାନେ ତୁନି ରହିଲେ ।

କୃଷ୍ଣ ମିଶ୍ରେ କହିଲେ ‘‘ସେମାନେ ଯେ ଜୀବନ ଦେଇ ବଳିଦାନ ଦେଉଛନ୍ତି, ୟେ ଦେଶ ଲୋକଙ୍କୁ ନିରାପଦ ରଖିବା ପାଇଁ ଜୀବନ ଆହୁତି ଦେଉଛନ୍ତି, ତାଙ୍କ ସଙ୍ଗରେ କେମିତି ଆମେ ତାଳ ରଖିବା ? ତାଙ୍କ ତ୍ୟାଗ ଲାଗି କେମିତି ତାଙ୍କ ପ୍ରତି କୃତଜ୍ଞତା ଦେଖାଇବା ? କ’ଣ କରି ସେ ତ୍ୟାଗର ଯୋଗ୍ୟ ହେବା ? ତୁମେ କହ ? ପଶା, ଆଉ ଭାଙ୍ଗ ଆଉ ନିଦ ଆଉ କଳି ?’’

 

ଦଧି ଆଉ ନଟ ପରସ୍ପର ମୁହଁକୁ ଅନାଅନି ହେଲେ, ଯିବାକୁ ବାହାରିଲେ । କୃଷ୍ଣ ମିଶ୍ରେ କହିଲେ ‘‘ଯାଉଚ କୁଆଡ଼େ ? ଆପଣା ମନକୁ ନ ବୁଝେଇ ପଳେଇ ପଳେଇ ବୁଲିଲେ କିଛି ଲାଭ ନାହିଁ । ଖାଲି ଏତିକି ଭାବ । ଉପରୁ ଧର୍ମ ଦେଖୁଚି । ଦେଶର ଜୀବନ ମରଣ ସନ୍ଧି ଘଡ଼ି । ଯେ ଆମ ପାଇଁ ସେ ଦୂର ଅପନ୍ତରାରେ ଶତ୍ରୁକୁ ଅଟକାଇବାକୁ ଅସ୍ତ୍ର ଧରି ପ୍ରାଣମୂର୍ଚ୍ଛା ହୋଇ ଲଢ଼ୁଚି ସେ ଆମରି ଭିତରୁ ଜଣେ, ସେଠିକି ଆମେ ଗଲୁ ନାଇଁ ଆମ ଭାଇ ଗଲା । ତେବେ ଆମେ ଯେ ଘରେ ରହିଲୁଁ ଆମେ ଭାଙ୍ଗ ଘୋଟିବୁଁ କି ତା ସାହାଯ୍ୟରେ ଲାଗିବୁଁ କି କ’ଣ କରିବୁଁ ସେଇଟା ତୁମେ ଭାବିବ କରିବ ଧର୍ମ ଦେଖିବ ।’’

 

ଦଧିର ପାଟି ଫିଟିଲା, କହିଲା, ‘‘ଠାକୁର ପୂଜା କରିବା ଆମ କାମ ଆମେ ଠାକୁରଙ୍କୁ ଡାକୁଚୁ ।’’

 

‘‘ସଞ୍ଜେ ସକାଳେ ଦିଥର ଠାକୁରଙ୍କୁ କହିଦେଇ ଦି ପହରେ ମଉଜ କରୁଚୁଁ, ଭଲ । ଶତ୍ରୁ ମାଡ଼ି ଆସୁଚି, ଠାକୁରେ ନ କରନ୍ତୁ ସିନା, ସତରେ ଯଦି ସେ ଆସନ୍ତା କ’ଣ ହୁଅନ୍ତା ତୁମେ ଭାବ, ଏଇ ମନେକର ଗାଁ ସେ ମୁଣ୍ଡେ ଲକ୍ଷ ଲକ୍ଷ ଶତ୍ରୁ, ତୋପ କମାଣ ଫୁଟେଇ ଦିଗ ଅନ୍ଧାର କରି ମାଡ଼ି ଆସୁଚନ୍ତି–’’

 

ତାଙ୍କ କଥାରେ ମୁହଁ ଆଖିର ଠାଣିରେ ଗୋଟାଏ ବିଭୀଷିକାର ଦୁଃସ୍ୱପ୍ନ ଆଙ୍କି ହୋଇଗଲା, ବିଳିବିଳେଇଲା ପରି ନଟ ପାଟିକଲା ‘‘ଏଁ !’’

 

ଦଧି ଫୁସ୍ ଫୁସ୍ କରି କହିଲା ‘‘ସମସ୍ତେ ତ କହନ୍ତି ଯେ ତୁମେ କ’ଣ ସବୁ ଜାଣ, ତମେ ତ ସାଧନା କର, ତମୁକୁ ତ ଦୃଶ୍ୟ ହୁଏ, କହ, ସତେରେ କ’ଣ ଏଇଆ ତମକୁ ଦିଶୁଚି ?’’

 

ତା କଥାରେ ଛାନିଆଁକୁ ଭ୍ରୂକ୍ଷେପ ନ କରି କୃଷ୍ଣ ମିଶ୍ର କହିଗଲେ, ‘‘ନା, କଦାପି ନୁହେଁ, ଗାଁରେ ତେମେ ଆମେ ସମସ୍ତେ ଥାଉ ଥାଉ କଦାପି ତା ହୋଇ ପାରିବ ନାହିଁ, ସବୁ ଆଗୁଳ ଭାଙ୍ଗିଦେଇ ଶତ୍ରୁ କଦାପି ମାଡ଼ି ଆସି ପାରିବ ନାହିଁ ଦେଶର ଏଡ଼େ ଭିତରକୁ ବୋଲି । ଅଧର୍ମର ପରାଜୟ ହେବ ନିଶ୍ଚେ । କିନ୍ତୁ ଯୁଦ୍ଧ ଯେତେବେଳେ ଲାଗିଚି, ହୁ ହୁ ହୋଇ ନିଆଁ ଯେତେବେଳେ ଜଳୁଚି, ଶତ୍ରୁ ଯେତେବେଳେ ଆମ ସୀମାନ୍ତ ଡେଇଁ ଏତେଆଡ଼େ ତିରିଶି ଚାଳିଶି କୋଶ ଭିତରକୁ ପଶି ଆସିଲାଣି, ଆହୁରି ମାଡ଼ି ଆସୁଛନ୍ତି, ଆମେ କ’ଣ ଖାଲି ଅଧର୍ମର ପରାଜୟ ଅନିର୍ବାର୍ଯ୍ୟ ବୋଲି କହିଦେଇ ଘରେ ବସି ରହିବା ନା ଘରେ ବସିଲେ କି ପଶା ପାଲି ମେଲେଇଲେ ଶତ୍ରୁ ପଳେଇବେ-?’’

 

ଏଥର ଦଧିର ସାହସ ପାଇଲା, ହସିଦେଇ କହିଲା ‘‘ଭାଗ୍ୟ ଟାଣ ଥିଲେ ଶତ୍ରୁ କେବେ ନ ହାରିବ ନୁହେଁ, ନିଶ୍ଚୟ ଭସ୍ମ ହେବ । ମଣିଷର କ’ଣ ଚାରା, ଭଗବାନ ମାରିବା ଲୋକ ତାରିବା ଲୋକ, ବ୍ରଜ ବାବାଜି ବୋଲେ ନାହିଁ ?

 

ଗବ ଗଛ ତିନି କେନା

ଶରଣ ଚରଣ ବାନା

ନେଉଥାଏ ଯେ ଦେଉଥାଏ ସେ

ପକା ଲୋ ସୁନ୍ଦରି ଦାନ୍

ତୋ ପାଇଁ ଲଢ଼ିବ ସେ’’

 

ନଟ କହିଲା ‘‘ଠିକ୍ କହିଲ । ତିନିକେନିଆ ଗବଗଛ ଉପରେ ଜଣକ ଖାଉନ୍ଦ ଛେଲୁଆ ଭିତରେ ତା ପେଇଁ ଗଣ୍ଡାଏ ଭାତ ଥୋଇଦିଏ, ସେ ଗୋରୁ ଜଗେ ସେଇ ଭାତକୁ ଖାଏ । ଦଇବ ଯୋଗକୁ ସେ ରାଜା ହେଲା, ରଜା ଝିଅକୁ ବାହା ହେଲା, ସେଇଠୁ କିଛି କଲା ନାଇଁ ଖାଲି ପଶା ଖେଳିଲା । ଶତ୍ରୁ ଆସି ତା ଗଡ଼ ଆକ୍ରମଣ କଲେ, ସେ ଚଂକିଲା ନାଇଁ, ରାଣୀକୁ କହିଲା ପକା ଦାନ୍, ତୋ ପାଇଁ ଠାକୁରେ ଲଢ଼ିବେ । ସେ ତ ରାଣୀ ସଙ୍ଗରେ ପଶା ଖେଳିଲା, ଏଣେ ଶତ୍ରୁଙ୍କ ଶର ବାଜି ଗଡ଼ର ପୁରୁଣା କାନ୍ଥରୁ ବିରୁଡ଼ି ବାହାରି କାମୁଡ଼ିଲେ ଯେ ସତକୁ ସତ ଶତ୍ରୁ ଛତରଛାଉଳ ହେଇ ପଳାଇଲା ।’’

 

କୃଷ୍ଣ ମିଶ୍ରେ କହିଲେ ‘‘ଓହୋ, ତମର ସେଇ ଅଟଳ ବିଶ୍ୱାସ ଅଛି ବୋଲି ପରା ତେମେ ସବୁ ଯୁଦ୍ଧ କଥା ମୁଣ୍ଡରେ ନ ପୂରେଇ ଭାଙ୍ଗ ଖାଇ ପଶା ଖେଳିବାକୁ ବସିଚ ! ଧନ୍ୟ ଧନ୍ୟ ! ସାକ୍ଷାତ୍ ଧ୍ରୁବ କି ପ୍ରହ୍ଲାଦ କି ଅଜାମିଳ !’’

 

ଦଧି କହିଲା ‘‘ନାଇଁ ନାଇଁ, ତା ନୁହେଁ ଯେ, ଯୁଦ୍ଧ ଛାଏଁ ଯୁଦ୍ଧ ହଉଚି, ଲଢ଼ିବା ଲୋକ ଲଢ଼ୁଚନ୍ତି, ଚାନ୍ଦାତ ଯାହାର ଯାହା ଶକ୍ତି ତା ଦିଆହେଲା, ଆଉ ଆମ ଦେଇ କ’ଣ ହବ କହୁନା ତୁମେ-?’’

 

କୃଷ୍ଣ ମିଶ୍ରେ କହିଲେ ‘‘ଏଇ ମଣିଷ ଦେଇତ ସବୁ ହେଉଚି, କାହା ଦେଇ କ’ଣ ହେବ ସେ କଥା ସେ ନିଜେ କହିବ ନା ତା ପେଇଁ ଆଉ କିଏ କହିବ ? ପୂର୍ବେ ଆମେ ହୋଇଥିଲୁଁ ସମାଜ ଭିତରେ ବଡ଼ ମଗଜ ବାଲା, କାହିଁକି ଲୋକେ ପାଦ ଧୋଇ ପାଣି ପିଉଥିଲେ ? ବୁଦ୍ଧି ଚାଷ କରିବା ଛଡା ଆମୁକୁ ଆଉ କିଛି ଜଞ୍ଜାଳ ପଡ଼ିବ ନାଇଁ ବୋଲି ଆମ ପାଇଁ ଛତିଶା ନିଯୋଗ ଖଞ୍ଜି ଦେଇଥିଲେ ? ବିପଦ ପଡ଼ିଲେ ରଜା ବି ଧାଇଁ ଆସୁଥିଲା ଆମ ଦୁଆରକୁ କାହିଁକି ନା ଉପାୟ ବତେଇବୁ ଆମେ, ବାଟ କଢ଼େଇବୁ ଆମେ । ଅଇଛାତ ଖତୁ ସୋଇଁଠି ଯେଉଁ ବିଚାର ବୁଦ୍ଧି ଆମୁକୁ ତା ଦିଶୁନାଇଁ । ଆଖର ଘଡ଼ି ଯେତେବେଳେ ପଡ଼ିଚି, ଆମ ଦେଶର ଏତେ କଷ୍ଟରେ ଅରଜିଥିବା ସ୍ୱାଧୀନତା ଯେତେବେଳେ ବିପନ୍ନ, ଯେତେବେଳେ ସାମାନ୍ୟ ଗୁଣ୍ଡୁଚି ମୂଷା ସୁଦ୍ଧା ତାକୁ ଯାହା ଦିଶୁଛି ଦେଶପାଇଁ ତା କରି ଯାଉଛି ସେତେବେଳେ ଆମେ କୁଆଡୁ କିଛି ନ କରି ଆପଣା ସ୍ୱାର୍ଥ ଆପଣା ମଉଜ ନେଇ ବସିଥିବା ଆଉ ଭାଗ୍ୟ, ଦୈବ, ଅଲୌକିକ ଶକ୍ତିର ଦ୍ୱାହି ଦେଇ ମିଛ ସତ କରି ଫାନ୍ଦି ଫାନ୍ଦି ଲୋକଙ୍କ ମନକୁ ଭୁଲାଇଲା ଭଳି ଗୁଡ଼ାଏ କଥା ଗପୁଥିବା ତାକୁ ଶୁଣିବ କିଏ ମାନିବ କିଏ ? ମନକୁମନ ଭାବ, ଗାଁ ସେ ମୁଣ୍ଡରେ ଜାଣ ଶତ୍ରୁ ଆସି ଛାଉଣି ପକାଇଲାଣି, ତା ଚୁଲିରୁ ଧୁଆଁ ଦିଶିଲାଣି, ତାକୁ ତଡିବାକୁ ଉପାୟ କରିବା ନା ବସି ବସି ଚାହିଁଥିବା ? ଯେମିତି ସେ ଆସି ସମସ୍ତିଙ୍କ ତଣ୍ଟି କାଟିବ, ସତେରେ ସେ ଆସିଲାଣି ତ, ଖାଲି ଆମ ପଡ଼ିଶା ଗାଁଟାର ନାଁ ରଗଡ଼ି ନହୋଇ ଧର ହେଇଥାନ୍ତା ତାଉଆଙ୍ଗ କି ଜଙ୍ଗ କି ସେମିତି ଆଉ କ’ଣ କିଟିମିଟିଆ । ଆମ ହିମାଳୟ ପାହାଡ଼, ଆମ ଦେଶର ପାଚିରି, ତା ସନ୍ଧିରେ ଫୁଟି ଶତ୍ରୁ ଆସି ଦେଶ ଭିତରେ ହାଜର, ଏ କ’ଣ କୋଉ ପୁରାଣ କଥା ନା ମାଦଳା ପାଞ୍ଜି କଥା ? ୟେ ଆଜିର କଥା, ଏଇଲେ ଯାହା ଘଟୁଚି । ଶତ୍ରୁକୁ ତଡ଼ି ପାରିଲେ ଦେଶକୁ ତା ଦାଉରୁ ବଞ୍ଚେଇ ପାରିଲେ ତେବେ ଯାଇ ଆମ ସମସ୍ତିଙ୍କ ଜୀବନରେ ଥାଇତା, ତେବେ ଯାଇ ଫୁରୁସତ ମିଳିବ, ତା ନ କରି ଯେ ଆଖି ବୁଜି ବସି ମଉଜ କରିବ କି ମାଳା ଗଡ଼େଇବ ସେଇଟା ମଣିଷ କି ପଶୁ ? କ’ଣ ସେ ?’’

 

କୃଷ୍ଣ ମିଶ୍ର ଚାଲିଗଲେ ।

 

ଦଧି ଓ ନଟ ଗୁମ୍ ହୋଇ ଠିଆହୋଇ ରହିଲେ ।

 

ନଡ଼ିଆ ବାହୁଙ୍ଗା ଉପରେ ଆଲୁଅ ଛାଇ ନିତି ଦିନର ନିର୍ଭର ଆଶ୍ୱାସ ଖେଳାଇ ଝଲ ଝଲୋଉଥିଲା ଚଢ଼େଇ କୁଟୁରୁ ମୁଟୁରୁ ହେଉଥିଲେ, ଗହଳି ଗଛ ବୁରୁଛ ତଳେ ଛପିଗଲା ପରି ଏଇ ଯେଉଁ ଧାଉଡ଼ି ଧାଉଡ଼ି ଘର, କେଉଁଟା ଅଧା ଅଧା ଦିଶୁଛି କେଉଁଟା ନାହିଁ, ଏ ଗାଁ ତରତର ଛଟପଟ ହଟଚମକ ଖୋଜିନାହିଁ, ନିଧଡ଼କ ଆଶ୍ରୟର ମାୟା ଲଗାଇ ମଣିଷକୁ ସ୍ନେହରେ ବାନ୍ଧି ରଖିଛି । ଏଠି ସରଳ ଆଳସ୍ୟରେ ମଉଜ୍ କରିବା ପାଇଁ ବେଳ ଥିଲା ବାହୁନିବା ପାଇଁ ବେଳ ଥିଲା, ଘରେ ଖାଇବାକୁ ଥାଉ ନ ଥାଉ ପଲା ଖଣ୍ଡେ ହେଉ ପଛେ, ଘର ଥିଲା, ବିଶ୍ୱାସ ଥିଲା ଯେ ଦଇବର ଚଡ଼କ ରୋଗ କି ଅପଘାତରେ ନ ମଲେ ଯେ ଆଜି ଅଛି କାଲି ବି ସେ ଥିବ, କାଁ ଭାଁ କାହା ଅଦୋଉତି କି ଖଣ୍ଟପଣ ଛାଡ଼ିଦେଲେ ବିଶ୍ୱାସ ଥିଲା ଯେ ଯାହାଘରେ ଯାହା ଅଛି ତା ପାଇଁ ତା ରହିଥିବ ।

 

ଆଉ ହଠାତ୍ ଯେମିତି ପାଣି ଖରା ଉଭେଇ ଗଲା, ମେଘ ବିଜୁଳିରେ ଚାରିଆଡ଼ ଅନ୍ଧାର ବିଲ୍‌ବିଲ୍ ହୋଇଗଲା, ମୁଣ୍ଡରେ ଭାଳେଣି ପଶିଗଲା ।

 

ଏଇ ଚିହ୍ନାର ଜଣାର ଚଉଦପୁରୁଷି ମାଟି ହଠାତ୍ ଯେମିତି ଅଚିହ୍ନା ହୋଇଯାଇ ପଚାରିଲା ‘‘ମଣିଷ, କୋଉଠି ତୁମର ଘର ?’’

 

କରୁଣ ଉଦାସ ସ୍ୱରରେ ନଟ କହିଲା ‘‘ସତ କହିଗଲା’’

 

ଦଧି କହିଲା ‘‘ହୁଁ ।’’

 

ନଟ କହିଲା ‘‘ଭାବୁଚ କ’ଣ ? ମରିବାକୁ ପଡ଼ିଲେ ଆମେ ଖାଲି ଭଗାରି ଚୋଟକୁ ବେକ ଦେଖାଇ ଦେଇ ମରିବା ? ନା, ଏ ଦେହରେ ଟୋପାଏ ରକ୍ତ ଥିବା ଯାକେ–’’

 

ଦଧି କହିଲା ‘‘କିଛି ନଭାବି ଶୋଇ ପଡ଼ିବା ଯାହା ଖାଲି ନିଜ ମନକୁ ବୋଧ ଦେବାକୁ ସାହି ପଡ଼ିଶାଙ୍କୁ ଶୁଣେଇ ଶୁଣେଇ ଏସା କରେଗା ତେସା କରିବା କହି ବାତ୍‌ଫୁର୍ତ୍ତି କରିବା ବି ସେଇଆ ।’’

 

ଦିହେଁ ଗୁମ୍ ହୋଇ ରହିଲେ ।

 

ସେହି ଅଳସ ଦ୍ୱିପହର ବେଳରେ କେଉଁ ଛୁଟୁକାରେ କୃଷ୍ଣ ମିଶ୍ରଙ୍କ ଅଧା ଝିଙ୍ଗାସ ଅଧା ମତାଣିଆ କଥାଗୁଡ଼ାକ ସେମାନଙ୍କ ମୁଣ୍ଡ ଭିତରେ ପଶି ଯାଇଥିଲା, ଅତଳ ତଳ ଉଖାରୁ ଥିଲା ଘଣ୍ଟୁଥିଲା । କହିବା ଲୋକ କହିଦେଇ ଚାଲିଗଲା, ସେ ରୂପ ଆଉ ମନେ ନାହିଁ, କି କଥା ପରେ କି କଥା କହିଗଲା, ଅବିକଳ କ’ଣ କହିଗଲା ସେ କଥା ବି ମନେ ନାହିଁ, ସବୁ ଏକାଠି ହୋଇ ଗୋଟାଏ ଭାବର ଉଚ୍ଛ୍ୱାସ, ତା ମଞ୍ଜରେ ଅଛି ଗୋଟାଏ ନୂଆ ଚେତା । ନୂଆ ଭାବର ସଙ୍ଗୀତ ପରି ସେ ଯେମିତି ଆକାଶରୁ ଶୁଭୁଛି, ମାଟିରୁ ଶୁଭୁଛି, ଆପଣା ଭିତରୁ କ’ଣ ଗୋଟାଏ ନୂଆ ବ୍ୟକ୍ତିତ୍ୱ ଯେପରିକି ପୁରୁଣାଟାକୁ ଫାଡ଼ି ଫଟାଇ ବାହାରିବାକୁ ଝାଙ୍କି ହେଉଛି, ସେଥିରେ ନୂଆ ଚମକ ଆଉ ନୂଆ ଯନ୍ତ୍ରଣାର ଉଲ୍ଲାସ ।

 

ନଟ କହିଲା ‘‘ବାତ୍‌ଫୁର୍ସିତ ଦିହାତ ଯାକ କଲେଇଁ, ଆଉ ସେଗୁଡ଼ା କ’ଣ ? ଯିବାତ ଯିବା । ନଯିବା କାଇଁକି ? ଛାର ଜୀବନକୁ ଡର ଅଛି ବୋଲି ତ ? ଜୀବନକୁ କାଞ୍ଜି କଣରେ ଲୁଚେଇଥିବା କ’ଣ କାହା ଜୋତା ସଫା କରିବା ବୋଲି ? ସେ ଯେ ଥାଟ ଚଳେଇ ମାରି କାଟି ପୋଡ଼ି ଜାଳି ଏକାକାର କରିବାକୁ ମାଡ଼ି ଆସୁଚି ସେ ଏ ଦେଶ ମଣିଷଙ୍କୁ ଚିହ୍ନି ନାଇଁ । ସେ ଏ ଯୋଉ ଯୁଦ୍ଧର ନିଆଁ ଲଗେଇଲା ସେ ଖାଲି କମ୍‌ହାର ଶାଳର ଭାଟି, ସବୁ ଲୁହା ସେଥିରେ ଆଉଟି ହୋଇ ଗୋଟାଏ ହେବ, କୋଉଟା ସାନ କୋଉଟା ବଡ଼ କୋଉଟା ଦର୍‌ହ କୋଉଟା ଭଙ୍ଗା, ସବୁ ଏକାଠି । ହେଲାଣି ତ, ଦେଖୁନା କେତେ ଲୋକ ଯାଉଚନ୍ତି, କେତେ ଲୋକ କେତେ କ’ଣ ଦଉଚନ୍ତି, ମାଇପେ ହାତରୁ ଖଡୁ କାଚ ଓହ୍ଲେଇ ଦଉଚନ୍ତି । ଆମର କେତେ ରାଇଜ କେତେ ବୋଲି କେତେ ଜାତି, ଅଇଛା ସବୁ ଗୋଟାଏ ହୋଇଗଲା । କେଡ଼େ ମେଳଣ ! କେଡ଼େ ମେଣ୍ଟ ! ମରମ ଭିତରେ ଡକରା ଶୁଣୁନା ? ଏ ବାଗ କିଏ ଛାଡ଼େ ? ମୁଁ ଯୁଦ୍ଧକୁ ଯିବି ।’’

 

ତାର ଗମ୍ଭୀର ମୁହଁ, ଅପଲକ ଆଖି, ମହଁ ଡେରିଦେଇ ମୁଣ୍ଡରେ ପାପୁଲି ଭରା ଦେଇ ନଟ ଦୂରକୁ ଅନାଇଁ ବସିଥିଲା । ଦଧି ତା ମୁହଁକୁ ଚାହିଁଥାଏ । ତା ଛାତି ଦମ ଦମ ପଡ଼ୁଥାଏ । ନିଶ୍ୱାସ ତରତର । କହିଲା ‘‘ସତେ ଯିବ ?’’

 

ନଟ କହିଲା ‘‘ସେମାନେ ଚିହ୍ନି ନାହାନ୍ତି । ଭାବିଚନ୍ତି ଏ ଦେଶରେ ମଣିଷ ନାହାନ୍ତି । ଅଛନ୍ତି । ଗାଁ ଗାଁକେ ଅଛନ୍ତି । ମନରେ ଛଳ ପଶିଗଲେ ସେମାନେ ଜୀବନକୁ ଛି’ କରିଦେଇ ସିଂହ ପରି ଠିଆ ହୋଇ ପଡ଼ନ୍ତି । ଆଉ ଡରେଇବ ସେ ଶକ୍ତି କାହାର ଅଛି ? ଇଙ୍ଗ୍ରେଜ୍ ଗଲେ, ରାଜା ଜମିଦାର ଗାଦି ଛାଡ଼ିଲେ, ଆମ ଦେଶ ସ୍ୱାଧୀନ ହେଲା, ଜଗତଯାକ ତା ନାଁ ଉଡ଼ିଲା, ମହାତ୍ମା ଗାନ୍ଧୀ ଜୀବନ ବଳିଦାନ ଦେଲେ । ଏ ସବୁ ହେଲା କ’ଣ ଆମର ଏଡ଼େ ପବିତ୍ର ଦେଶ କୋଉ ଶତ୍ରୁର ଖେଳେଣା କଣ୍ଢେଇ କି ଫୁଲୁକମ ହେବ ବୋଲି ? ନାଇଁ ନାଇଁ, ଏ ଜୀବନ ଥାଉ ଥାଉ ଶତ୍ରୁକୁ ପୂରେଇ ଦେବାନାହିଁ ଆମ ହାଣ୍ଡିକୁଣ୍ଢି ମାରା କରିବାକୁ, ଆମ ଦେଉଳ ଆମ ମଶାଣି ସବୁ ଅପବିତ୍ର କରିବାକୁ । ମାଇପେ ବି ଏ ଦେଶରେ ଅସ୍ତ୍ର ଧରିବେ, ସାନ ପିଲା ବି ଅସ୍ତ୍ର ଧରିବେ । ଏଡ଼େ ଅପମାନ ଏ ଦେଶର ଲୋକ ସହିବେ ନାଇଁ, ବାପ ଅଜାଙ୍କ ନାଁ ଆପଣା ଜନମ ମାଟିର ଟେକ ଆପଣା ଆପଣା ଉଞ୍ଚ ମୁଣ୍ଡ ତଳକୁ ପକାଇବାକୁ ଦେବେ ନାଇଁ କେହି । ଏଠି ମୁଁ କାହାର କି କାମରେ ଲାଗୁଚି ? ସେଠି ମୋ ଦେଇ ବି କିଛି ହୋଇ ପାରିବ । ଏତେବେଳେ ନ ଗଲେ କେତେବେଳେ ଆଉ ଯିବା ? ପତିଆରା ରଖୁନାଇଁ, ଯିବି ନା ଯିବି ।’’

 

ଦଧି କହିଲା, ‘‘ପ୍ରତିଜ୍ଞା ?’’

 

ନଟ କହିଲା ‘‘ପ୍ରତିଜ୍ଞା ।’’

 

ଦଧି କହିଲା ‘‘ତେବେ ସେଇଆ ହେଲା । ତମ ସାଙ୍ଗରେ ମୁଁ ବି ।’’

 

ନଟ କହିଲା ‘‘ଓଧ ସାଙ୍ଗରେ ବଣ ଭୁଆ ।’’

 

ଦଧି କହିଲା ‘‘କାହିଁକି ?’’

 

‘‘ତମର ବୋଉ, ନାନୀ, ସାନ ଭାଇ, ତୁମେ କ’ଣ ମୋ ପରିକା ?’’

 

ଦଧି କହିଲା ‘‘ତମର ବି ତ ସମସ୍ତେ ଅଛନ୍ତି, ତମ ବୋଉ, ତମ ବଟ ଭାଇନା, ଭାଉଜ ଅଛି, ପୁଆଣି ହୋଇନା ସିନା ବାପ ଘରେ ଭୂଆଷୁଣୀ ଅଛି–’’

 

ନଟ କହିଲା ‘‘କେହି ନାହାନ୍ତି ଏମିତି ଲୋକଟିଏ ସଂସାରରେ ଦେଖିଚ ? ତା ବୋଲି କ’ଣ କରିବା ? ଦେଶ ଲାଗି ଏ ଯୋଉ ନିମିତ୍ତଟି ଆସିଲା ସେ କ’ଣ କାହାରି ଜଣକର ? ୟେ ସମସ୍ତିଙ୍କର । ସମସ୍ତେ କାନ୍ଧ ନ ଲଗେଇଲେ ୟେ ବୋଝ କେମିତି ଟେକି ହେବ ? ସକେଇ ହେବା ଲୋକ ସକେଇ ହେବ ଦିନେ କି ଦି ଦିନ କି ଦି ବର୍ଷ । ତାକୁ ଡରି କତରା ଘୋରି ହୋଇ ପଡ଼ି ରହିଲେ କାହାଦ୍ୱାରା କି କାମଟା କରି ହେବ ?’’

 

ଦଧି କହିଲା ‘‘ସେମିତି । ତମ ମନ ଯେମିତି ହେଉଚି ମୋ ମନ ବି ସେମିତି ।’’

 

ନଟ କହିଲା ‘‘ସମସ୍ତେ ଖାଲି ଯୁଦ୍ଧ କରିବାକୁ ଧାଇଁଲେ ଗାଁ ସମ୍ଭାଳିବ କିଏ ? ଏଠା କାମ ସେଠିକୁ ବଳେଇଚି । ଲଢ଼େଇ ବେଳ, ଗାଁରେ ସବୁ କଳି ଗୋଳ ତୁଟେଇ ସମସ୍ତିଙ୍କ ମନ ଫଟା ଫଟିକୁ ଯୋଡ଼ି ଏକାଠି କରି ସମସ୍ତଙ୍କୁ କାମରେ ଲଗାଇବାକୁ ପଡ଼ିବ । ଅଇଛା ଫସଲ କରିବେ ଜିନିଷ ଗଢ଼ିବେ, ଦରକାର ପଡ଼ିଲେ ହତିଆର ଧରିବେ, ଯେତେ ଯାହା ହେଲେ ବି ବାଉଳା ଚାଉଳା ହେବେ ନାହିଁ, ଦମ୍ଭ ହୋଇ ଠିଆ ହେବେ । ଅଇଛା ତୋର ମୋର ନାଇଁ, ବାଦ ହିଂସା ନାହିଁ, ଜାତି ଅଜାତି ନାଇଁ, ଗାଁ ଯାକଙ୍କର ସତେ ଯେମିତି ଗୋଟାଏ ହାଣ୍ଡି, ଏକା ସେଣି, ଏକା ଘର । ଏଡ଼େ ବଡ଼ କାମ କରେଇବ କିଏ ?’’

 

ଦଧି କହିଲା ‘‘ଏ କାମର ପତିଆରା ଦେଖାଇ ଘରେ ଲାଙ୍ଗୁଡ଼େଇ ହେଲେ ବି ପଉରୁଷ ହାନି, ଆମେ ଆଗ ଜୀବନକୁ ପାଣି ଛଡ଼େଇ ଦେଇ ନାଁ ଲେଖାଇବା, ସେଉଠୁ ସେମାନେ ଯେଉଁ କାମକୁ ବରଗିବେ ସେ କାମ କରିବା । ଆଗ ନିଜର ସବୁ ମାୟା ମମତା ସୁସ୍ଥି ଘରପଶାପଣ ଆହୁତି ହୋଇଯାଉ, ନିଜକୁ ନୈବେଦ୍ୟ ପରି ଆମେ ଅର୍ପଣ କରିଦଉଁ ଲଢ଼େଇ କାମ ଶିଖିଯାଉଁ, ସେଉଠୁ ଯେଉଁ କାମରେ ବରଗିବେ ସେ କାମ କରିବା, କହିବେ ଗାଁକୁ ଯାଇ ତାଷ କର, କରିବା । କହିବେ ଗାଁରେ ବସି କଳି ଭାଙ୍ଗ ମନ ମିଳାଅ ସେତେବେଳେ ତା କରିବା । ପୁଣି କେତେବେଳେ ଡାକିବେ ଲଢ଼େଇ କରିବ ବାହାରି ଆସ, ଯିବା । ଆଗ ତାଲିମ୍ ହଉ ହଉ କେତେ ଦିନ ଯାଉଛି ଦେଖ । ଆଉ ମାଣ୍ଟେଇବା କାମ ନାହିଁ । ଆଲୁଅ ଫିଟିଲା, ବାଟ ଦିଶିଲା, ଆମେ ବାହାରିବୁ । ରହିଲେ ଯେମାନେ ଗାଁ କାମ ତୁଲାନ୍ତୁ, ଯେମିତି ଆମ କୃଷ୍ଣ ଭାଇନା, କହି ପୋଛି ବୁଝେଇ ପାରିବ, ତା’ର ସେ ଦକ୍ଷତା ଅଛି ।’’

 

ନଟ କହିଲା ‘‘ଆଗେ ତ ସେ ଅଲୌକିକ ଶକ୍ତି ଖୋଜୁଥିଲା, ଭାବୁଥିଲା ସେ ବି ଦିନେ ଜପ ତପ କରି ଚଇଁ ମିଶ୍ର ପରି ହୋଇଯିବ । କହୁଥିଲା ମନ୍ତ୍ରବଳ ଅସଲ, କାଇଁଶ ଡାଙ୍ଗ ଖଣ୍ଡେ ମନ୍ତୁରେଇ ଛାଡ଼ିଦେଲେ ସେ ସୁଦର୍ଶନ ଚକ୍ରକୁ ହଟାଇ ଦେଉଥିଲା, ଢିଙ୍କି ଉପରେ ବସି ନାରଦ ଋଷି କେତେ ମଣ୍ଡଳ କେତେ ଲୋକ ବୁଲି ଆସି ପାରୁଥିଲେ, ଅଇଛା ମନ୍ତ୍ର ନ ଜାଣିବାରୁ ଲୋକେ ଯନ୍ତ୍ରରେ ମନ ଦେଉଛନ୍ତି ଯେ ସେ ବି ସେଡ଼େ କାମ କରି ପାରୁନାଇଁ । କହ, କୃଷ୍ଣ ଭାଇନା କହୁଥିଲା କି ନାଇଁ ?’’

 

ଦଧି କହିଲା ‘‘କହୁଥିଲା । ତେବେ ହସ କଥା ନୁହେଁ । ଅଲୌକିକ ଶକ୍ତି କୋଉଠି ଅଛି ଏଥର ବୋଧହୁଏ ସେ ଠିକଣା କଲାଣି । ଶକ୍ତିଟା ଏଇ ମଣିଷ ଭିତରେ ଅଛି, ସେ ଆପେ ଚିହ୍ନିଲା ବୋଲି ତ ପରକୁ ଚିହ୍ନେଇ ପାରିଲା । ନଇଲେ ଦେଖୁନା, ଆମେ କ’ଣ ଖାଇପିଇ ସାରି ଆଜି ଏଠିକି ଆସିଥିଲୁଁ ଯୁଦ୍ଧକୁ ଯିବୁଁ ବୋଲି ବିଛଣା ପତ୍ର ସଜାଡ଼ିବା ପାଇଁ ? ତା ମୁହଁ ଆଖି ଯେମିତି ଦିଶୁଥିଲା ମତେ ତ ଲାଗୁଛି ଆମେ ଅଧବାଟରେ ଥିବୁଁ କି ତାଲିମ ହେଉଥିବୁଁ ସେ ବି ଯାଇ ପହଞ୍ଚିଯିବ । ଆଉ କେତେ କେତେ ମଣିଷ ଯାଇ ପହଞ୍ଚିବେ ।’’

 

ନଟ କହିଲା ‘‘ଆମେ ଗଲେ ଗାଁ ଲୋକ କ’ଣ କହିବେ ! କହିବେ ଦେଖ !’’

 

ଦଧି କହିଲା ‘‘କହିବେ ତ । ଯେ ଯାଉଚି ତା ପାଇଁ କହୁଚନ୍ତି, ଆମ ପାଇଁ କହିବେ । କଥାଯା କେଡ଼େ ବିଚିତ୍ର ଆଗେ ଦେଖ । ଯିବା ଲୋକ ଏମିତି ଯାଏ । ମଣିଷ ମାଟି ମେଦ ହୋଇ ଥାଏ ଥାଏ, ଯେ ଦେଖେ କହେ ମାଟି ମେଦ । ଦିନେ ଦେଖିଲା ବେଳକୁ ତା ଭିତରେ ଜୀବନ ଖେଳିଯାଏ, ତା’ର ଚକ୍ଷୁଲାଭ ହୋଇଯାଏ । ଖମ୍ବ ଭିତରୁ ନରସିଂହ ରୂପ ଏମିତି ବାହାରନ୍ତି, ନ ବାହାରିବା ଯାକେ ଖମ୍ବଟା ଖମ୍ବ, ଆଉ କିଛି ନୁହେଁ ।’’

 

ନଟ କହିଲା ‘‘ଯେ ବିପଦ ଦିଏ, ଖମ୍ବ ଭିତରୁ ନରସିଂହ ଅବତାର ସେଇ ପୁଣି ବାହାର କରାଏ, ବିଧାତାଙ୍କର ସେଇଆ ବୋଧହୁଏ ଅଭିଳାଷ ଥିଲା, ନ ହେଲେ ତୁମ ଆମ ଭଳି ଲୋକଙ୍କର ଏ ଭାଗ୍ୟ ହୁଅନ୍ତା ?’’

 

ଦଧି କହିଲା ‘‘ଶତ୍ରୁ ଦେଖି ଦେଖି ମନେ ମନେ ଭାବୁଥିଲା, ଏ ଦେଶରେ ଖାଲି ଖୁଣ୍ଟ ମାଳ ମାଳ, ମଣିଷ ନାହାନ୍ତି, ସେ ହେରେମା ପଣରେ ଆସି ଚୋଟ ହାଣିଲା, ମଣିଷତ ଦେଖୁଚି, ନରସିଂହ ବି ଦେଖିବ । ଛାଡ଼, ଅଇଚ୍ଛା କାମ । ଆମେ ପାଟି କରିବା ନାଇଁ ଆମେ କାମ କଲେ କାମ ବଳେ ଆମ ପାଇଁ ଚହଳ ପକାଇବ । ଆଜି ଏଇଠି ପୁରୁଣା ଜୀବନକୁ ବିସର୍ଜନ, ଏଇ ଦେଉଳ ରହିଲା ସାକ୍ଷୀ ।’’

 

ଦଧି ପଶାପାଲି ଚଉତେଇଲା, ପୋଖରୀ କୁଳକୁ ଯାଇ ବୁଲେଇ ବୁଲେଇ ତାକୁ ପାଣିକି ପକାଇ ଦେଲା । ନଟ ଦେଖୁଥାଏ । ତା ଛାତି ଚାଉଁ କଲା । ତା ପରେ ତା’ର ଅନ୍ତର ଭିତରେ ଖେଳିଲା ନୂଆ ପୁଲକ । ଆଖି ଆଗରେ ଅଜଣା ଦୃଶ୍ୟ ଦିଶି ଦିଶି ଗଲା । ମହାମେଳଣ ପରି ବିରାଟ ଦଳ ଚାଲିଛି, ସେଥିରେ ଚାଲିଛନ୍ତି ସେ ଆଉ ଦଧି । ପଛକୁ ଚାହୁଁ ନାହିଁ । ବାଁକୁ ଡାହାଣକୁ ଚାହୁଁ ନାହିଁ । ଖାଲି ଆଗକୁ, ଆଗକୁ । ଧର୍ମ ଯୁଦ୍ଧରେ ଆଗୁଆ ସୈନିକ । ତା ବାଟ ଚାହିଁ ରହିଥିବେ ତା ବୋଉ, ତା ବଡ଼ ଭାଇ ବଟ, ତା ଭାଉଜ । ଶଶୁର ଘରେ ତା ସ୍ତ୍ରୀ ସୌଦାମିନୀ । ତା ଗାଁ । ତା ଦେଶବାସୀ । ତା ପାଇଁ ଠାକୁର ଘରେ ଦୀପ ଜଳୁଥିବ, ମାନସିକ ଯଚା ହୋଇଥିବ, ପାଣି ଲାଗୀ ହେଉଥିବ, ଅଭିଷେକ ହେଉଥିବ । ବାହୁଡ଼ିଲେ ସେ ହେବ ବୀର, ନ ବାହୁଡ଼ିଲେ ସେ ହେବ ପୁରାଣର କାହାଣୀ ପରି, ଯୁଗ ପରେ ଯୁଗ ବୋହିଯିବ । ବୁଢ଼ା ବୁଢ଼ୀମାନେ ନାତି ନାତୁଣୀଙ୍କୁ କହୁଥିବେ–ଏଇ ଗାଁରେ ଥିଲେ ବୀରମାନେ, ନଟିଆ, ହଟିଆ, ଦଧିଆ । ଖେଳୁଥିଲେ ବୁଲୁଥିଲେ, ଜନନୀ ଜନ୍ମଭୂମିର ଡାକ ଶୁଣି ବସିଲାଠୁଁ ଉଠି ଚାଲିଗଲେ । ଦୋଦାପାଞ୍ଚ ନାହିଁ, ଆଡ଼ମ୍ବର ନାହିଁ, ଲୋକ ଯେମିତି ବିଲକୁ ଯାଏ କି ଖଳାକୁ ଯାଏ ସେମିତି ସହଜ ସାଧାରଣ ହୋଇ ସେମାନେ ଚାଲିଗଲେ ।

 

ଆଉ କଥା ଭାଷା ନାହିଁ, ସେମାନେ ଘରକୁ ଗଲେ । ଲମ୍ବ ଲମ୍ବ ଛାଇ ଧାର ଘୋରିହୋଇ ପୁରୁଣା ଚଟାଣଟା ପଡ଼ି ରହିଲା । ସତେକି ସେ ଦେଖି ଦେଖିନାହିଁ, ଶୁଣି ଶୁଣିନାହିଁ କେମିତି ସେଠି ଯାଡ଼ିଏ ମଣିଷ ଜୀବନ ଆଖି ପିଛୁଡ଼ାକେ ନୂଆ ହୋଇ ଜନ୍ମ ହେଲା, ମୋଡ଼ ବୁଲିଲା, ସ୍ପଷ୍ଟ ବାଟ ଧରିଲା ।

 

ଦେଶ ଉପରକୁ ଅନହୁତି ବିପଦ ଘୋଟି ଆସିଛି, ବାହାରେ ଶୀତ କାକର । ଭିତରେ ଚହଟିଛି ଉଷୁମ୍ । ସେହି ଉଷୁମ୍‌ରେ ସତେ ଯେମିତି କାଉନ୍ଦା ମାଟି ଭିତରୁ କେତେଠି କେତେ ଗଜା ବାହାରୁଛି, ସେମାନେ ଅବନା, ପୁଣି ଅସୁମାରି ।

 

ମଦନ ଓଝାର ଶାଳ ପଞ୍ଝାଏ ମଣିଷ ବେଢ଼ିଛନ୍ତି । ଶୁଖିଲା ସରୁଆ ବାଙ୍ଗର ହୋଇ ମଣିଷଟିଏ ମଦନ ଓଝା, ଗୋଲ ମୁଣ୍ଡଟିଏ, ସେଠୁ ପୁଳିଏ ପୁଳିଏ ବାଳ ଉଠି ଯାଇଛି, ଯାହା ଅଛି ତା ଅଧେ କଞ୍ଚା ଅଧେ ପାକେଲା । ମଦନ ଓଝା ହାତୁଡ଼ି ଧରି କ’ଣ ପିଟା ପିଟି କରୁଛି, ମଝିରେ ମଝିରେ ପଦେ ପଦେ କଥା କହୁଛି । ସମସ୍ତେ ତା ହାତ କାମ ଆଡ଼କୁ ତୀକ୍ଷ୍‌ଣ ଦୃଷ୍ଟିରେ ଅନାଇ ରହିଛନ୍ତି । ତେଣେ ନାଲି ଚହଟିଛି, ଭାଟିର ରଡ଼ ନିଆଁରେ ଖଣ୍ଡେ ଲୁହା ତାତୁଛି ।

 

‘‘ସତେରେ ୟେ ହବ କିଛି ତୁମେ ଭାବୁଚ ?’’ ରଘୁ ମିଶ୍ର ମଦନ ଓଝାକୁ ପଚାରିଲା ।

 

‘‘ହେଇ ସାରିଲେ କହିବି । ସେ କୋଉ ଭାତ ରାନ୍ଧିବା କଥା ହୋଇଚି ଯେ ତୁମେ ଚାହୁଁ ଚାହୁଁ ଭାତ ଫୁଟିବ ପୁଣି ଗଳା ହେବ ପୁଣି ବଢ଼ା ହେବ, ତା ବି କୋଉ ଆଖି ପିଛୁଡ଼ାକେ ହୁଏ ? ବେଳ ଲାଗେ । ଆଉ ୟେ ତ କଳ କାମ ।’’

 

ରଘୁ ମିଶ୍ର ଜୀବନରେ ବହୁତ ଧକ୍‌କା ଖାଇ ସାରିଛି, ତୁଚ୍ଛା ବିଶ୍ୱାସ ଆଉ ନାହିଁ । କିନ୍ତୁ ବିଶ୍ୱାସ କରିବାକୁ ଇଚ୍ଛା ହେଉଛି । କହିଲା ‘‘ଗାଁ କମ୍‌ହାର ଶାଳରେ ଯଦି ବନ୍ଧୁକ ତିଆରି ହୋଇ ପାରିବତ ଆଉ କ’ଣ ନ ହେବ !’’

 

ମଦନ ଓଝା କହିଲା ‘‘ତେମେ ଦେଖିନା, ଓଡ଼ିଆ ନଳି ଦେଖିନା । ଗାଁ କମ୍‌ହାର କରେ । ଚାରି ଛଅ ହାତ ଲମ୍ବା । ତାକୁ ଗଛରେ ବାନ୍ଧି ଫୁଟେଇବାକୁ ହୁଏ । ହାତୀ ଟଳି ପଡ଼େ । ସେ ଶବଦରେ ଗଛରୁ ଚଢ଼େଇ ଝଡ଼ି ପଡ଼ନ୍ତି । ତେମେ କୋଣାରକର ଲୁହା କାରିଗରି ଦେଖିନା, ତାକୁ ଗାଁ କମ୍‌ହାର କରିଥିଲା । ହଜାରେ ବରଷ କି କେତେ ବର୍ଷ ହେଲାଣି ତାକୁ କିଏ ଲେଖି ରଖିଚି, ପଦାରେ ଯେଉଁ କେଇ ଖଣ୍ଡି ପଡ଼ିଚି ସେଥିରେ ମୁରୁଚା ଲାଗୁନାହିଁ । ଆଗେ ଏ ଦେଶ ବଢ଼େଇ କମ୍‌ହାର ମୁଣ୍ଡରୁ ଯେଉଁ ବୁଧି ବାହାରୁ ଥିଲା ସେଇ ବୁଧିରେ ଏ ଦେଶ ମଣିଷ ନାଁ ଡାକ ହୋଇଥିଲେ । ସେ ଚଳନ୍ତି ରୂପ କଥା ଜାଣିନା ? ରଜା ପୁଅ କାହା ଘର ମାଇପିଟିକି ଲୋଭେଇଲା-। କାରିଗର କାଠରେ ଏମିତି ମାଇପିଟିଏ ଗଢ଼ିଦେଲା ଯେ କେହି ଜାଣି ପାରିବ ନାଇଁ-। ରାତିରେ ଲୋକ ଆସିଲେ, କାଠ କଣ୍ଢେଇର ହାତ ଧରି ଚଲେଇ ନେଇଗଲେ, ଟିକିଏ ହେଲେ ଜାଣି ପାରିଲେ ନାହିଁ । ରଜା ପୁଅ ଯେମିତି ଅତି ଶରଧାରେ ତାକୁ କୁଣ୍ଢେଇ ପକାଇଲା ସେମିତି ସେ କଣ୍ଢେଇ ତାକୁ ଆଘାତ ଲଗେଇଲା, ରଜା ପୁଅ ଲୁଙ୍ଗୁଡ଼ାପଣିଆ କରି ପ୍ରାଣଦେଲା, ଏଣେ ସେ ବୋହୂ, ତା ବାପ ଘର, ତା ବର ଘର ଆଉ କାରିଗର ସୀମାନା ଡେଇଁ ଅନ୍ୟ ରାଜ୍ୟକୁ ପାର-।’’

ହାତୁଡ଼ିର ଠକ ଠକ ପାହାର ସଙ୍ଗେ ସଙ୍ଗେ ସେ କଥା ଗପି ଯାଉଥାଏ ।

ପୁରୁଣା କାହାଣିଟା, ତଥାପି ଗାଁ ଲୋକେ ଉତ୍ସାହରେ ହୋ’ କଲେ । ରଘୁ ମିଶ୍ର ତଥାପି ମୁଣ୍ଡ ହଲେଇଲା, କହିଲା ‘‘ଅଇଛା ଦେଖୁଚ ବିଜ୍ଞାନ ଯାଇ କାହିଁ ଉଠିଲାଣି, ଏମିତି ମାରଣ ଅସ୍ତ୍ର ସବୁ କଲେଣି ଯେ ସେଗୁଡ଼ା ଫୁଟିଲେ ପୃଥିବୀ ଧ୍ୱଂସ ହେବ ବୋଲି ଲୋକେ ଥରହର, ଆଉ ସତେରେ ତେମେ ଯଦି ଓଡ଼ିଆ ନଳି କି ଆଉ କୋଉ ନଳି କରିବ ତ କ’ଣ ହୋଇଯିବ । ଏ ତ ଖେଳେଣା ହେବ ହୋ ।’’

ମଦନ ଓଝା ଯାହାକୁ ପିଟାପିଟି କରୁଥିଲା ତାକୁ ଟେକି ଧରିଲା, ଗୋଟାଏ ଛୋଟିଆ କଳ । ଏ ପାଖେ ଠାଏ ଆଙ୍ଗୁଠିରେ ଚିପିଲା ସେ ପାଖେ ଠାଇ କରି ଗୋଟାଏ ନାହୁଡ଼ ବାହାରି ପବନରେ ଚୋଟେ ମାରି ପୁଣି ପଶିଗଲି । ସମସ୍ତେ ଉତ୍ସାହରେ ପାଟି କଲେ । ମଦନ ଓଝା କହିଲା ‘‘ହଉଚି, ହଉଚି ।’’

ନାଥ ରାଉତ କହିଲା ‘‘ସତେରେ ଏକା, କାରଖାନାରେ କେତେ ପଦାର୍ଥ ହଉଚି, ଯନ୍ତ୍ର ଯେ କାହିଁ ନାହିଁ ନଥିବାର, ମଣିଷ ଆକାଶରେ ଉଡ଼ିଲେଣି ଗ୍ରହ ନକ୍ଷତ୍ରକୁ ଗାଡ଼ି ପଠେଇଲେଣି, ମାରଣ ବୋମା ଯେ ନିମେଷେକେ ଗାଁ ଗଣ୍ଡା ପାଉଁଶ କରିଦେବ, ଗାଁ କମ୍‌ହାରର ଦଉଡ଼ କେତେ ବାଟ !’’

ମଦନ ଓଝା କହିଲା ‘‘ଯାହାର ଯେତେ ଦଉଡ଼ ହେଲେ ତମର ଆମର କି ଯାଏ ସେଥିରେ ? ଆମୁକୁ କିଏ ଶିଖେଇଲା ନା ବତେଇଲା ନା ପଢ଼େଇଲା ? ଯାହି ଶିଖିଥାଇଁ ବାପ ଅଜାଙ୍କଠୁଁ ଦେଖି ଦେଖି । ହେଲା, କାହାଠିଁ ଅଛି ଆମଠିଁ ନାହିଁ । କ’ଣ କାନ୍ଦିବା ନା ମୁଣ୍ଡ ବାଡ଼େଇବା-? ନାଇଁ, ଯାହା ଆମୁକୁ ଆସେ ଆମେ ତା କରିଯିବା । କିଛି ହେଲେ କରିଯିବା । ବୁଝିଲ ମୋ କଥା-?’’

କିନ୍ତୁ ସେ ନିଜ କଥା ନିଜେ ବି ବୁଝିଲା ନାହିଁ, ଅନ୍ୟ ମନସ୍କ ହୋଇଗଲା । ତା ଟିକି ଝିଅ ରଙ୍ଗ ପାନ ବଟାଏ ଧରି ଆସି ପହଞ୍ଚିଗଲା, ପାଟି କଲା ‘‘ବୋଉ ପାନ ପଠେଇଚି ।’’ ସେ ଜବାବ୍ ଦେଲା ନାହିଁ । ତତା ହେଉଥିବା ଲୁହାକୁ ଅନାଇ ଥାଏ । ରଙ୍ଗ ହାତରୁ ବଟା ଛଡ଼ାଇ ରଘୁ ମିଶ୍ର ଖଣ୍ଡେ ପାନ ପାଟିରେ ଗେଞ୍ଜି ଦେଲା । ମଦନ ଓଝା ଲୁହାଟିକୁ କାଢ଼ିଆଣି ହାତୁଡ଼ିରେ ପିଟିବାକୁ ଆରମ୍ଭ କଲା । ଫୁଲ ଝରି ପରି ନିଆଁ ଗୁଳା ଛିରିକିଲା । ଥୋଡ଼ାଏ ବାଡ଼େଇ ବାଡ଼େଇ ଚଟା ପାତଳ କରି ପୁଣି ତାକୁ ପେଲି ଦେଲା ନିଆଁକୁ ଆଉ ସେଉଠୁ ସେ ତା ଶ୍ରୋତାମାନଙ୍କୁ ଧ୍ୟାନ ଦେଲା, ପାନ ବି ଖାଇଲା ଆଉ କହିଲା ‘‘ଯେତେବେଳେ ଯେଉଁ କାମ । ସେତେବେଳେ ନ କଲେ ଘଡ଼ି ଫିଟିଯିବ ପାଗ ଭଣ୍ଡୁର ହେବ କାମ ମାରା ହେବ । ନ କଲତ ନାଇଁ । କଲତ ମନ ଚଇତନ ଏକତ୍ୱ କରିବ । ଯେମିତି ଲୁହା ତତେଇ ପିଟିବା ସେମିତି ଏ ଯୁଦ୍ଧ ସେମିତି ସବୁ । ହଁ କ’ଣ କହୁଥିଲିଟି ?’’

ନାତ ରାଉତ କହିଲା ‘‘ଓଡ଼ିଆ ନଳି ।’’

ମଦନ ଓଝା କହିଲା ‘‘ସେଇଆ । ଆଉ କୋଉ ଦେଶରେ ବଢ଼ିଆ ବିଦ୍ୟା ବଢ଼ିଆ ଧନ ଅଛି ସେମାନେ ବଡ଼ ବଡ଼ କାମ କରୁଚନ୍ତି । ଆମେ ଜାଣିନାହୁଁ । ତା ବୋଲି ଯେତେବେଳେ ଘର ବୁଡ଼ି ପାଣି ଆଣ୍ଠିଏ ହେଲାଣି, ଯେତେବେଳେ ଶତ୍ରୁ ଆସିଲାଣି ଯୁଦ୍ଧ ଲାଗିଲାଣି ଆମର କ’ଣ କିଛି କରିବାର କଥା ନୁହେଁ ? ଯାହା ଜାଣୁ ତା କରିବୁଁ । ସମସ୍ତିଙ୍କ ହାତରେ ଓଡ଼ିଆ ନଜି ଝାମ୍‌କି ନଳି ଖଣ୍ଡା ଫାର୍ସା ବରଛା ଛୁରୀ ଖଣ୍ଡେ ଖଣ୍ଡେ ଥାଉତ । ଦରକାର ବେଳେ କର୍ମରେ ଆସିବ । ଯାହା ଘରେ ଯେତେ ଭଙ୍ଗାତୁଟା ଲୁହା ଅଛି ଆଣ ମୁଁ ସବୁ ଆଉଟି ଦେଇ ନଳି ତିଆରି କରିଦିଏଁ । ହାତରେ ହତିଆର ଥିଲେ ଛାତିରେ ଦମ୍ଭ ଆସେ, ଖାଲି ହାତରେ ରହିଥିବ କାଇଁକି ?

ରଘୁ ମିଶ୍ର କହିଲା ‘‘ବନ୍ଧୁକ କରିବ ? ଆଉ ପୁଲିସି ?’’

ମଦନ ଓଝା କହିଲା ‘‘ଆଗ କରେତ, ସେଉଠୁ ପୁଲିସି ହାକିମଙ୍କଠୁଁ ଅନୁମତି ନେବା ନାଇଁ ? ତାଙ୍କୁ କହିବା ଯେ ବାବୁ ଦେଖୁଚତ ଅଇଛା ଲଢ଼େଇ ଲାଗିଲା, କେତେବେଳେ କୋଉ କଥା, ଅଘୋରଦ୍ୱାରୀ ଯେତେ ଲୋକ ଅଛନ୍ତି ସମସ୍ତିଙ୍କୁ ତୁମେ ତମ ପୁଲିସି ବନ୍ଧୁକ ଯୋଗେଇ ଦେଉ ଦେଉ ବେଳ ଯିବ, ଆଗ ଆମ କମ୍‌ହାର ଶାଳ ତିଆରି ଓଡ଼ିଆ ନଳି ତ ଧରନ୍ତୁ ଗୋଟିଏ ଗୋଟିଏ, ସେ କ’ଣ ନାହିଁ କରିବେ ? ନାହିଁ କଲେ ଏ କାମ ବନ୍ଦ, ଅନୁମତି ଦେଲେ ଏ କାମ ଚାଲିଲା, ଏଇଠି ନଳି ଏଇଠି ଗୁଳି । ବୁଝୁନା, ହାତରେ କିଛି ଗୋଟାଏ ଉପାୟ ପଡ଼ିଗଲେ ମଣିଷ ନିଧଡ଼କ । ତୁମେ ଖାଲି ହାତରେ ଚାଲୁଚ ଅଇଛା ବାଡ଼ି ଖଣ୍ଡେ ଧରି ଚାଲ ମନଟା ଭିନେ ରକମ ଲାଗିବ, ଅଇଛା ବନ୍ଧୁକଟାଏ କାନ୍ଧରେ ପକାଇ ଚାଲ ଆହୁରି ଭିନେ ରକମ ଲାଗିବ, ଛାତିଟା ଫୁଲି ଓସାର ହେଲା ପରି ଲାଗିବ, ବେକଟା ଟାଙ୍କି ହେଲା ପରି ଲାଗିବ, ଚାଲିଟା ବି ହେବ ବୀର ଚାଲି ।’’

ଭଗବାନ ବେହେରା କହିଲା ‘‘ଦେଶ ଲୋକ ସମସ୍ତେ ଯେତେବେଳେ ବନ୍ଧୁକ ଧରିବେ ଆଉ କାହାରି ତୁ’ତା ରେ’ରା ବେ’ବା ଚଳିବ ନାଇଁ, କେହି କାହା ହୀନିମାନ ଅପମାନ ଅଦୋଉତି ବି ସହିବେ ନାଇଁ, ସେଥିକି ଅନେଇଁ ହୁସିଆର ହେବାକୁ ପଡ଼ିବ ।’’

ମଦନ ଓଝା କହିଲା ‘‘ଯେ ଯାହା କରିବ ସେ ତା ଫଳ ପାଇବ ।’’

ରଘୁ ମିଶ୍ର କହିଲା ‘‘ସେଇ କଥାଟା ଟିକିଏ ଅଡୁଆ ଅଡ଼ୁଆ ଲାଗୁଚି । ଅଇଛା ଦରକାର ପଡ଼ିଲା, ଧର ସମସ୍ତିଙ୍କ ହାତରେ ବନ୍ଧୁକ ଦିଆଯିବ । ସେମାନେ ଯାଇ ବାହାର ଶତ୍ରୁକୁ ଘଉଡ଼େଇ ଦେଇ ଆସିବେ । ସେଉଠୁ ସେ କାମ ସରିଲେ ଘର ଅଳିଆ ଆଡ଼କୁ ତାଙ୍କ ଦୃଷ୍ଟି ପଡ଼ିବ । ତାଙ୍କଠିଁ ଆଉ ଡର ଭୟ ନଥିବ, ଜୀବନକୁ ପାଣି ଛଡ଼େଇ ଦେଇ ଯେ ଶତ୍ରୁ ସଙ୍ଗରେ ଲଢ଼ିଚି ତାଠିଁ କି ଡର ଭୟ କି ତୁଣ୍ଡ ମୁଲ୍‌ହାଇଜା ? କି ସେ କରପତ୍ର ଯୋଡ଼ି ଦୟା କର ଦୟା କର ବୋଲି ଯୁଗ ଯୁଗ ବିତେଇ ନେହୁରା ହେବ ନାହିଁ । ସେଉଠୁ କ’ଣ ହେବ ସେଇଆ ଭାବ ।’’

 

ମଦନ ଓଝା କହିଲା ‘‘ହତିଆର ସଙ୍ଗରେ ଆମର ଚିହ୍ନା ଜଣା ବି ପାଶୋର ହୋଇ ଯାଇଛି ବୋଲି ଏମିତି କହୁଚ ସିନା । କାଳକ ଯାକ ତ ଏ ଦେଶ ଲୋକଙ୍କ ହାତରେ ହତିଆର ଥିଲା, ଖାଲି ଇଂଗ୍ରେଜ୍ ଆସି ଡରରେ ତାଙ୍କଠୁଁ ହତିଆର କାଢ଼ିନେଲେ । ହତିଆର ହାତରେ ଥିଲେ ଲୋକେ ମଣିଷଙ୍କୁ କୁକୁର ମାଙ୍କଡ଼ ପରି ବ୍ୟବାହାର କରିବେ ନାହିଁ ଏ କଥା ସତ, ସବୁ ସେହି ଅନୁସାରେ ବଦଳିବ, ଯେମିତି କଲେ କାହା ମନରେ ଅଶାନ୍ତି କୁହୁଳିବ ନାହିଁ କାହା ମଣିଷପଣିଆ ଅପମାନ ପାଇବ ନାହିଁ ସମସ୍ତେ ସେମିତି କରିବେ, ଜଗି ରଖି କାରବାର କରିବେ ଘର କରିବେ । ତା ବୋଲି କ’ଣ ସମସ୍ତେ ଆପଣା ଆପଣା ଭିତରେ ହଣାହଣି ହୋଇ ମରିବେ ଭାବୁଚ ? ସେ କଥା ଭୁଲ୍, ବିଲ୍‌କୁଲ୍ ଭୁଲ, ହାତରେ ହତିଆର ଥିଲେ ବି ହୃଦରେ ବିବେକ ଥିବ, ଦୟା ମାୟା ଥିବ, ଭଲ ମନ୍ଦ ଜ୍ଞାନ ଥିବ, ଅଧର୍ମକୁ ଭୟ ଥିବ, ମାନ୍ୟ ମାନତାଙ୍କ ଆକଟକୁ ଡର ଥିବ, ଯାହାର ନାଇଁ ତା ହାତରେ ହତିଆର ନ ଥିଲେ ବି ସେ ଭୟଙ୍କର । ସେମିତି କ’ଣ ଏ ଗାଁରେ ନାହାନ୍ତି ?’’

 

‘‘ସତ ସତ’’, ନାଥ ରାଉତ କହିଲା, ‘‘ବଳ ନଥିଲେ ଲୋକ ଦେଖେଇ ହୁଏ ଝଡ଼େଇ ହୁଏ ପେଟ ଖଙ୍କା କରି ଛାତିକି ଟାଙ୍କେ, ନିଶକୁ ମୋଡ଼େ ଆଖିକି ତରାଟେ, ବଳ ଥିଲେ ସେ ତଳକୁ ମୁହଁ ପୋତି ଆପଣା ବାଟେ ବାଟେ ସାଧାରଣର ହୋଇ ଚାଲିଥାଏ । ବଳୁଆ ଲୋକ ଆଗ ନିଜକୁ ଆକଟେ, ହୀନବଳ ଯେ ପରକୁ ଆକଟେ । ରାଇଜ ଯାକ ଲୋକ ବଳୁଆ ହେଲେ ଚଳଣି ଭିନେ ହେବ, ତେବେ ସେଥିରେ ଡରିବାର କ’ଣ ଅଛି ? ସମସ୍ତେ ବଳୁଆ ହୁଅନ୍ତୁ, ହତିଆର ଶିଖନ୍ତୁ ହତିଆର ଧରନ୍ତୁ, ଏଣେ ଧର୍ମ ପଥ ନ ହୁଡ଼ନ୍ତୁ ।’’

 

ଶେଷ ଆଡ଼କୁ ଆସି ତୁନି ହୋଇ ଠିଆ ହୋଇଥିଲେ କୃଷ୍ଣ ମିଶ୍ର । କହିଲେ ‘‘ହୋ ମଦନ ଓଝା, ଅଇଛାତ ବନ୍ଧୁକ ତିଆରି କରିବାରେ ମନଦେଲ, ପୁଣି ଦାଆ କିଏ କରିବ, ନଙ୍ଗଳ ଫାଳ କିଏ କରିବ, କୋଡ଼ି ଶାବଳ କିଏ କରିବ ?’’

 

ମଦନ ଓଝା ଥଟ୍ଟା କରି କହିଲା ‘‘କାଇଁ ? ଯାହାର ଦରକାର ଯିବ ସହରରୁ କିଣ ଆଣିବ । କଳରେ ସବୁ ତିଆରି ହେଉଛି, ଚାଉଳ, ଲୁଗା, କୋଡ଼ି, ଶାବଳ, ଫାଉଡ଼ା, ସବୁ । ଗାଁ କମ୍‌ହାର ନ ହେଲେ ନ ଚଳେ କି କୁମ୍‌ହାର ନ ହେଲେ ନ ଚଳେ ?’’

 

କୃଷ୍ଣ ମିଶ୍ର କହିଲେ ‘‘ଭଲ ଆଉ ! ବନ୍ଧୁକ କିଣିବାକୁ ତମ ପାଖକୁ ଯିବୁଁ ଆଉ ଦାଆ କଣିବାକୁ ସହରକୁ ଯିବୁଁ !’’

 

ମଦନ ଓଝା ହସିଲା, କହିଲା ‘‘ବନ୍ଧୁକ କ’ଣ କେବେଁ କରୁଥିଲୁଁ ? ବଇଷମ ହେଇଥିଲୁଁ, ହତିଆର ଥାଇ ବି ମୃଦଙ୍ଗ ବଜୋଉ ଥିଲୁଁ, ସଂକୀର୍ତ୍ତନ କରୁଥିଲୁଁ । ଦରକାରବେଳେ ହତିଆର ବି ଚଳାଉଥିଲୁଁ । ସେଇଠୁ ପୁଣି ବେଳ ଆସିଲା ସବୁ ହତିଆର କୂଅ ପୋଖରୀରେ ଫୋପଡ଼ା ହେଲା ନ ହେଲେ ଖଣି ଗାତରେ ପଶିଲା ନ ହେଲେ ଘର କୋଣରେ ଲୁଚିଲା, ଚାଲିଲା ଦାଆ ଲଙ୍ଗଳ ତିଆରି, ଭାବୁଥିଲୁଁ ହତିଆର ଯୁଗ ଗଲା ସେ ବି ହେଲା ସାତ ସପନ । ଅଇଛା ପୁଣି ଯୁଗ ଆମ ହାତରେ ହତିଆର ଗଢ଼େଇଲା, ଆମେ କୋଉ ଲୋଡ଼ୁଥିଲୁ ?’’

 

ରଘୁ ମିଶ୍ର ଓଠ ବଙ୍କେଇ କହିଲା ‘‘ଆମେ ହୋଇ ଯାଇଥିଲୁ ଶାନ୍ତି ଅହିଂସା ପଞ୍ଚଶୀଳ ପନ୍ଥାରୁ ବାବାଜି, ଆମଠିଁ ରାଗ ବି ନ ଥିଲା । ଶତ୍ରୁ ସେଇଆ ଦେଖି ଠଉରେଇଲା ୟାଙ୍କର ନଖ ନାଇଁ ଦାନ୍ତ ନାଇଁ, ୟେ ସତେ ଯେମିତି କଅଁଳ ଲୁହା ।’’

 

ନାଥ ରାଉତ କହିଲା ‘‘କଅଁଳ ଲୁହା ବିଲେଇ କାମୁଡ଼େ ।’’

 

ମଦନ ଓଝା କହିଲା ‘‘ଯଦି ହତିଆର ଗଢ଼େଇଲା ତ ଭଲ କରି ଗଢ଼ା ହେବ, ଜାତି ଜାତିକା ଗଢ଼ା ହେବ ।’’

 

କୃଷ୍ଣ ମିଶ୍ର କହିଲେ ‘‘ଲୋକ ଖାଲି ତମ ହତିଆର ଧରି ବାହାରିବେ ନା ତାଷ ବେଉସା ବି ଚାଲିବ ?

 

ମଦନ ଓଝା କହିଲା ‘‘ଚାଲିବ ।’’

 

କୃଷ୍ଣ ମିଶ୍ର କହିଲେ ‘‘ଏମିତି ଯଦି କାରିଗରି ବୁଦ୍ଧି ଅଛି ତ ମୁଣ୍ଡ ଭିତରୁ ଫାନ୍ଦି ଗୋଟାଏ କିଛି ଯନ୍ତ୍ର ବାହାର କର ଯେମିତି ସେଥିରେ ଶସ୍ତାରେ ସୁବିଧାରେ ଜଲ୍‌ଦି ଜଲ୍‌ଦି ଭଲ ହଳ କରି ହେବ । ଯେମିତି ଦେଖ କିଏ ଜଣେ ବାହାର କଲା ସାଇକଲ, ପାଣି ବାମ୍ଫ ନାହିଁ ପେଟ୍ରୋଲ୍ ନାହିଁ ଚକରେ ପବନ ଭର୍ତ୍ତି କଲ ତ ଆପେ ଠେଲିଲା ପବନ ବେଗରେ ଚାଲିଲା, ଚାଷ ପାଇଁ ସେମିତିଆ ଛୋଟିଆ ଯନ୍ତ୍ରଟାଏ କିଏ ବାହାର କରନ୍ତା କି, ଗୋଟିଏ ମଣିଷ ଚଢ଼ିଲା, ପାଦରେ ଠେଲିଲା କି ଦିଅ ମାରିଲା, ହେଲା ହଳ । ଏ ଲଢ଼େଇବେଳେ ଗାଁରୁ ଦରକାର ଅଧିକାରୁ ଅଧିକ ଫସଲ ଆମଦାନି, ସେ କାମ ସହରରେ ହୋଇ ପାରିବ ନାହିଁ ।’’

 

ମଦନ ଓଝା ପୁଣି ତତଲା ଲୁହାଟାକୁ ଓଟାରି ଆଣି ଢୋ ଢୋ କରି ପିଟିବାକୁ ଆରମ୍ଭ କରିଦେଲା । କହିଲା ‘‘ଦାଆ ଲଙ୍ଗଳ ଫାଉଡ଼ା ଶାବଳ କେବେ କରିବାକୁ ମନା କଲେ ମତେ କହିବ ଦୋଷ ଦେବ । ଏଣିକି କାମ ଚାଲୁ ରହିଲା ଦିନ ରାତି । ତା ସଙ୍ଗରେ ଏ ହତିଆର ଗଢ଼ା କାମ ବି ଚାଲିଥିବ । ଦାଆ ବେଳେ ଦାଆ ନିଅ ହତିଆର ବେଳେ ହତିଆର ନିଅ । ଯୋଉ କଳ କରିବା କଥା କହୁଚ ସେ କଥା ବି ମନେ ରହିଲା ତେବେ କ’ଣ ହେବ ମୁଁ କହିପାରୁ ନାଇଁ । ଆଗରୁ ଯଦି ଆମ ଦେଶ ଲୋକଙ୍କ ଆଖି ଏ ଅନ୍ଧି ସନ୍ଧିର ଗାଁ କମ୍‌ହାର ଶାଳ ଉପରେ ପଡ଼ିଥାନ୍ତା, କ’ଣ କଲେ ୟେ ନୂଆ କିସମର ଯନ୍ତ୍ରପାତି ପାଇବେ ନୂଆ ନୂଆ ପାଠ ଶିଖିବେ କୁଳ ବେଉସାଟା ଆହୁରି ଉଜ୍ଜ୍ୱଳ କରି ଶିଖିବେ ତେବେ ହଳ କରିବ କଳ, କ’ଣ କହୁଚ ? ଏଇ କମ୍‌ହାର ଶାଳରୁ ଆହୁରି କେତେ କ’ଣ ବାହାରି ଥାଆନ୍ତା, ତଥାପି ଏ ମୁଣ୍ଡରେ ଯେତିକି ବୁଦ୍ଧି ଅଛି ଏ ହାତରେ ଯେତିକି ବଳ ଅଛି ସବୁ ୟେ ଗାଁ ଭାଇଙ୍କର କାମରେ ଲଗାଇବି, ପାଟିରେ ଖଣ୍ଡେ ଖଣ୍ଡେ ଖିଲ ପଡ଼ୁଥିଲେ ଏ ହାତ ଚାଲିଥିବ ଥକିବ ନାଇଁ ।’’

 

କୃଷ୍ଣ ମିଶ୍ର ସେଠୁ ଫେରିଗଲେ । ସେତେବେଳକୁ ଦୂରରୁ ଧୂଳି ଉଡ଼ାଇ ଉଡ଼ାଇ ଗାଁର ଗୋଠ ଗାଁକୁ ଫେରୁ ଥାଆନ୍ତି, ଆଉ ଟିକିକେ ସୂର୍ଯ୍ୟ ଦେବତା ମାଆ କୋଳକୁ ଯିବେ । ଶୀତ କାଟିଲାଣି, କାଲୁଅ ପବନ ଆସ୍ତେ ଦେହ ଉପରେ ଆଉଁସି ଯାଉଛି । ଗେଣ୍ଡୁ ଫୁଲଗୁଡ଼ିକ ବହଳ ହୋଇ ମହଳ ଖରାରେ ଝଟକୁଛି, ସତେ ଯେମିତି ସେଥିରୁ ଆଲୁଅ ବାହାରୁଛି । ନିତି ଦିନ ପରି ଘରେ ଘରେ ଗହଳ ଚହଳ । ଦିନଯାକ କାହା କାନ୍ଥରେ ଘଷି ଫରା ମରା ହୋଇଥିଲା, ଉଞ୍ଚା ହୋଇ ଟୋକେଇରେ ପଶୁଛି । କାହା ଦାଣ୍ଡରେ ହେଂସରେ ଶୁଖୁଥିଲା ଧାନ, ଏଥର ଘରକୁ ବୁହା ହେଉଛି । ପିଲାଏ ଡେଉଁଛନ୍ତି ବୁଢ଼ା ବୁଢ଼ୀମାନେ ଦାଣ୍ଡ ପିଣ୍ଡାରେ ଆସି ବସିଲେଣି, ଏଇ ବେଳରେ ମଉଳି ପଡ଼ୁଥିବା ଖରାକୁ ଚାହିଁ ପଦାରେ ବସିବାକୁ ସେମାନଙ୍କୁ ସୁଖ ଲାଗୁଛି । କୃଷ୍ଣ ମିଶ୍ର ଭାବି ଭାବି ଚାଲିଥାନ୍ତି–ଖତୁ ସୋଇଁ କି ମଦନ ଓଝା ହାତରେ କାମ କରୁଛନ୍ତି, ଯେ ଝା ଉପାୟରେ ଯା ହେଲେ କାମ କରୁଛନ୍ତି, ଆଉ ମୁଁ ? ମୋ ଦେଇ କି କାମ ହେଉଛି ? କଥା ଗପିବା, ଟିକିଏ ନାଁକୁ ଖୁଜୁବୁଜୁ ହେବା, ଯେମିତି ଦେହରୁ ମଳି ଚମ ବି ଉଠିବ ନାହିଁ, ପରକୁ ବାଛିବା ଆଉ ପର କାନରେ କହି ମତେଇବା । ମୂଳହୁଁ ଏତିକି । ବିରାଟ ଚେତନାରେ ଦେଶର ଲୋକ ହାତ ଗୋଡ଼ ହଲାଇ ଚହଳ ପକାଇ ଉଠି ପଡ଼ିଲାବେଳେ କେବଳ ଏତିକି ତାଙ୍କ ନିଜ ଆତ୍ମସମ୍ମାନ ଆତ୍ମସନ୍ତୋଷ ପାଇଁ ସମ୍ବଳ ।

 

ମହତ୍‌ ଉଦ୍ଦେଶ୍ୟ ଆଗରୁ ବି ଥିଲା ଏବେ ବି ଅଛି, ଆଦର୍ଶର ଆଲୁଅ କେତେ ଥର ଉପରେ ପଡ଼ିଛି । ଲାଗିନାହିଁ ତା’ର ଧାସ ଟିକକ, ଆତ୍ମତ୍ୟାଗର ଐଶ୍ୱର୍ଯ୍ୟ ନଥିଲା, ଏବେ ବି ନାହିଁ, ସେଥିପାଇଁ ଛାତି ତଳ ଲାଗୁଛି ପୋଲା ଓ ଫମ୍ପା ।

 

ଅତୀତକୁ ଅନାଇଁଲେ ଦିଶି ଯାଉଛି, ଆସିଥିଲା ସ୍ୱାଧୀନତା ସଂଗ୍ରାମ । ସେ କେତେ ଫଟୋ ଆଣି କାନ୍ଥରେ ମାରିଥିଲେ, କେତେ ଗୀତ ମୁଖସ୍ଥ କରିଥିଲେ, ଖଦଡ଼ ବି ପିନ୍ଧିଥିଲେ କେତେଥର, ସଭାକୁ ଯିବା ତ ଲେଖାନାହିଁ । କିନ୍ତୁ ଗିରଫ ହେବା ତ ଦୂର କଥା ପିଠିରେ ଥରେ ଠେଙ୍ଗା ପାହାର ଖାଇବାର ବି ସ୍ମରଣ ନାହିଁ । କିନ୍ତୁ ଯେତେବେଳେ ସ୍ୱାଧୀନତା ଆସିଲା, ଲାଗୁଥିଲା ୟେ ସଂଗ୍ରାମରେ ମୁଁ ବି ଜଣେ ସୈନିକ ହୋଇଥିଲି ବୋଲି ।

 

ଭାବୁଥିଲେ, ବଳିଆ ଭାଇର ନିଶ ପରି ନିଜର ଆଶା ପରଠି ଫଳନ୍ତି ହେବାର ଦେଖି ସେ ତାକୁ ନିଜଠିଁ ଆରୋପ କରି ସୁଖ ପାଇଛନ୍ତି, ନିଜ ପାଖେ ନିଜେ ଅଭିନୟ କରିଛନ୍ତି–ସବୁଠିଁ ଯେ ଯାହା କଲା ସବୁ ମୁଁ କଲି ।

 

ସେତେବେଳେ ଯେତେ ମୋହ ପଛଆଡ଼ୁ ଭିଡ଼ି ଧରିଥିଲା ଆଉ ଆଗକୁ ଚାଲି ଯିବାକୁ ଛାଡ଼ି ଦେଇ ନ ଥିଲା ସେଗୁଡ଼ାକ ସତେ ଯେମିତି ଶୁଖିଲା ପାଖୁଡ଼ା ପରି ତଳୁ ତଳୁ ଝଡ଼ି ପଡୁଛି । ଆଗ ଥିଲା, ବାପ ଗାଳିଦେବେ । ତା ପରେ– ବୋଉ କାନ୍ଦିବ । ତା ପରେ–ଭାରୀଜା ଆଉ ଘର, ତା ପରେ, ଭାରୀଜା ଓ ପିଲାଛୁଆ ଆଉ ଘର । ନିଜକୁ ଛାଡ଼ି ମଣିଷ ସମାଜ ଲାଗି ବେଦନାରେ ମନ ଯେତେଥର ଆକୁଳ ହୋଇ ଉଠିଛି ସେତେବେଳେ ଆପେ ଆପେ ମନ ଭିତରେ ନିକିତିରେ ତଉଲ ହୋଇ ଯାଇଛି, ପାଖେ ନିଜେ, ପାଖେ ଗୋଷ୍ଠୀ, ପାଖେ ବ୍ୟକ୍ତି, ପାଖେ ସମାଜ । ବିଚାର ନିଜକୁହିଁ ବାଛି ନେଇଛି, ହାତକୁ କାମ କରାଇଛି, ହୃଦୟ ଗୋଷ୍ଠୀ କଥା ଭାବି ଝୁରି ହୋଇଛି, ତୁଣ୍ଡରେ ସଙ୍ଗୀତଧାର ପରି କଥାର ସୁଅ ଛାଡ଼ି ଦେଇଛି ।

 

ଏଇଆ ମୁଁ–କୃଷ୍ଣ ମିଶ୍ର ଭାବୁଥିଲେ, ସୂର୍ଯ୍ୟ ଅସ୍ତ ହେଲା ।

 

ସେତିକିବେଳେ–ମନ ଯେତେବେଳେ ଆପଣାକୁ ଆପେ ଧିକ୍‌କାର କରି କରି ନିଉନ ହୋଇଯାଇ ଥିଲା, ମୁଣ୍ଡ ଥିଲା ତଳକୁ ବାଟରେ ହାବୋଡ଼ିଲା ଗୋଲି ସାହୁ । ଶୁଖିଲା ହସି ହସି କହିଲା ‘‘ନନା ଓଳିକି ।’’

 

‘‘ସର୍ବାରିଷ୍ଟ ଶାନ୍ତିର୍ଭବତୁ ।’’

 

‘‘ଆଉ କ’ଣ ହଉଚି ଏତେ କଲ୍ୟାଣ କରି କରି, ସବୁ ତ ବିକାଭଙ୍ଗା ହୋଇଗଲା, ତେବେ ବି କୋଉ ବାଟ ଦିଶିଲା ? ମକଦ୍ଦମା ଚାଲିଚି ।’’

 

‘‘ଆଉ କାଇଁ ମାତିଚୁ ?’’ ଉଦାସ ହୋଇ କୃଷ୍ଣ ମିଶ୍ର କହିଲେ ।

 

ଗୋଲି ସାହୁ କାବା ହୋଇ ତାଙ୍କ ମୁହଁକୁ ଅନାଇଁଲା । କହିଲା ତେମେ କହୁଚ ନା କିଏ କହୁଚି ବା ? ତେମେ ପରା କହୁଥିଲ ପ୍ରାଣ ଥିବାଯାକେ ହକ ଦାବୀ ଛାଡ଼ିବାର ନୁହେଁ, ଯାହା ପଡ଼ିବ ପଡ଼ୁରେ ଗୋଲି, ତୁ ଛାଡ଼୍ ନା । ତେମେ ପରା କହୁଥିଲ ତମ ପୂଜା କାଟୁ କରିବ, ମନ୍ତ୍ର ବୋଲି କରିବ, ତଳେ ସେ ଜିତିଲେ ବି ଉପରେ ଜିତାଟା ମୋର ଥୁଆ । ଆଜି କହୁଚ କାଇଁ ମାତିଚୁ ? କ’ଣ କହୁଚ କହ ମୁଁ ବୁଝିପାରୁ ନାଇଁ ।’’

 

‘‘କାଲିକା କଥା ଆଜିକି ନାଇଁରେ ଗୋଲି । ଦେଖୁନୋହୁଁ, ଆଉ ସକାଳ ଅଛି ନା ଆଉ ଦି’ପହର ଅଛି ? ବେଳ ଗଡ଼ି ଗଲାଣି, ଆଉ ଟିକକୁ ଦେଉଳରେ ଆଳତି ଘଣ୍ଟା ବାଜିବ । ରାତି ବଢ଼ିବ, ପୁଣି କାଲି ସକାଳକୁ ସକାଳ ଆଲୁଅ ଫିଟିବ ।’’

 

‘‘ଏଗୁରା ତୁମେ କ’ଣ କହୁଚ ନନା, କ’ଣ ମୁଣ୍ଡ ଗୋଳମାଳ ହୋଇଗଲା କି ? ମୁଁ ଶୁଣିଥିଲି ସେ ମନ୍ତ୍ରତନ୍ତ୍ର ପାଠ କୁଆଡ଼େ ଭାରି ଅଡ଼ୁଆ, ବୋଲୁ ବୋଲୁ ଟିକିଏ ଯଦି ପାଟିରୁ ପଦ ଖସିଗଲା, କି ବୋଲିଲାବେଳେ ଟିକିଏ ଯଦି କୋଉଠି ଅନାଚାର ହୋଇଗଲା ତେବେ ଦିଏ ବାୟା କରି । ତମର ତ ସବୁବେଳେ ଯପ ନଇଲେ ପାଠ, କ୍ରିୟା ନ ହେଲେ କର୍ମ । କିଛି ବିଗିଡ଼ି ଥିବ ।’’

 

‘‘କିଛି ବିଗିଡି ନାଇଁରେ, ଯାହା ବିଗିଡ଼ି ଥିଲା ତାକୁ ମୁଁ ସଜାଡ଼ି ନେଇଛି । ସେତେବେଳେ ଯଦି କହୁଥିଲି ମକଦ୍ଦମା ଲଢ଼୍ ଅଇଛା କହୁଚି ଆଉ ମକଦ୍ଦମା ଲଢ଼୍‌ନା, ଯାହା ହେବାର ତା ହୋଇଗଲାଣି ଆଉ ସେ ବେଳ ଫେରିବ ନାହିଁ କି ସେ ଖର୍ଚ୍ଚ ହୋଇଥିବା ପଇସା ଫେରିବ ନାହିଁ, ଏଣିକି ସନ୍ଧ, ସାଲିସ୍, ଆପୋଷିରେ ମିଳାମିଶା, ଭଲ ଲୋକ ବସନ୍ତୁ, ଛିଣ୍ଡେଇ ଦଉନ୍ତୁ, ସବୁ କଳି ତୁଟେଇ ଦିଅନ୍ତୁ, ଗାଁରେ ଶାନ୍ତି ରହୁ ।’’

 

‘‘ସେତେବେଳେ ଏ କଥା କାଇଁ କହିଲ ନାଇଁ ନନା ? ସମସ୍ତେ ତ ଥିଲ । ଆଗେ ଏଇ ଗାଁ ମହାଜନ ସଭାରେ କେଡ଼େ କେଡ଼େ କଳି ଫଇସଲା ନ ହେଉଥିଲା ନୁହେଁ, ସେମାନେ ତ ଡିଗ୍ରି ଖାରଜ ଦି’କଥାରୁ କଥାଏ କରୁ ନଥିଲେ, କି ଗୋଟାଏ ପକ୍ଷ ଉପରେ ସବୁ ଯାକ ଦୋଷ ଲଦୁ ନଥିଲେ, ଦୋଷ ବଣ୍ଟା ହେଉଥିଲା କେତେ ପଣ କାହାର । ଆଉ ସେ ଚଳଣି କାହିଁ ? ପଣେ ହେଲେ ଦୋଷ ମୋର ବୋଲି ମାନି ନେବାକୁ ଆଉ କିଏ ରାଜି ହେବ ? ସେ ଲୋକ ଆଉ କାହାନ୍ତି ? କିଏ କାହା କଥା ମାନୁଛି ଯେ କିଏ କାହାକୁ ରାଜି କରାଇବ ? ସେ ରାଜି ପଦଟା ତୁଣ୍ଡରେ ଧରିଲା କିଏ ଆଉ ? ଦେଖିଲା ବେଳକୁ ଲଢ଼େଇ ଲାଗିଚି ଗୋଟାଏ ଖଜୁରି ଗଛ ପାଇଁ, ମୁଁ କହୁଚି ମୋ ବାରିର ସେ କହୁଚି ତା ବାରିର, ଦି’ମାଣ ବିଲ ବିକିଥିଲି ଏଥରକ ନଡ଼ିଆ ବଗିଚାଟା ବି ବିକିଲି, ସେ ଖଜୁରି ଗଛ ମତେ କୋଉ ସ୍ୱର୍ଗକୁ ନେବ ତାକୁ କୋଉ ସ୍ୱର୍ଗକୁ ନେବ ଖାଲି ଜିଦାଜିଦିରେ ଏତେ ସରି ।’’

 

କଳିଟା ଗୋଲି ସାହୁ ଆଉ ପୀତେଇ ମହାରଣାଙ୍କ ଭିତରେ ।

 

‘‘ହେଇ କେମିତି ଦିଶୁଛି ଦେଖ,’’ ଗୋଲି ସାହୁ ଦେଖାଇ ଦେଲା ‘‘ଯେମିତି କିଛି ଜାଣେ ନାହିଁ, ନିର୍ଦ୍ଦୋଷୀ, ମକଦ୍ଦମା ଲାଗିଲା ଦିନୁଁ ସେ ଗଛରେ ଆଉ ଶିଅଳ ବି ଚଢ଼ୁନାହିଁ, ଠେକି ବସା ଦେଉନାହିଁ କି ବାହୁଙ୍ଗା କଟା ହେଉନାହିଁ, ଖାଲି ବାୟା ବସା ଝୁଲୁଛି, ଆମର ଏଣେ ଚାଲିଛି ତାରିଖ ଉତ୍ତାରୁ ତାରିଖ । କ’ଣ କରିବା ? ଘରର ମାନ ରଖିବାକୁ ନିଆଁରେ ପଶିବାକୁ ପଡ଼ିଲେ ନିଆଁରେ ପଶିବି । ଆଉ ଅଇଚ୍ଛା କ’ଣ ହେବ ? ରୁକୁଣା ରଥ ଅଣବାହୁଡ଼ା ।’’

 

ଆଗରେ ଦୁଇ ବାରିରେ ଦୋ ସନ୍ଧିରେ ସେ ଗଛୁଟା । କୃଷ୍ଣ ମିଶ୍ର ଚାହିଁଦେଇ ମୁହଁ ବୁଲାଇ ଦେଲେ । ଗୋଲି ସାହୁର ପଦେ ପଦେ କଥା ସହିତ ଅତୀତରେ ତାଙ୍କର ବି ସମ୍ପର୍କ ଥିଲା । ଗୋଲି ସାହୁ ତାଙ୍କଠୁଁ ଆଶୀର୍ବାଦ ଲୋଡ଼ିଥିଲା ସାହସ ବି ଲୋଡ଼ିଥିଲା, ସେ ଦେଇଥିଲେ । ପୀତେଇ ମହାରଣାକୁ ସେ ଭଲ ପାଉ ନଥିଲେ, ତାଙ୍କୁ ତା କଥାଗୁଡ଼ାକ ଲାଗେ ବେଖାତିର୍ କଲା ପରି, ହସଟା ଦିଶେ ଖତେଇ ହେଲା ପରି, ପୀତେଇ ମହାରଣା ତା କାର୍ଯ୍ୟଦକ୍ଷତା ବଳରେ ଗାଁରେ ସହରରେ ସୁବଠି ଖାତିରି ପାଇଲା ତା ରୋଜଗାର ବଢ଼ିଲା, ସେ ବ୍ଲକ୍ କାମରୁ ବହୁତ ଗୁଡ଼ାଏ କବାଟ ଚଉକାଠ ତିଆରି କରିବା ଠିକା ଆଣିଲା, ବଳକା ସାହାଯ୍ୟକାରୀ ନିଯୁକ୍ତ କରି ସକାଳୁ ସଞ୍ଜଯାକେ କାମ ଆରମ୍ଭ କରିଦେଲା, ତା ବଡ଼ତି ତାଙ୍କ ଆଖିରେ ଖେଣ୍ଟା ପରି ଲାଗୁଥିଲା । ଖଜୁରୀ ଗଛ ପାଇଁ ଯେତେବେଳେ କଳି ଲାଗିଲା ସେତେବେଳେ ସେ ଗୋଲି ସାହୁକୁ ମକଦ୍ଦମା କର ବୋଲି ନ କହନ୍ତୁ ପଛେ, ତା ନିଷ୍ପତ୍ତିକୁ ସମର୍ଥନ ଜଣାଇଥିଲେ, ତାକୁ ଉତ୍ସାହ ଦେଇଥିଲେ ଯେପରି ସେ ମକଦ୍ଦମା କରୁ, ପୀତେଇ ମହାରଣା ପାନେ ପାଉ । ସେଥିପାଇଁ ସେ କେତେଥର ସଂକଳ୍ପ କରି ପୂଜା କରିଛନ୍ତି, ଗୋଲି ସହୁକୁ ପାଦୁକ, ଧଣ୍ଡା, ଚନ୍ଦନ, ସିନ୍ଦୂର ଦେଇଛନ୍ତି, ଅଣ୍ଟାରେ ଖୋଷିବାକୁ ମନ୍ତୁରା ଗୁଆ ଦେଇଛନ୍ତି । ତଳ କଚିରିରେ ପନ୍ଦରଟା ତାରିଖରେ ଖଜୁରି ଗଛଟା ଗୋଲି ସାହୁର ହୋଇଗଲା । କିନ୍ତୁ ପୀତେଇ ମହାରଣା ଛାଡ଼ିଲା ନାହିଁ, ଉପର କଚିରି କଲା । ସେଠି ତିରିଶି ଉପରେ ତାରିଖ ହେଲା, ଗଛଟା ହୋଇଗଲା ପୀତେଇ ମହାରଣାର । ଏତର ଗୋଲି ସାହୁ ଅଣ୍ଟାଭିଡ଼ି ଉଠିଲା, ତା ଉପର ବିଚାର ଆସନର ଆଶ୍ରା ଲୋଡ଼ିଲା । ସରି ନାହିଁ, ଏହି ଅବସ୍ଥାରେ ଅଛି । ଆଉ ସେ ବର୍ତ୍ତମାନ ଶୁଣୁଛନ୍ତି ଯେ ଗୋଲି ସାହୁର ସ୍ୱରରେ କ୍ଲାନ୍ତି, ସେ ଜଣାଇ ଦେଉଛି ଯେ ମକଦ୍ଦମା ସେ ନିଜ ଇଚ୍ଛାରେ କରିନାହିଁ ଓ କରିସାରି ସେ ନାଗ ଚୁଚୁନ୍ଦ୍ରା ଧରିଲା ଅବସ୍ଥାରେ ପଡ଼ିଛି ।

 

କୃଷ୍ଣ ମିଶ୍ର ତୁନି ରହିବା ଦେଖି ଗୋଲି ସାହୁ କହିଲା, ‘‘ଆହୁରି କ’ଣ ହେଲାଣି ଜାଣିଛନା ନନା, ଲୋକେ କହୁଛନ୍ତି ସେ ଖଜୁରି ଗଛରେ କ’ଣ ଅପଦେବତା ବସା କଲାଣି । ରାତିରେ ସେ ବାଟେ ଗଲାବେଳେ କ’ଣ ଝମଝମ ଶୁଭେ, ଯେମିତି କାହା ପାଦର ନୂପୁର ପାହୁଡ଼ କି ହାତର ଖଡ଼ୁ କାଚ, କେତେବେଳେ ସେଠି ବିରି ଚକୁଳି ବାସେ କେତେବେଳେ ଝୁଣା ଗୋଗୁଳ । ମାଇପେତ ରାତି ହେଲେ ଆଉ ସିଆଡ଼େ ପୋଖରୀପାଣି ବସିବାକୁ ଯାଉ ନାହାନ୍ତି । କେହି କେହି ବି ଭେଟେଣା ହେଲେଣି । କ’ଣ ଦିନ ବାର ଦେଖି ସେଠି ଟିକିଏ ଝଡ଼ାଫୁଙ୍କା କରି ଦିଅନ୍ତ ନାହିଁ ? ପୂଜା କରି ପାଣି ମନ୍ତୁରେଇ ଗଛ ଉପରେ ଛିଞ୍ଚି ଲୁହା କିଳା ମାରି ଦିଅନ୍ତ, ଆଉ ସେ ଆସନ୍ତା ନାଇଁ ।’’

 

‘‘କରିବା, କରିବା, ଉଆଁସ ଛ’ ସାତ ଦିନ ଥିବ ମନେ ପକାଇ ଦେବୁ ।’’

 

ଗୋଲି ସାହୁ ଅଳପ ହସିଦେଇ ଗମ୍ଭୀର ହେଲା । କହିଲା ‘‘ଆଜି କାଲି ସତେ କ’ଣ ଏ ମନ୍ତ୍ରତନ୍ତ୍ର ଯପତପ କାମରେ ଆସୁଚି ? ଆସୁଚି ଯଦି ତେବେ ସେ ଚୀନା ଲୋକ ଭାରତ ଆକ୍ରମଣ କଲାବେଳେ ସେ କାହିଁକି କାଟୁ ନକଲା ? କ’ଣ ମନ୍ତ୍ର ପଢ଼ିବାକୁ ବାହ୍ମୁଣ ମିଳିଲେ ନାଇଁ ?’’

 

କୃଷ୍ଣ ମିଶ୍ର କହିଲେ ‘‘ଛାଡ଼ ସେ କଥା । ମୋ ସାନ କୁହା ମାନିବୁ ଗୋଲି ? ଯାହା ହେଲାଣି ହେଲାଣି । ଏଥର ମିଳିମିଶି ରହ । ଯେତେହେଲେ ଗାଁ ଭାଇ ତ । କୋଉ ପର ହେଇଚି-? ସେଇ ଯୁଦ୍ଧ କଥା ହେତୁ କର୍, ସେ ଯୋଉ ଶତ୍ରୁ ଆସି ଆମ ଦେଶ ଉପରେ ଚଢ଼ାଉ କରିଚି ସେ ଖୋଜିବ ମୋ ମୁଣ୍ଡ, ପୀତିଆ ମୁଣ୍ଡ, ତୋ ମୁଣ୍ଡ ସେ ବାଛିବ ନାଇଁ ବାଦୀ କିଏ ପ୍ରତିବାଦୀ କିଏ ଭୁଲ, କାହାର ଠିକ୍ କାହାର, ତା ଆଖିରେ ଆମେ ସମସ୍ତେ ଜାଣି ଦୋଷୀ, କି ସମସ୍ତେ ବଳି, ବୋଦା । ଆମ ଭିତରେ ଆମେ ଯେତେବେଳେ ଚୁଟି ଧରାଧରି ହେଉଥିବା ସେତେବେଳେ ବାହାର ଶତ୍ରୁକୁ ସୁବିଧା ମିଳୁଥିବ । ଜାଣିନାଉଁ, ମଇଁଷୀ ଶିଂଘ ଫଟା, ଯୁଝିଲା ବେଳକୁ ଗୋଟା, ଯୁଝିଲା ବେଳ ପଡ଼ିଛି, ଏତେବେଳେ ଆଉ ଫଟା ହୋଇ ରହିଲେ ଚଳିବ ?’’

 

ଗୋଲି ସାହୁ ପଚାରିଲା ‘‘ଫଟାଟା ଆଉ ଗୋଟା କେମିତି ହବ କହୁନା ? ଏତେ ଏତେ ଟଙ୍କା ଖର୍ଚ୍ଚ ହେଲା । ତା ତ ଗଲା, କଳିଟା କ’ଣ ଆଉ ଖାଲି ପୀତେଇ ଆଉ ମୋ ଭିତରେ ରହିଲା-? କିଏ ତା ତରଫ ସାଖି ହେଲା କିଏ ମୋ ତରଫ ସାଖି ହେଲା ସେଉଠୁ ସାଖିରେ ସାଖିରେ ବନ୍ଧୁରେ ବନ୍ଧୁରେ ବି ପିଟାପିଟି, କଳିଗୋଳ, ଗାଁରେ ଦିଟା ଦଳଟି ? କଥା ଯାଇ କାହିଁ ଉଠିଲାଣି । ଆମ ସାହିରେ ଦି ଦଳ । କେଉଟ ସାହିରେ ଦି ଦଳ, ଦିଟା ବାସେଳି, ଆସନ୍ତା ଚଇତାକୁ ଦିଟା ଚଇତି ଘୋଡ଼ା ବାହାରିବ । ଦୋଳକୁ ଗାଁରେ ଦିଟା ବିମାନ ବାହାରିବ । ସବୁଠି ଦି ଦି ଫାଙ୍କ୍ । ଭିତରେ ଭିତରେ ବୁଝ, ଗାର ପ୍ରତି ମଣିଷ ଏ ପାଖ ନଇଲେ ସେ ପାଖ ହୋଇଥିବେ, ନ ହୋଇ ଯିବ କୁଆଡ଼େ ? ଝିଅ ବୋହୂ ବି ଦି ଦି ଦଳ । ଏ କ’ଣ ଏମିତି ସେମିତି କଥା ! ପରା ଆମ ଦଳର କାହା ଘରର ବିଲେଇ କୁକୁର ଆର ସାହିର କାହା ଘରକୁ ଗଲେ ସେମାନେ ତାଙ୍କ ଗୋଡ଼ ଛୋଟା କରୁଛନ୍ତି, ଫାଟିତ ଗଲାଣି ଆଉ ଯୋଡ଼ି ହବ କେମିତି କହ ? ପୋଡ଼ିଗଲା ତିଅଣରେ ଆଉ ସୁଆଦ କାହୁଁଥାଏ ?’’

 

କୃଷ୍ଣ ମିଶ୍ର କହିଲେ ‘‘ଦୋଷଟା ତମ ଦିହିଙ୍କର ନୁହେଁ, ଦୋଷ ଆମ ସମସ୍ତିଙ୍କର । ଆମେ ନ ଲଗେଇଥିଲେ ତମେ ଲାଗିଥାନ୍ତ ? ଆମେ ତୁମୁକୁ ରୋକିଲୁ ନାହିଁ କାହିଁକି ? ଏଇଥିପେଇଁ ଯେ ୟା ତା ଉପରେ ଝଡ଼େଇ ହେବା ଇଚ୍ଛାଟା ଆମ ସମସ୍ତିଙ୍କର ମନ ଭିତରେ ଥିଲା । ଏକାଠି ଘର କରି ରହିଲେ ମହାପ୍ରସାଦ ବନ୍ଧୁ ଯୋଡ଼ାଯୋଡ଼ି ହେବାକୁ ଯେମିତି ଇଚ୍ଛା ହୁଏ ଖୁରି କରିବାକୁ ବି ସେମିତି ଇଚ୍ଛାହୁଏ, ସେଇଟା ଗୋଟାଏ ବାଦବୁଦିଆ ହେଲା ପରି ନିଶା । ସେ ନିଶା ତ ଗାଁଟା ଯାକକୁ ଏତେ ସରି କଲାଣି, ଆଉ ସେଥିରେ କାହିଁକି ? ଏ କଳି ବନ୍ଦ ହେଉ ।’’

 

‘‘କେମିତି ବନ୍ଦ କରିବ କର, ମୁଁ କ’ଣ ନାହିଁ କରୁଚି ?’’

 

‘‘କାନ୍ଦିବୁଁ, ଗଡ଼ିବୁଁ, ଗୋଡ଼ତଳେ ପଡ଼ିବୁଁ, ଦୁଆରେ ଦୁଆରେ ଅଧିଆ ପଡ଼ିବୁଁ, କହିବୁଁ, ସବୁ ଦୋଷ ଆମରି, ତେମେ କ୍ଷମା କର ନ ହେଲେ ତମରି ଦୁଆରେ ଉପାସରେ ଶେଇଥିବୁ । କହିବୁଁ ତେମେ ନିଜ ନିଜ ଭିତରେ ମିଳିମିଶି ଯାଅ, ଅଇଚ୍ଛା ଘଡ଼ିସନ୍ଧି ବେଳ, ବାହାରର ଶତ୍ରୁ ଘର ଭିତରେ ପଶୁଛି, ଆମ ସୈନ୍ୟମାନେ ଜୀବନ ମୂର୍ଚ୍ଛା କରି ଲଢ଼ୁଛନ୍ତି, ସମସ୍ତେ ଏତିକିବେଳେ ଏକଜୋଟ ହୋଇ ମିଶି ନଗଲେ ଆଉ ଏ ବିପଦ କାଳରେ ଆମେ ଆମ ଦେଶର କି କାମରେ ଆସିବା ? କିଏ ଟଙ୍କା ସୁନା ଦେଇ ଏ ଦେଶରକ୍ଷା କାମକୁ ସାହାଯ୍ୟ କରୁଛି । ଆଉ କିଏ କିଛି ଦେଉ କି ନ ଦେଉ, କଳିଗୋଳ ବନ୍ଦ କରି ଦେଲେ ବି ସେ ସାହାଯ୍ୟ । ଏତେବେଳେ ଆଉ ନିଜ ନିଜ ଭିତରେ ଅମେଳ ରହିବା ସାଜିବ ?

 

ତାଙ୍କ ସ୍ୱରର ଆକୁଳତା ଓ ଆନ୍ତରିକତା ଗୋଲି ସାହୁକୁ ଅଭିଭୂତ କଲା । ସେ କହିଲା ‘‘ହଉ, ପୀତେଇ ମହାରଣାକୁ କହିଦେବ ନନା, ମୋ ବୋଉ ତା ବାପାକୁ ମହାପ୍ରସାଦ ଦେଇ ଭାଇ କରିଥିଲା, ସେଇ ହିସାବରେ ପୀତେଇ ମୋ ମାମୁ ପୁଅ ଭାଇ । ଏଡ଼େ ଭଲ ପଡ଼ୁଥିଲା । କେଉଁମାନେ ସବୁ ତାକୁ ନଚେଇଲେ ମତେ ନଚେଇଲେ ଡାଆଣୀ ହୋଇ ଲାଗିଲେ ଗୁଣିଆଁ ହୋଇ ଝାଡ଼ିବାକୁ ଆସିଲେ । ସେ ଯାହା ହୋଇଗଲା ହୋଇଗଲା । ଆଉ ନାହିଁ । ସେ କହୁ ଯେ ସେ ଜିତିଲା ମୁଁ ହାରିଲି, ଖଜୁରି ଗଛଟାକୁ ସେ ନଉ, ମୁଁ ଆଉ ମକଦ୍ଦମା ଲଢ଼ିବି ନାହିଁ ।’’

 

‘‘ସତ କହୁଚୁ ଗୋଲି ?’’

 

‘‘ସତ କହୁଚି, ଏ ସଞ୍ଜ ପହର ସାଖି । ତେମେ ଦେଖିବ ନାଇଁ ! ତମରି କଥା ରଖିଲି, ସେ ମୋ ନାଁରେ କୁକୁର ପାଳୁ, ଆଉ ମୁଁ ବଳ କଷା କଷି କରିବି ନାଇଁ । ତେମେ ଯାହା କହିଲ ମୋ ମନ ବୋଧ । ତେଣେ ଦେଶ ଗୋଟାକଯାକ ଉପରେ ବିପଦ ଘୋଟିଲାଣି । କୁଆଡ଼େ ଆମେ ଟାଣ ମେଣ୍ଟ ହୋଇ ସେଥିକି ଉପାୟ ପାଞ୍ଚିବା ନା ଆମର ଏଣେ ଲାଗିଥିବ ପାଲା ?’’

 

ତା କଥା ଶୁଣି କୃଷ୍ଣ ମିଶ୍ର ଆନନ୍ଦରେ ଅଧୀର ହୋଇଗଲେ । ତାଙ୍କୁ ଲାଗିଲା, ଗୋଲି ସାହୁ ନୁହେଁ, ସତେ ଯେପରି ସେ ନିଜ ନୈତିକ ଉନ୍ନତି ବାଟରେ କାହିଁ କେତେ ଉପରକୁ ଉଠିଗଲେ, ସଂସାରର ସାନ ସାନ କଥା ରହିଗଲା କେତେ ତଳେ, ବାଦ ଛେଦ କଳି ଗୋଳ ସ୍ୱାର୍ଥପରତା ପରର ଦେଖି ହାଂସ୍‌ହାଁସିଆ ପଣ । ସବୁ ଅଲଗା ହୋଇଯାଇ ତଳେ ପଡ଼ିଗଲା । ନିର୍ଭୀକ ହୋଇ ବାହାରି ପଡ଼ିଲା ତେଜୋମୟ ସ୍ୱରୂପ, ଆନନ୍ଦ ଓ ପ୍ରେମରେ ସେ ଆତ୍ମପ୍ରକାଶ କରିଛି, ତାଠିଁ ପର ଆପଣା ନାହିଁ ।

 

ସାହି ଦାଣ୍ଡବାଟେ ଘରମୁହାଁ ହୋଇଗଲା ବେଳକୁ ଦୁଇ ପାଖେ ଉଚ୍ଚ ପିଣ୍ଢା ଆଗରେ ଚଉରା ମୂଳେ ଧାଡ଼ି ଧାଡ଼ି ହୋଇ ସଳିତା ଜଳୁଥାଏ । ଏତେ ଘର, ଭିନେ ଭିନେ, ଏତେ ଶଳିତା, କେତେ ଲୋକ ବଳିଛନ୍ତି । କିନ୍ତୁ ସବୁଠିଁ ସେହି ଏକା ଜ୍ୟୋତିର ପ୍ରକାଶ ।

 

ଏଇ ସଞ୍ଜ ଓହ୍ଲେଇଥିବ ଭାରତଯାକର ଅଗଣିତ ପୁର ପଲ୍ଲୀରେ । ହିମାଳୟ ଠାରୁ କୁମାରିକାଯାକେ, ସେମାନେ ବି କ’ଣ ସଞ୍ଜ ସଳିତା ଜାଳିଥିବେ ! ହେଇତ ଶୁଭିଲା ଆଳତି ବେଳର ଘଣ୍ଟା ଶବ୍ଦ । କାହା ଘରେ କିଏ ଶଙ୍ଖ ବଜାଇଲା । ଏଇ ଶବ୍‌ଦ କ’ଣ ଉଛୁଳୁଥିବ ଭାରତ ଦେଶ ଯାକ ! କେଉଁଠି ସମୁଦ୍ର କୂଳରେ, କେଉଁଠି ନଈ କୂଳରେ, କେଉଁଠି କେଉଁ ପର୍ବତ ଉପରେ କେଉଁ ଜଙ୍ଗଲ ଘେରେଇ ଗାଁ ଭିତରେ, କେଉଁ ତୋଟା ଗହଳି ଭିତରେ କି ଧାନକ୍ଷେତ ଧଡ଼ିରେ–ଏଇ ଶାନ୍ତ ପବିତ୍ର ସଞ୍ଜରେ ବିରାଟ ଦେଶଯାକ ଘରଘରକର ମଣିଷ ଆପଣା ଆପଣାର ଚୈତନ୍ୟକୁ ନୁଆଇଁ ଦେଇଥିବେ ପ୍ରଣତିରେ । ଯେମିତି ଭଟ୍ଟାରିକା କତିରେ ମହାନଦୀ ଗଣ୍ଡରେ–ଏମିତି ଏ ସଞ୍ଜବୁଡ଼େ ଏକାଠି ମିଶିଯାଏ ଏ ପାଖେ ଭଟ୍ଟାରିକା ମନ୍ଦିରରୁ ସେ ପାଖେ କଣ୍ଟିଲୋର ନୀଳମାଧବଙ୍କ ମନ୍ଦିରରୁ ମଝିରେ ସିଂହନାଥଙ୍କ ମନ୍ଦିରରୁ ଏ ପାଖେ ବାଣେଶ୍ୱର ପର୍ବତରୁ ଶିବ ମନ୍ଦିରରୁ କୂଳର ଆଉ କେତେ ମନ୍ଦିରରୁ ପବିତ୍ର ଆଳତି ମାଜଣାର ଘଣ୍ଟା ଶବ୍ଦ । ଏଇ ସଞ୍ଜ ଅନ୍ଧାର ଭିତରେ ଏକାଠି ହୋଇଥିବ ପବିତ୍ର ଭାରତ ଭୂମିର ସହସ୍ର ସହସ୍ର ଦେଉଳରୁ ଲକ୍ଷ ଲକ୍ଷ ଘରୁ ସଞ୍ଜ ଆଳତିର ବାଜଣା, ସବୁଠିଁ ଜଳୁଥିବ ଶଳିତା, ଯେମିତି ଜଳି ଆସିଛି ଯୁଗେ ଯୁଗେ, କେତେ ହଜାର ବର୍ଷ ବିତି ଗଲାଣି ଆହୁରି ବିତିବ । ସେହି ଶହ ଶହ ବର୍ଷର ଶିଉଳି ଲାଗିଥିବା ଦେଉଳ ଗମ୍ଭୀରା ଭିତରେ ଅଦ୍ୟାପି ଆଳତି ହୋଇ ଜଳୁଛି । ଭାରତର ଅପରାଜେୟ ପ୍ରାଣ । କାହାର ଶକ୍ତି ଅଛି ତାକୁ ରୋଧି ପାରିବ ? କେବେ କେଉଁ ସଞ୍ଜରେ ଆକୁମାରୀ–ହିମାଚଳ ସେହି ଅଗଣିତ ସଞ୍ଜ ସଳିତା ଆଉ ଇଂରେଜ ରାଜତ୍ୱ ଗଲା । ପୁଣି ଏମିତି ସଞ୍ଜରେ ସବୁ ଶିଖାରେ ସଂକଳ୍ପ ହେବ ଚୀନା ଶତ୍ରୁ ଦୂର ହେଉ, ଦ୍ୱିଷାଂ ଜହି ଦ୍ୱିଷାଂ ଜହି, କୋଟି କୋଟି ହାତ ଆୟୁଧ ଉଞ୍ଚେଇ ଏକାଠି ଉଠିବ, ଏ ଶତ୍ରୁବି ଦୂର ହେବ, ସବୁ ତ୍ୟାଗର କ୍ଷତ ମଉଳି ପଡ଼ିବ, ସବୁ ତିକ୍ତ ଅନୁଭୂତି ଦୁଃସ୍ୱପ୍ନ ପରି ଭୁଲି ହେବ, ଜାତିର ଅକଳନ ଯୁଗ ଚେତନାରେ କେଜାଣି ସହସ୍ରେ ଅସୁରଙ୍କ ତାଲିକାରେ ଯୋଡ଼ିହେବ ଆଉ ଗୋଟାଏ ନୂଆ ନାଁ, ପୁରାଣରେ ପୂରାଇ ଗାଇାବାକୁ ।

 

ସଞ୍ଜ ଆଳତିର ବାଜଣା ବାଜୁଥିବ ।

 

ସନ୍ଧ୍ୟା ଦୀପ ଜଳୁଥିବ ।

 

ଫିମ୍ପି ମରା ଦେଉଳ ମଥାନରେ ବରଷକେ ଥରେ ଉଠୁଥିବ ମୃତ୍ୟୁଞ୍ଜୟ ଜାଗର ନିଶାଣ, ଜୀବନ ଆଲୁଅ ଓ ଅଭୟର ପ୍ରତୀକ ହୋଇ ।

 

‘‘ଏକ, ଆମେ ଏକ, ସୁଖ ଦୁଃଖରେ ଆଲୁଅ ଅନ୍ଧାରରେ ଯୁଗ ଯୁଗର ଛନ୍ଦାଛନ୍ଦି, ଯେତେ ରୂପ, ଯେତେ ଭେକ, ଯେତେ ଭାଷା ଜାତି, ଯେତେ ସହର, ଯେତେ ପଲ୍ଲୀ, ସବୁ ମିଶି ଯୁଗ ଯୁଗଯାକ ଏକ, ଏକ ହୋଇ ଅମର, ଅଜେୟ ।’’

 

ଏହି ଭାବ ଉଛୁଳୁ ଥାଏ ତାଙ୍କ ହୃଦୟ ଭିତରେ । ଅଜଣା ପୁଲକରେ ପ୍ରାଣ ପୂରି ଉଠିଲା-। ସେ ନଇଁପଡ଼ି ନମସ୍କାର କଲେ ।

 

ସେହି ନମସ୍କାର ସହିତ ଆପେ ଆପେ ତାଙ୍କର ଯେପରି କି ଆତ୍ମ ନିବେଦନ ଓ ଆତ୍ମସମର୍ପଣ ହିଁ ହୋଇଗଲା । ଲାଗିଲା ଏହି ଯୁଗାନ୍ତକାରୀ ଐତିହାସିକ ଘଟନା ସହିତ ବିନା ଦ୍ୱିଧା ବିନା ସଂକୋଚରେ ଆପଣାକୁ ମିଶାଇ ଦେବାକୁ ସେ ପ୍ରସ୍ତୁତ । ଗଛ ମୂଳେ ରାନ୍ଧିଖାଇ ହାଣ୍ଡି ବାଡ଼େଇ ଦେଇ ଆଗକୁ ଚାଲିବାକୁ ସେ ପ୍ରସ୍ତୁତ । ଅଠତିରିଶି ବର୍ଷର ଆୟୁଷ ଏହି ଦେହେ ଦେହେ ବିତି ଯାଇଛି, ଗୋଟାଏ ଜନ୍ମପାଇଁ ଏତିକିହିଁ ଅଧିକରୁ ଅଧିକ । ଅମୃତରୁ ସନ୍ଧାନ ପାଇଁ ସମୁଦ୍ର ମନ୍ଥିବାକୁ ଆବେଗ ଉଚ୍ଚାଟ କରୁଛି, ଜୀବନର ସନ୍ଧାନ ମିଳିବ ଜୀବନ ଉଜୁଡ଼ା ବାଟରେ ।

 

ପର ଆଗରେ ବଖାଣିଲା ବେଳେ, ପରକୁ ବୁଝାଇଲା ବେଳେ, ଆପଣା ଭିତରର ସ୍ୱରୂପ ଆପଣାକୁ ପ୍ରକଟ କରିବାକୁହିଁ ଚେଷ୍ଟା କରୁଥିଲା, ଆଉ ଛନ୍ଦ ହୋଇ ଛାଟିପିଟି ହେଉଥିଲା, ଘୋରିପୁରି ହୋଇ ଶୋଇ ରହିଥିବା ଲୋକ ହଠାତ୍‌ ନିଦରୁ ଉଠି ଫୁଙ୍ଗା ହୋଇ ଓହ୍ଲାଇ ଆସିବାବେଳେ ଯେମିତି ଘୋରିହେଲା ଛନ୍ଦୁରି ହେଲେ ଛାଟିପିଟି ହୁଏ ସେମିତି ।

 

ଘର । ସ୍ତ୍ରୀ । ଯୋଡ଼ିଏ ଝିଅ, ପନ୍ଦର ଓ ତେର ବର୍ଷର, ଗୋଟିଏ ପୁଅ ଆଠ ବର୍ଷର, ଆରଟି ଚାରି ବର୍ଷର । ସବୁ ଯାଇ ଜମି ଚାରି ମାଣ । ସେହି ସଞ୍ଜ ଅନ୍ଧାରରେ ଘରୁ ଆସିଲା ନୀରବରେ ଅଳି କରିବାକୁ । ଛୁଆ, ଡିମ୍ବ, କଣ୍ଟା ପଖି ଲାଗି ନାହିଁ । ବ୍ରାହ୍ମଣ ଘର । ଝିଅ ଦୁହେଁ ବିଭା ହୁଅନ୍ତେ । ପୁଅ ଦୁହେଁ ମଣିଷ ହୁଅନ୍ତେ । ସେମାନେ ଅପାରଗ । ଏକମାତ୍ର ପୋଷଣାହାରି । ନ ହେଲେ କିଏ ଅନେଇବ ? ସବୁ ମିଶି ଘର ଧରୁଛି ନାନା ରୂପ । ଲୋଭୋଉଛି । ଡରୋଉଛି । କାନ୍ଦି କନ୍ଦାଇବାକୁ ମନ କରୁଛି । ପାରୁନାହିଁ ।

 

‘‘ତୁମରିମାନଙ୍କ ପାଇଁ ତ’’–ସେହି କଳ୍ପିତ ଘରକୁ ସେ ହୃଦୟ ଭିତରେ ତୁନି ତୁନି କହିଲେ ଏମିତି ତୁମରି ପରି ଲକ୍ଷ ଲକ୍ଷ ଘର ପାଇଁ, ତୁମର ଭବିଷ୍ୟତକୁ ଉଜ୍ଜ୍ୱଳ ନିରଙ୍କୁଶ କରିବା ପାଇଁ, ଲଜ୍ଜା ଅପଯଶ ଅମର୍ଯ୍ୟାଦା ଆଉ ମରଣ ମୁହଁରୁ ତୁମମାନଙ୍କୁ ବଞ୍ଚାଇ ନିରାପଦ ରଖିବା ପାଇଁ, ଆଉ ତୁମର ପୁଅ ନାତିମାନଙ୍କ ପଣନାତିମାନଙ୍କ ପାଇଁ ଆମ ସମସ୍ତିଙ୍କୁ ଏ ତପଶ୍ଚର୍ଯ୍ୟା କରିବାକୁହିଁ ପଡ଼ିବ-। ଝଡ଼ୁ ଏ ଦେହ, ଶଳିତା ଜଳି ପାଉଁଶ ହେବ ତ ହେଉ, ଜାଗର ଜଳୁଥିବ ଉଜାଗର ହୋଇ-।’’

 

ଅନ୍ଧାରରେ ଘରର ସେ ରୂପ ଉଇଁଥିଲା, ପୁଣି ଅନ୍ଧାରରେ ଅସ୍ତ ହୋଇଯାଉଛି । ଆଖି ଆଗରେ ଦିଶୁଛି ନଡ଼ିଆ ଗଛ ଧାଡ଼ିକ । ସେ କରେ ଧାଡ଼ିଏ ଉଚ୍ଚ ପିଣ୍ଢା ତଳେ ପାହାଚ ପାହାଚ ହୋଇ ସ୍ଥାନେ ସ୍ଥାନେ ଦୁଆର ମୁହଁଗୁଡ଼ିଏ, ଉପରେ ଗାର ପରି ଚାଳ । ଆଗରେ ଫରଚା ଦାଣ୍ଡକୁ ବେଢ଼ି ନଡ଼ିଆ ଗଛ ଗୁଆ ଗଛ ଗୁଡ଼ିଏ । ଏଇ ଦାଣ୍ଡରେ ଛାମୁଣ୍ଡିଆ ହୋଇ ଲମ୍ବା ବେଦୀ ଉପରେ ଏକାଠି ପାଞ୍ଚ ଜଣ ବ୍ରାହ୍ମଣ ପିଲା ବଡ଼ୁ ହୋଇଥିଲେ, ସେଥିରୁ ଜଣେ ସେ ନିଜେ । ତଳେ କେତେ ସୁନ୍ଦର ସୁନ୍ଦର ମୁରୁଜ ଓ ଚାଉଳ ଗୁଣ୍ଡି ବିଞ୍ଛାହୋଇ ଛବି ଅଙ୍କା ହୋଇଥିଲା, ପୂର୍ଣ୍ଣ କୁମ୍ଭମାନ ଥୁଆ ହୋଇଥିଲା, କଦଳୀ ପତ୍ର, ଫୁଲ, ଫଳ, ଦୀପ ଠାଆ ଠାଆ ହୋଇ ପାଞ୍ଚ ଜାଗାରେ ନାନା ଉପରକଣ ସଜାହୋଇ ରଖା ହୋଇଥିଲା, ପୁରୋହିତମାନେ ବସିଥିଲେ, ହୋମ ହେଉଥିଲା । ବାଜା, ଶଙ୍ଖ, ହୁଳହୁଳି, ବେଦ ମନ୍ତ୍ର ଉଚ୍ଚାରଣ, ହୋମ ଘିଅର ଉତ୍ତେଜକ ସୁଗନ୍ଧ । ଗହଳି ଭିଡ଼, ସ୍ତ୍ରୀ, ପୁରୁଷ, ଜୁଳୁଜୁଳୁ ଆଖି ମାଳ ମାଳ, ହସ କେରା କେରା, ସବୁ ମୁହଁରେ ତୃପ୍ତି, ଆଶୀର୍ବାଦ, କଲ୍ୟାଣ-। ନଡ଼ିଆ ବାହୁଙ୍ଗାମାନ ଆସ୍ତେ ଆସ୍ତେ କର ଲେଉଟାଉ ଥାଏ । ଦୁରରେ କେତେ ଉଚ୍ଚରେ ସରଗପୁରର ପାଲିସ୍‌ ନେଳି ।

 

କେବେ ସେ, ମନେ ନାହିଁ ।

 

ଜୀବନର ଆରମ୍ଭ ସେତେବେଳେ ।

 

ସତେ ଯେମିତି ସୂର୍ଯ୍ୟ ବି ଥିଲା କଅଁଳ, ତା ମୁହଁରୁ ଖିର ବୋହି ପଡ଼ୁଥିଲା । ସେହି ଦିନ ସତେ ଯେମିତି ଚେତନା ଭିତରେ କ’ଣ ଗଜା ଆଙ୍କୁରି ଥିଲା । ଲାଗୁଥିଲା ‘‘ମୁଁ ସାଧାରଣ ନୁହେଁ, ମୋ ଭିତରେ ଏପରି କିଛି ଗୋଟାଏ ଅଛି ଯାହା ଗୁପ୍ତ, ମୂଲ୍ୟବାନ୍‌, ଅସାଧାରଣ । ସମୟ ଆସିଲେ ସେ ଦେଖାଦେବ ।’’ ମନ୍ତ୍ର ବୋଲି ବୋଲି ସେମାନେ ପଇତା ବଳି ବାନ୍ଧିଦେଲେ । ଲାଗୁଥିଲା ‘‘ଏ ବି ତାହାରି ସଙ୍କେତ । ଭିତରର ଅସାଧାରଣ ଶକ୍ତିର ସମତୁଲ ହେବାପାଇଁ ବାହାରେ ଅସାଧାରଣ ଦାୟିତ୍ୱର ବୋଝ, ତାକୁ ଦେହରେ ଓହଳାଇଲା ପରେ ଆଉ କୌଣସି ଦାୟିତ୍ୱ ତାଠୁଁ ବେଶି ଓଜନ ନୁହେଁ, ବେଶି କଷ୍ଟ ନୁହେଁ ।’’ ସେତେବେଳେ ଲଣ୍ଡା ମୁଣ୍ଡ ହୋଇ ଜାଲ କୌପୁନୀ ମାରି ଅଖା ପକାଇ ପରୁଡ଼ି ମସୁଣି ଧରି ବରଡ଼ା ପତ୍ର ଛତା ଓ ବାଡ଼ିଟିଏ ଧରି ବାଳ ବ୍ରହ୍ମଚାରୀ ବେଶରେ ଠିଆ ହେଲାବେଳେ ଲାଗିଥିଲା ତ୍ୟାଗହିଁ ତପସ୍ୟାର ଉପାୟ, ମୁଁ କିଛି ନୁହେଁ, ପଣହିଁ ସଂସାର ଭିତରେ ଶ୍ରେଷ୍ଠତମ ସମ୍ପଦ । ଦେଖି ଅନୁଭବ କରି ସବୁ ସମ୍ପାଦି ସବୁ ଫୋପାଡ଼ି ଦେଇ ଚାଲି ଯିବାକୁ ପ୍ରସ୍ତୁତ ହେବାହିଁ ଜୀବନର ପ୍ରସ୍ତୁତି । ନିଜକୁ ନିଜେ ବିସ୍ମୟକର ଲାଗୁଥିଲା, ଖାଲି ଭାବପ୍ରବଣତା ନୁହେଁ, ବଢ଼ନ୍ତା ଜୀବନର ସକାଳ ପହରେ ଆଶ୍ଚର୍ଯ୍ୟ ଭାବ ଉହାଡ଼ରେ କ’ଣ ଛପିଲା ତାତ୍ପର୍ଯ୍ୟର ହଲଚଲ ବାରି ହେଉଥିଲା ।

 

ତା ପରେ ଗଲାଣି ଚାଲି କେତେକାଳ ସତେ ଯେମିତି ତା କଳନା ନାହିଁ, ସେ ତାତ୍ପର୍ଯ୍ୟର ସ୍ୱରୂପ ଧରାଦେଲା ଭଳି ହୋଇ ପୁଣି କୁଆଡ଼େ ଛପିଯାଏ, ସାଧାରଣ ଭିତରେ ଗୋଠରେ ଗୋରୁ ପରି ବାଟ ଚାଲୁ ଚାଲୁ ଅସାଧାରଣ ଲୁଚି ରହେ କେଉଁ କୁହୁଡ଼ିଆ ଦିଗ୍‌ବଳୟ ସେ କରେ, ପାଖକୁ ଆସେ ନାହିଁ । ତା ପରେ ସାଧନାର କାହାଣୀ । କେତେଥର ନିଛାଟିଆ ସ୍ଥଳରେ ଏକୁଟିଆ ରହି କେଉଁ ମେଘ ଧୂମାଳିଆ ଉଆଁସ ରାତିରେ, କେଉଁ ନିର୍ଜନ ତୋଟାରେ ଜହ୍ନ ରାତିରେ, କେତେବେଳେ କେଉଁ ପଥର ମୂର୍ତ୍ତିର ମୁହାଁମୁହିଁ ବସି, କେତେବେଳେ ମାଟି ମୂର୍ତ୍ତିକୁ ଅନାଇଁ, କେତେବେଳେ ଶବ ମୁହଁକୁ, ଅନ୍ତର ଭିତରର ନିଭୃତ ତାତ୍‌ପର୍ଯ୍ୟ ଆଖି ଆଗରେ ଫୁଲ ଫୁଟିବ ଫୁଲ ଫୁଟିବ ବୋଲି ଲାଗେ, ଫୁଟେ ନାହିଁ ।

 

କିନ୍ତୁ ଆଜି ଏ ବିଚିତ୍ର ଅନୁଭୂତି । ସବୁ ପର୍ଦ୍ଦା ଉଠି ଉଠି ଯାଉଛି । ସବୁ କବାଟ ସବୁ ଝରକା ଖୋଲା । ଅତଳ ନଈଗଣ୍ଡ ଭିତରକୁ ଭେଦି ସୂର୍ଯ୍ୟ କିରଣ ପଶିଲା ପରି ନିଜ ଭିତରର ସବୁ ଗଭୀରତାକୁ ଆଲୁଅ କରି ଦିଶି ଯାଉଛି ଜୀବନର ଛପିଲା ତାତ୍ପର୍ଯ୍ୟ, ସେ ୟେ ଜଗତର କଲ୍ୟାଣ ପାଇଁ ଚରମ ତ୍ୟାଗ । ପିଠିରେ ଜଗତଯାକଙ୍କ ବୋଝ ଗଣ୍ଡିରା, ଜୀବନ ତାଙ୍କରି ପାଇଁ, ଆହୁରି ତଳକୁ–ତାଙ୍କରି ପାଇଁ ଦେହରୁ ଝରୁଛି ରକ୍ତ, ପିଣ୍ଡରୁ ଛାଡ଼ୁଛି ପ୍ରାଣ । ଆହୁରି ତଳକୁ–ସେଠି ଶୋକ କି ଯନ୍ତ୍ରଣାର ଚେତନା ନାହିଁ, ଜଗତଯାକଙ୍କ ଜୀବନ ସଙ୍ଗରେ ଏକ ହୋଇ ଖେଳୁଛି ତାଙ୍କ ଜୀବନ । ସେଠି ହିଂସା ନାହିଁ, ବୈର ନାହିଁ, ଭୟ ନାହିଁ ।

 

‘‘ଏଥିର ମୁଁ ପଦ୍ମରେ ମଣି ଦେଖିବି, ଦେଖିବି ଜ୍ୟୋତି ।’’ ଆପଣା ପିଣ୍ଢାରେ ବସିଛନ୍ତି । ଆଖି ବୁଜି ହୋଇଯାଇଛି । ଦେହ ନିଶ୍ଚଳ । ଖୁଣ୍ଟ ତଳର ବହଳ ଅନ୍ଧାରରେ ମିଶି ଯାଇଛି । ‘‘ଜ୍ୟୋତି–ଜ୍ୟୋତି ।’’ କାହିଁ ସେ ? ସତେ ଯେମିତି ଚାଉଁ ଚାଉଁ ଜହ୍ନ ଆଲୁଅରେ ନିଶା ରାତି । ଧାଡ଼ି ହୋଇ ଫାଇଁ ଫାଇଁ ହୋଇ ଜଳିଲା ମଶାଣିର ଯୂଇ ନିଆଁମାନ । ସେଠୁ ଉଠି ଆସୁଛନ୍ତି ଧାଡ଼ି ବାନ୍ଧି ଦଳ ଦଳ ଛାଇ । ସେମାନେ ଯୋଗରେ ବିଘ୍ନ କରିବେ ଯଜ୍ଞବେଦୀ ଅପବିତ୍ର କରିବେ । ନିଷ୍ଠୁର ହତ୍ୟା ଲୁଣ୍ଠନ ଅତ୍ୟାଚାରର ବିଭୀଷିକାର ଆଗୁଆଣି ଥାଟ, ସେମାନଙ୍କର ଦେଶ ନାହିଁ ଜାତି ନାହିଁ ଘର ନାହିଁ, କେତେବେଳେ ଦିଗ୍‌ବଳୟର କେଉଁ କଣରୁ ଉଠି ଆସନ୍ତି, ଅତୀତର ଅନ୍ଧାରି ପାହାଡ଼ ଉହାଡ଼ରୁ ମାଡ଼ି ଆସୁଛନ୍ତି ରକ୍ତରଙ୍କୁଣା ଅଶାନ୍ତ ଅମୋକ୍ଷ ପ୍ରେତଦଳ, ପୁରାଣର କେତେ ଅସୁର, ରାକ୍ଷସ, ଇତିହାସର କେତେ ସିଜର୍‌ ଆଲେକ୍‌ଜାଣ୍ଡର୍‌ ନେପୋଲିଅନ୍‌ ହିଟ୍‌ଲର୍‌, କେତେ ଚେଙ୍ଗିଜ୍‌ ଖାଁ ମାହ୍‌ମୁଦ୍‌, ତୈମୂର୍‌, କେତେ ବିଚିକିଟିଆ ନାଁ ବିଚିକିଟିଆ ବେଶ, କ୍ଲିଷ୍ଟ ଆତ୍ମା, ଆଜି ସେମାନଙ୍କ ରୂପ ଭେକ ଭିନ୍ନେ । ଏଥର ପରିଷ୍କାର ଦିଶୁଛି ତାଙ୍କ ରୂପ, ବରଫ ଲଦା ଆକାଶୀ ପାହାଡ଼ମାନଙ୍କ ଢାଲୁଏ ଢାଲୁଏ, ଛାଇ ଦିଶୁଛି ରକ୍ତ ମାଂସର ମଣିଷ ପରି, ବାସି ହଳଦି ବର୍ଣ୍ଣର ପାତଳ ଭ୍ରୂଲତା, ଧାର ଆଖି, ନାକ ଚେପ୍‌ଟା, ଆଜି ସେମାନେ ଆସିଛନ୍ତି ଏଇ ଚୀନା ମଣିଷ ରୂପରେ । ଆଶ୍ଚର୍ଯ୍ୟ, ଅତି ଆଶ୍ଚର୍ଯ୍ୟ । ସେହି ପୁରୁଣା ମୁଖା–ମୁହଁ ଆଜି ପାଗଳ ହିଂସାରେ କୁଞ୍ଚିକୁଞ୍ଚିକା, ଧ୍ୟାନରେ ବସିଲା ଭଳି ଯେଉଁ ଆଖିର ଚାହାଣି ଦିଶୁଥିଲା ସ୍ଥିର, ବିନିଷ୍ଟ, ସେଥିରେ ଆଜି ହତ୍ୟା ଆକ୍ରମଣର ନାଳି ଝଡ଼-। ସଂସାର ଯାକ ଆଖି ବୁଲାଇ ଅସୁରର ପ୍ରେତ ତାକୁହିଁ ବାଛିଲା ଅବତରିବାକୁ ।

 

ସେତେବେଳେ ସେମାନେ ଆସିଥିଲେ ଆଉ ଧ୍ୱଂସ ହୋଇଥିଲେ, ପୁଣି ଆସିଥିଲେ ଆଉ ଧ୍ୱଂସ ହୋଇଥିଲେ, ଯେତେ ଥର ଯେଡ଼େ ସଂଘର୍ଷ ଲଗାଇ ଗର୍ଜନରେ ଆକାଶ ଫଟାଇ ଆସିଥିଲେ ସେତେ ଥର ସେ ଥାଟ ହଟିଥିଲେ ।

 

ପୁଣି ଆସିଛନ୍ତି ।

 

‘‘ପ୍ରତିରୋଧ, ପ୍ରତିରୋଧ, ନିସ୍କ୍ରିୟତା ନୁହେଁ, ନିର୍ଲିପ୍ତତା ନୁହେଁ, ପ୍ରତିରୋଧ । ଅସୁର ବାରମ୍ବାର ଜନ୍ମ ହୋଇଛି ବୋଲି ତ ଦେବତା ବି ବାରମ୍ବାର ମଣିଷ ହୋଇ ଜନ୍ମ ହୋଇଛି, ଅସୁର ଦେବତାକୁ ଖୋଜିଛି ଦେବତା ଅସୁରକୁ, ମଣିଷ ଭିତରେ ସେହି ଦେବତା ପୁଣି ଚେଇଁ ଉଠିବ ଅସୁରକୁ ନିପାତ କରିବା ପାଇଁ ।’’

 

ଏଇ ବାଣୀ ଦେଲା ଅନ୍ତର ।

 

ଆଖି ଖୋଲିଲେ । ଲାଗିଲା ଯେପରି କି ଜନ୍ମ ଜନ୍ମର କେତେ ଅନୁଭୂତି ତାଙ୍କରି ଉପରେ ବୋହି ଯାଇଛି, ହୃଦୟ ଥରି ନାହିଁ, ଡରି ନାହିଁ ।

 

ଠିଆ ହେଲେ । ବାଟ ଘରେ ପଶି ଖଞ୍ଜା ଭିତରକୁ ଗଲେ । ମଝି ଘରେ ଆଲୁଅ ଦିଶୁଛି-। ସ୍ତ୍ରୀ ଲୋକମାନଙ୍କ ପାଟି ଶୁଭୁଛି । ପାଖ ଘରେ ନଲଟଣ ଜାଳି ସପ ଉପରେ ପିଲାଏ ପଢ଼ୁଛନ୍ତି । ତାଙ୍କ ସ୍ତ୍ରୀ ନିର୍ମଳା ଆସି କହିଲେ, ‘‘ଆଜି ଡେରି ହେଲାଣି । ସ୍ନାନ କରିବ ନାହିଁ ?’’

 

ପାଟିରୁ ବାହାରିଗଲା, ‘‘ପ୍ରୟୋଜନ କ’ଣ ?’’

 

ନିର୍ମଳା ଆଶ୍ଚର୍ଯ୍ୟ ହେଲେ ନାହିଁ । କହିଲେ ‘‘ଟିକିଏ ଆଡ଼ ହୁଅନ୍ତ ନାହିଁ ? ସେମାନେ ଯିବେ ।’’

 

କୃଷ୍ଣ ମିଶ୍ର କହିଲେ, ‘‘ତା ବି ଦରକାର ?’’

 

‘‘ନ ହେଲେ ଭେଟେଣା ହେବେ ଯେ, ଏଇ ଯେଉଁ ନିଶ ଦାଢ଼ୀ ମୁଣ୍ଡବାଳ ।’’

 

ନିର୍ମଳା ହସିଲେ । କୃଷ୍ଣ ମିଶ୍ର ପଢ଼ା ଘରେ ପଶିଲେ । କବାଟ ଆଉଜାଇଲେ । ଆଠ ବର୍ଷର ପୁଅ ପରଶୁ ବହି ଥୋଇଦେଇ ସମ୍ବାଦ ଦେଲା, ଆଜି କୁନା ଘରେ କୁକୁର ଛୁଆଙ୍କ ଆଖି ଫିଟିଛି । ଆଜି ଦି ପହରେ କେତେ ମଣିଷ ଆସିଥିଲେ, ଗ୍ରାମସେବିକା, କୁନା ବୋଉ, ରତନ ବୋଉ, ନିଖର ନାନୀ, ଆଉ ...

 

ତା ଉପର ଝିଅ ସାବ ମାଡ଼ି ବସି କଥା ଗପିଗଲା ‘‘ହଁ ସତେରେ, କେତେ ଲୋକ ଆସିଥିଲେ, ସେ ଚୀନା ଯୁଦ୍ଧ ପାଇଁ ବୋଉ ତା କାନଫୁଲ ଦେଇଦେଲା, କେତେ ସୁନା ସୋମନେ ଆଣିଥିଲେ । ଦି ପହର ଯାକ କେତେ ଲୋକ ବସି ଊଲ୍‌ରେ ବୁଣୁଥିଲେ, ଆମ ସୈନ୍ୟଙ୍କ ପାଇଁ ପରା ସ୍ପେଟରେ ବୁଣା ହେଉଛି । ବୋଉ ବି ଖଣ୍ଡେ ବୁଣୁଚି ଯେ– ’’

 

ସେ ପଚାରିଲେ, ‘‘ଆଉ ମୋ ପାଇଁ ?’’

 

ସମସ୍ତେ ହସିଲେ ।

 

ଚାରି ବର୍ଷର ପୁଅ ଅଜାମିଳ ସପରେ ଶୋଇ ପଡ଼ିଛି । ବିଳିବିଳେଇଲା । ତାକୁ କୋଡ଼କୁ ଟେକିନେଇ କୃଷ୍ଣ ମିଶ୍ର କହିଲେ ‘‘ହସୁଚ କ’ଣ ? ମୋ ପେଇଁ ତମମାନଙ୍କ ପେଇଁ ତୋ ବୋଉ ସ୍ପେଟର ବୁଣିବ ନାଇଁ ?’’

 

ପରଶୁ କହିଲା ‘‘ଆମେ ଯୁଦ୍ଧ କରୁଚୁଁ କି ?’’ ଗେହ୍ଲେଇ ହୋଇ ବେକକୁ ବେଢ଼ାଇ ଧରି ପଚାରିଲା, ‘‘ନନା, ଆଜି ଜାଣିଚ କ’ଣ ହେଲା ? ଆମ ଦୁତିଅ ଶ୍ରେଣୀ ଯୁଦ୍ଧ ପାଇଁ ଚାନ୍ଦା ଦେଲୁଁ ତିନି ଟଙ୍କା, ତୃତିଅ ଶ୍ରେଣୀ ମୋଟେ ଅଢ଼େଇ ଟଙ୍କା ଦେଲେ, ଆମେ ଜିତିଗୁଲୁଁ । ବୋଉଠୁଁ ନେଇଥିଲି ଦୁଇଅଣା, ସବୁଯାକ ଦେଇଦେଲି । ଭଲ ହେଲା ନାହିଁ ?’’ ପରଶୁ ଆଗ୍ରହରେ ମୁହଁ ବଢ଼ାଇ ସମର୍ଥନ ଖୋଜିଲା । ଆପଣା ଲମ୍ବା ଦାଢ଼ୀରେ ତା’ର କଅଁଳିଆ ମୁହଁକୁ ଘୋଡ଼ାଇ ପକାଇ କୃଷ୍ଣ ମିଶ୍ର କହିଲେ ‘‘ଭଲ ବୋଲି ଭଲ ? ଭାରି ଭଲ ହେଲା ।’’

 

ସାବିତ୍ରୀ ବାହାଦୂରି ଦେଖାଇ କହିଲା ‘‘ନନା, ଦେଖିଲ ମୋ କାନକୁ ।’’

 

ସତେତ, ସରୁ ସରୁ ସୁନା ଫାଶିଆ ଯୋଡ଼ିଏ ତା’ର ତଳିକାନ ମଣ୍ଡନ କରୁଥିଲା, ଆଉ ତା ନାହିଁ ।

 

‘‘ସେଇ ରେଣୁ ଅପା, ଗ୍ରାମସେବିକାମାନଙ୍କୁ, ଯୁଦ୍ଧପାଇଁ ମାଗିଲେ, ଦେଇଦେଲି । ଏକା ମୁଁ ? କେତେ ପିଲା ଦେଲେଣି । ଯୁଦ୍ଧକୁ ଯିବ । କିଣା ହେବ ବନ୍ଧୁକ, ତୋପ, ଖଣ୍ଡା, ଆମ ସୈନ୍ୟମାନେ ଲଢ଼ୁଛନ୍ତି । କେଡ଼େ ମଜା !’’

 

ପରଶୁ ଆଖି ମିଟି ମିଟି କରି ପଚାରିଲା ‘‘ନନା, ସେ ଯେଉଁ ଚୀନାମାନେ ଆମ ଦେଶକୁ ଆକ୍ରମଣ କରିଛନ୍ତି–’’

 

ଆଠ ବର୍ଷର ପିଲାର ତୁଣ୍ଡରେ, ‘ଆକ୍ରମଣ’ ଶବ୍ଦଟା କେଡ଼େ ଅଖାଡ଼ୁଆ ଶୁଭୁଥିଲା, ଯେମିତି ଏଇ କଅଁଳ ମୁହଁ ଉପରେ, ଏଇ ଯେଉଁଠି ଅତି ସରୁ ସରୁ ମଖମଲି ରୁମ ନରମ ଲହୁଣି ଉପରେ ଗଜୁରିଲା ପରି ଦିଶୁଛି କି ନାହିଁ, ଯେଉଁଠି ବହଳ ହୋଇ ଲାଗିଛି କେଉଁ ଅନାମିକା ଫୁଲର ପରାପର ପୁଟ, ଏଇ ଯେଉଁ ମୁହଁ ଖୋଜେ କଅଁଳ ପାପୁଲିର ଧୀର ଆଉଁସା ଉଷୁମ ଓଠର ଗେଲ, ଅଦିନରେ ଏଠି ନିଶ ଦାଢ଼ୀ ଉଠିଛି । ‘‘ଆକ୍ରମଣ !’’

 

ପରଶୁ ଛେପ ଢୋକି ଢୋକି କହିଲା ‘‘ସେମାନେ, ସେଇ ଚୀନାମାନେ ମ, ସେମାନେ ପିଲାମାନଙ୍କୁ ଦେଖିଲେ କ’ଣ କରନ୍ତି ନନା ?’’

 

କୃଷ୍ଣ ମିଶ୍ର ତୁନି ରହିଲେ । ପରଶୁ ପଚାରିଲା ‘‘କଣ କରନ୍ତି ?’’ ତା ପରେ ତାଙ୍କ କୋଡ଼ରୁ ଜୋର୍‌କରି ଆପଣାକୁ ଫିଟାଇ ନେଇ ଟାଙ୍କି ହୋଇ ଠିଆ ହୋଇପଡ଼ି କହିଲା ‘‘ହୁଁ’’ କହିବ ନାଇଁ ତୁମେ, ନୁହେଁ ? ମୁଁ ଜାଣିଚି ।’’ ଅପାର କାଠ ସ୍କେଲ୍‌ଟା ଉଠାଇ ନେଇ ନାନା ଅଙ୍ଗଭଙ୍ଗୀ କରି କହିଲା ‘‘ମୁଁ ଜାଣିଚି । ସେମାନେ ଛୁରୀରେ ଭୁଷନ୍ତି, ଖଣ୍ଡାରେ ହାଣନ୍ତି, ମାରି ପକାନ୍ତି । ଆମେ ଡରିବୁ ନାହିଁ । ହାଣିବୁଁ, ମାରି ପକାଇବୁଁ, ବନ୍ଧୁକ ଫୁଟାଇବୁଁ, ହେଇ ଦେଖ, ଏମିତି, ଏମିତି –’’ ସେ ବହି କାଗଜ ପାଦରେ ଚକଟି ଘରଯାକ ପ୍ୟାରେଡ଼୍‌ କରି ବୁଲିଲା, କହିଲା ‘‘ଆଉ ଏ ଅପାଟା କ’ଣ କରୁଥିବ ? ଲୁଚିଥିବ ।’’

 

ହଁ ଲୁଚିଥିବ ନା ?’’, ରୁଲ୍‌ବାଡ଼ିକୁ କାନ୍ଧରେ ଶୁଆଇ ଆସ୍ତେ ଆସ୍ତେ ବୁଲିଲା ସାବିତ୍ରୀ, ପାଦ ଗଣିଲା ପରି, କହିଲା ‘‘ହେଇ ଦେଖ୍‌ ବନ୍ଧୁକ, ଢୁ ଢ଼ା ଢୁ ଢ଼ା ଢୁ ଢ଼ା, ହେଇ ଦେଖ୍‌–’’ ତା ରୁଲ୍‌ବାଡ଼ି ଦୁଆର ମୁହଁ ଆଡ଼କୁ ସଳଖ ଲାଖରେ ଉଦ୍ୟତ ରହିଲା, ପାତିଆ ପରି ଦେହ ଧନୁ ପରି ବଙ୍କା ହୋଇ ରହିଲା, ସତେ କି ବନ୍ଧୁକ ମାରିବାକୁ ଏଇ ତା’ର ବାଗ ।

 

କୃଷ୍ଣ ମିଶ୍ର ବେକ ଭାଙ୍ଗି ଦୁଇ ପାପୁଲିରେ ମୁହଁ ଲୁଚାଇଲେ । ‘‘ଦେଖ ନନା, ଦେଖ’’ ପରଶୁ ପାଟି କଲା ।

 

‘‘ହଁ ଦେଖ’’ ସାବିତ୍ରୀ କହିଲା ।

 

ସେମାନେ ଆକ୍ରମଣର ଛାଇ ଦେଖାଉଛନ୍ତି ।

 

କୃଷ୍ଣ ମିଶ୍ର ଆଖି ବୁଜି ଦେଖୁଥିଲେ ଦୃଶ୍ୟ । ଟିକି ପିଲା ଖେଳୁଛନ୍ତି ମାରଣା ଆକ୍ରମଣର ଖେଳ । ପୃଥିବୀଯାକ ସବୁ ଆଡ଼ ହିଂସାରେ ଜୁଡ଼ୁବୁଡ଼ୁ ହୋଇ ଏତିକି ଥିଲା ଧଳା, ଶାନ୍ତିର ଆଦର୍ଶ ହୋଇଥିଲା ଏଠି ଜୀବନର କଳା, ଜୀବନରୁ ହୁରୁହୁରୁ ଫୁରୁଫୁରୁ ଦୁର ହେବ, କଳି ଗୋଳ ଦୁର ହେବ, ଖାଲି ଶାନ୍ତି, ଆନନ୍ଦ, ସବୁଠିଁ ସରଳ ପରିପୂର୍ଣ୍ଣତା । ସେଥିପାଇଁ ଜାତିର ଜନକ ଦେଖାଇଥିଲେ ଗୀତା, ଚରଖା, ଶ୍ରମ, ମୈତ୍ରୀ, ସରଳତା, ଅହିଂସା ତା ପରେ ଘଡ଼ଘଡ଼ି ଡାକିଛି, ଧରଣୀ ଫାଟିଛି, ମଶାଣି ଚିରି କବର ଚିରି ଉଠି ଆସିଛନ୍ତି ଅତୀତର ରଣରଣିଆ ପଲ ପଲ, ଲହୁ ଲୁହାଣ ନିଆଁ ଧୁଆଁମୟ ଆକାଶ ଆଉ ବସୁନ୍ଧରା ମଝିରେ ହାଣିବାକୁ ଜାଳିବାକୁ ଚମକି ଆସେ ଶତ୍ରୂ ଥାଟ, ଆପେ ତା’ର ପ୍ରତିରୋଧ ବାହାରେ, ସୁନ୍ଦରୀ ଅସ୍ତ୍ର ଧରେ, ଶିଶୁ ବି । ଶିଶୁ ହେଉ, ବୃଦ୍ଧ ହେଉ, ସବଳ ହେଉ ଦୁର୍ବଳ ହେଉ ମାନବିକତା ପ୍ରତି ଅପମାନ ଓ ନିର୍ଯ୍ୟାତନା ହେଲେ ଏ ଦେଶର ମଣିଷ ଜବାବ୍‌ ଦେବ, ଇଜ୍ଜତ୍‌କୁ ବଡ଼ କରିବ ଜୀବନର ମୋହଠାରୁ । ନାରୀ ହେଲେ ହେବ ରାଣୀ ଦୁର୍ଗାବତୀ, ରାଣୀ ଲକ୍ଷ୍ମୀବାଈ, ଶିଶୁ ହେଲେ ହେବ ବାଜିରାଉତ । ପ୍ରକୃତରେ ଏ ଦେଶ ମଣିଷ ହୀରା ହୋଇଥିଲେ ଏ ଆଘାତ ତାକୁ ଚିହ୍ନା କରାଇବ, ପୁଣି ରହିଯିବ କାହାଣୀ, କିମ୍ବଦନ୍ତୀ, ଇତିହାସ-

 

କିନ୍ତୁ ଲୋଡ଼ିଥିଲା କିଏ ?

 

କିଏ ଖୋଜିଥିଲା ଆଠ ବରଷର ପରଶୁ ହେଉ ପରଶୁରାମ ତେର ବରଷର ସାବିତ୍ରୀ ହେଉ ଚାମୁଣ୍ଡା ?

 

ତା ପରଦିନ ଚାଲିଯିବ । କେବେ ଯଦି ମା ପେଟରୁ ମାଟି ଛୁଉଁ ଛୁଉଁ ଶୁକଦେବ ଚାଲି ଯାଇଥିଲେ ବ୍ରହ୍ମଜ୍ଞାନ କହିବାକୁ ଭବିଷ୍ୟତରେ କ’ଣ କିଏ ମା ପେଟରୁ ଜନ୍ମହୋଇ ଖଣ୍ଡା ଧରିବ ? ସେହି କ’ଣ ବିଘଟଣ କଳିଯୁଗର କଳ୍‌କି ଅବତାର ? ଏ ପିଲା ଖେଳ ଉହାଡ଼ରେ ଅଛି ପିଲା ମନର କୁହୁଳା ନିଆଁ, ପିଲା ମଣିଷ ହେବ, କୁହୁଳିଲା ନିଆଁ ଜଳିବ, ଶିଖା ମେଲିବ, ଆକାଶକୁ ଚାଟିବାକୁ ଲହ ଲହ ଜିଭ ।

 

ଯାହା ହେବ ହେଉ, ଯେତେ ନିଆଁ ଜଳିବ ଜଳୁ, ଯେତେ ଲୁହ ବୋହିବ ବୋହୁ, ମଡ଼ା ପଡ଼ିବ ପଡ଼ୁ, ଶାନ୍ତି ଆଉ ନିରାପତ୍ତାର ପତିଆରା ଦେଇ ଏ ଦେଶର ମଣିଷ କେବେ ଆଉ ସ୍ୱାଧୀନତାର ମୁଣ୍ଡ ବିକିବେ ନାହିଁ, ଟିକି ପିଲାଏ ବି ତା ବୁଝିଛନ୍ତି, ଚେଇଁ ଉଠିଛନ୍ତି ।

 

ମୁହଁ ଟେକିଲେ । କୌତୁକ କରି ପଚାରିଲେ, ‘‘ଶୁଣ ପରଶୁ କହୁଚି । ଧର ତତେ ଭାରି ବଳୁଆ ଡେଙ୍ଗା ଚୀନା ଶତ୍ରୁଟାଏ ଟେକି ନେଇ ପଳାଇବ, ତୋ ହାତ ଗୋଡ଼ ବାନ୍ଧି ପକାଇଥିବ, ଯାବୁଡ଼ି କରି ଧରିଥିବ, ତୁ ଡାକିଲେ କେହି ଶୁଣୁ ନଥିବ, ତୁ କ’ଣ କରିବୁ ତା ହେଲେ ?’’

 

ସାବ ହସିଲା, କହିଲା ‘‘କଣ ଆଉ କରିବ ? ଭେଁ–’’

 

‘‘ଉଃ, ଭେଁନା !’’

 

‘‘ତୋ ହାତ ଗୋଡ଼ ତ ବନ୍ଧା ହେଇଥିବ, କ’ଣ ଆଉ କରିବୁ ?’’

 

ପରଶୁ କଣେଇ କଣେଇ ଅନାଇଲା, ତା ପରେ କହିଲା ‘‘ଥିବି ଥିବି ଭୁଷ୍‌କରି ତା ନାକକୁ କାମୁଡ଼ି ଦେବି, ହାଉଁ । ସେଉଠୁତ ମତେ ସେ ଛାଡ଼ିଦେବ । ଆଉ କ’ଣ ?’’

 

ସମସ୍ତେ ହୋ ହୋ ହୋଇ ହସିଲେ ।

 

ଆସିଲେ ନିର୍ମଳା । କହିଲେ ‘‘ସେମାନେ ସବୁ ଆସିଥିଲେ, ଡେରି ହୋଇଗଲା ।’’

 

‘‘ଦେଖେଁ କ’ଣ ବୁଣୁଚ ?’’

 

ନିର୍ମଳା ହସିଲେ, କହିଲେ ‘‘ଶୁଣିଲଣି ତା ହେଲେ । ସେ କିଛି ନୁହେଁ । ସମୁଦ୍ରକୁ ଶଙ୍ଖେ ପାଣି । ଯାହାହେଉ, କାହାର ହେଲେ ତ କିଛି କାମରେ ଆସିବ । ଆମ ଛାଏଁ ଆମେ ବସିଚୁ ସୁଖରେ, ଚୂଲିମୁଣ୍ଡ ଅଛି, କବାଟ କିଳି ଚାଳତଳ ଉଷୁମ୍‌ । ଯେ ଆମକୁ ଜଗୁଛନ୍ତି ସେମାନେ ଯାଇ ପାହାଡ଼ ଉପରେ ବରଫ ଉପରେ, ଖାଲି ବରଫ ଜମା ହେଉଛି, ମା’ଲୋ କେଡ଼େ ହେମାଳ ହୋଇଥିବ । ମାହାଳିଆ ନାଁ ହିମାଳୟ !’’

 

‘‘କିଏ କହିଲା ନା ନିଜ ମନକୁ ଭାବୁଚ ?’’

 

‘‘କହିବ କିଏ, ଏତ ଜଣେଇ ଜଣା । ଏଡ଼େ ବଡ଼ ଘଟଣା ଘଟିଲା, ଏଡ଼େ ବିପଦ, ଆପଣା ଜୀବନ ଦେଇ ଦେଶଯାକ ଲୋକଙ୍କୁ ଆମ ସୈନ୍ୟମାନେ ଆଗୁଳିଲେ, ଦିନ ରାତି ଖାଡ଼ା ଖାଡ଼ା ଥିବେ । ସେମାନେ ପୁଣି ତ କାହା ପୁଅ କାହା ଭାଇ କାହା ଗିରସ୍ତ । ଆଉ ହଁ, ଶୁଣିଲଣି ନା, ଦଧି ଆଉ ନଟ ଆଉ ହଟ ତିନିହେଁ ସଜ ହେଲେଣି ଯାଇ ଯୁଦ୍ଧରେ ନାଁ ଲେଖେଇବେ, ତାଙ୍କ ଘରେ ହାଉଯାଉ ଲାଗିଛି, ସେତ କ’ଣ ପଥର, କେତେ କଥା କହି ବୁଝେଇ ଲାଗିଛନ୍ତି । ଆମେ ସାହିଯାକ ମାଇପେ ପରା ସେଇଠି ମେଳା ହୋଇଥିଲୁଁ । ଆମେ କହିଲୁଁ, ଦିନ ତ ସେମିତି ପଡ଼ିଚି, ଅଇଛା ଏଇଟି ତୋର ଏଇଟି ମୋର କଣ, ଦେଶ ଉପରେ ବିପଦ ପଡ଼ିଛି ତ ସମସ୍ତଙ୍କ ଉପରେ ପଡ଼ିଛି । ଯେ ଆଗ ବଳି ପଡ଼ି ବାହାରିଲା ସେ ତ ପୌରୁଷ ଦେଖାଇଲା, ଭଗବାନ ବଳେ ତା ସହାୟ, ଏଥିପାଇଁ ମନ ଦୁଃଖ କଣ, ଛଳ କ’ଣ ?’’

 

‘‘ତୁମେ ୟା କହିଲ ?’’

 

‘‘କଣ ନାଙ୍କରା କହିଲୁ ? ତୁମେ ଭାବ ।’’

 

‘‘ବେଳ ପଡ଼ିଲେ ଯଦି ମୁଁ ଯାଏ–’’

 

‘‘ତୁମ ହୃଦ ଡାକିଲେ ଯାଅ ।’’

 

‘‘ଆଉ ତୁମେ ସବୁ ?’

 

ବେଳ ପଡ଼ିଲେ ଆମେ ବି ଯିବୁଁ ।’’

 

ତୁମେ ସେଠି କ’ଣ କରିବ ମାଇପି ଜାତି ?’’

 

‘‘ବନ୍ଧୁକ ମରା ଶିଖେଇଲେ ବନ୍ଧୁକ ମାରିବୁଁ । ଆଉ କାହାର କିଛି ସେବା ଉପକାର ଦରକାର ପଡ଼ିଲେ ତା କରିବୁଁ । ଘା ଧୋଇ ହେବ ତ ! ଅଇଣ୍ଠା ପତ୍ର ଗୋଟାଇ ହେବ ତ ! ମା ଭଉଣୀଙ୍କ ହାତ ବାଜିଲେ ତାଙ୍କର ସାହସ ବଢ଼ିବ ? ଦେଶ ଯଦି ଡାକିବ, ତେମେ ସବୁ ବି ଆସ, ଆମେ ଯିବୁଁ । ସେତେବେଳ ଯାକେ ଏଇଠି ଇଲାଗେ କେତେ କାମ ?’’

 

‘‘ଏଠି କି କାମ ଭାବିଚ ?’’

 

‘‘କାମ ନାହିଁ ? ଘର ଘର କଳି ଭଙ୍ଗା ହେବ । ଶୋଇଲା ପୁଅକୁ ଚିଆଇଁବାକୁ ହେବ । ଗାଁ ଯାକର ତାଷ ବେଉସା କେମିତି ବଢ଼ିବ ଆଉ ବେଶି ବେଶି ଫସଲ ହେବ ପନିପରିବା ହେବ ଜିନିଷ ତିଆରି ହେବ ସେଥିପାଇଁ ଆମେ ଲାଗି ପଡ଼ିବୁଁ । ଗାଁର ସବୁ ପିଲା ଏକା ଘରର ପିଲା ପରି କେମିତି ଭଲରେ ରହିବେ ତାଙ୍କ ଦେହ ଭଲ ରହିବ ସେ କଥା ବୁଝିବାକୁ ହେବ, ସମସ୍ତେ ସବୁ ପିଲାଙ୍କୁ ମୋର କଲେ ବଳେ ଗାଁ ଯାକ ଏକା ମନ ଏକା ଆତ୍ମା ହେବେ, ନ ହେଲେ ବିପଦ ଆପଦ ବେଳକୁ ଟାଣ ଆସିବ କୁଆଡୁ ? ଟାଣ ନ ଥିଲେ ମଣିଷ ହେବେ କାଉ, କୋକୁଆ ଭୟ ବ୍ୟାପିବ, କିଛି ଗୋଟାଏ ହୋଇଗଲେ ଯେ ଯୁଆଡ଼େ ଛତରଛାଉଳ୍‌ ।’’

 

‘‘କିଛି ଗୋଟାଏ ହୋଇଗଲେ ବୋଲି ତୁମେ କ’ଣ କହୁଚ ? ତମର ଏ ଡାମର ଗାଁରେ କ’ଣ କିଛି ଗୋଟାଏ ହୋଇ ପାରିବ ?’’

 

‘‘ଓହୋ, ୟେ ପରା ଯୁଦ୍ଧ’’, ନିର୍ମଳା କହିଲେ, ସତେ ଯେମିତି ସବୁ ସ୍ପଷ୍ଟ ଭାବରେ ଦିଶୁଛି, ‘‘ଯୁଦ୍ଧରେ ପୁଷ୍ପ ବୃଷ୍ଟି ହୁଏ ନାହିଁ । ଅଗ୍ନି ବୃଷ୍ଟି ହୁଏ, ଯୁଦ୍ଧରେ ମଣିଷ ଜନ୍ମ ହୁଅନ୍ତି ନାହିଁ, ଖଣ୍ଡିଆ ଖାବଡ଼ା ହୁଅନ୍ତି, ଯାହାର ଯୋଗଥାଏ ସେ ମରନ୍ତି, ଯୁଦ୍ଧରେ କେତେବେଳେ କେଉଁ କଥା, ତା କିଏ କହି ପାରିବ ? କେଉଁ ଠା’ଟା କେତେବେଳେ ଜଳିବ, କେଉଁ ଠା’ଟା କେତେବେଳେ ଭାଙ୍ଗିବ, କେତେବେଳେ କାହାପାଇଁ ରାତି ଅଧରେ ବି କି ସେବା ଦରକାର ପଡ଼ିବ, କେତେବେଳେ ଅନହୁତି କାହା ଚର୍ଚ୍ଚା କରିବାକୁ ପଡ଼ିବ, କେତେବେଳେ କି ପ୍ରକାର, ଆଗରୁ ସବୁ କାମ ଦେହଘଷା କରିଥିଲେ ଯାଇ ହେବ, ନ ହେଲେ ହଟହଟା ।’’

 

‘‘ହୁଁ ! ଏତେ କଥା । କେତେଟା ଯୁଦ୍ଧ ଦେଖିଚ ? ନାଇଁ ନାଇଁ ଦେଖିଥିବ ପରା, ରାମ ନଅମୀ ଯାତ ହୁଏ ତ–’’

 

‘‘ଯୁଦ୍ଧ ନ ଦେଖିଲୁଁ ବୋଲି ହସରେ ଉଡ଼େଇ ଦଉଚ ? ଯୁଦ୍ଧ ନ ଦେଖିଲେ ବି କେତେ ଭୟଙ୍କରିଆ କଥାତ ମଣିଷ ଦେଖିଥିବ, ସବୁ ବଢ଼େଇ ବଢ଼େଇ ଏକାଠି କରି ଭାବିଲେ କ’ଣ ଯୁଦ୍ଧ ଭଳିଆ ଗୋଟାଏ କିଛି ଧାରଣା କରିହେବ ନାହିଁ ?’’

 

‘‘ସେଇ ଶବଦ ଶୁଣି ଛାତି ଟାଣ କରି ଠିଆ ହେବ ? ସେଇ ଦୃଶ୍ୟ ଦେଖି ଆଖି ବୁଜି ପକାଇବ ନାଇଁ ? ସେଇ ପରିସ୍ଥିତିରେ ପଡ଼ି ମୁଣ୍ଡ ଠିକଣା ରଖି ପାରିବ ? ସବୁ ଭୟଙ୍କରିଆ କଥା ଏକାଠି ଠୁଳ କରି ଭାବୁଚ ପରା–’’

 

ନିର୍ମଳା କହିଲେ ‘‘ମନ ଟାଣ କରି ଦେହକୁ କାଠ କଲେ ସବୁ ସହି ହେବ । ନ ହେଲେ ପ୍ରଳୟ ଭିତରୁ ମଣିଷ ଉଧୁରିବ କେମିତି ? କେତେ କଥା ଘଟେ ଆଗରୁ ଛାନିଆ ଲାଗୁଥାଏ ଘଟିଗଲେ ତ ସହି ହୁଏ, ଦେହ ବି କାଠ ହୁଏ ମନ ବି କାଠ ହୁଏ । ଏ ସେମିତିଆ । ମଣିଷ ଦେହରେ ମଣିଷ ପ୍ରକୃତିତ, ଆଗ ଆଗ କାଟିବ, ଦେହ ଶୀତେଇ ହେବ, ଦବକ ଆସିବ । ପରେଇ ନ କଲେ କିଛି ନାହିଁ । ସେମିତି ପଡ଼ିଲେ ପର ହାତରେ ପ୍ରାଣ ଯିବ ନ ହେଲେ ନିଜ ହାତରେ ନିଜ ପ୍ରାଣ ନେବାକୁ ପଡ଼ିବ । ଆଉ କଣଟା ହବ ? ବଞ୍ଚେଇବା ଲୋକ ହରି ମରେଇବା ଲୋକ ହରି, ମଲେ ତାରିବେ କି ପୁଣି କୋଟି କୋଟି ଜନ୍ମ ବୁଲେଇବେ ତାଙ୍କୁଇ ଜଣା । ଆଉ କି ଡର ? ବିପଦ ତ ଘୋଟିଛି, ଆମେ ଆଖି ବୁଜିଦେଲେ ସେ ପଳେଇବ ? ସେଥିପାଇଁ ସମସ୍ତେ ତିଆରି ହେବାକୁ ପଡ଼ିବ, କି ମାଇପେ କି ମିଣିପେ ସମସ୍ତେ । ତମର ତେମେ ମିଣିପେ ବସି କ’ଣ କରୁଚ କରୁଥା, ଆମର ଆମେ କଥାବାର୍ତ୍ତା ହୋଇ କାମ ବାଣ୍ଟି ନେଲୁଣି, ଆଦରିଲୁଣି ।’’

 

କୃଷ୍ଣ ମିଶ୍ର କାବା ହୋଇ ଅନାଇ ରହିଲେ । ଲାଗିଲା, ଏ ଯେଉଁ ଚିହ୍ନାର ଜଣାର ସଂସାର, ଆପଣାର ଏ ଘର, ଏ ଘର ମଣିଷ, ଏ ଛୁଆ ପିଲା, ଏମାନେ ଯେମିତି ଆଉ କିଏ, ଆଉ କ’ଣ । ଏଠି ସେ କୁଣିଆଁ । କେଉଁ ସ୍ଥାନ ୟେ ? ହୁଏତ କାଲି ୟେ ହେବ ଯୁଦ୍ଧ ପ୍ରାଙ୍ଗଣ, କିଏ କହିପାରେ ?

 

ଏ କି ଶବ୍‌ଦ ! ହେମନ୍ତର ଶାନ୍ତ ଆକାଶରେ ଅନ୍ଧାରେ ଅନ୍ଧାରେ ଉଡ଼ି ଯାଉଛନ୍ତି ହଂସ, କାକଳି ଶୁଭୁଛି ପଦେ ପଦେ ଶାନ୍ତିର ମନ୍ତ୍ର ପରି, ଆକାଶର ରହସ୍ୟମୟ ଗହ୍ୱର ଭିତରୁ ଉଚ୍ଚାଟକର ଶାନ୍ତିର ସଂଗୀତ ଶୁଭୁଛି ।

 

ମାନସ ହୃଦର ଚଉକତି ଆଉ ହଂସମାନଙ୍କ ପାଇଁ ଶାନ୍ତ ବିଶ୍ରାମସ୍ଥଳ ହୋଇ ନଥିବ, ସେଠି ଯୁଦ୍ଧର କାନ ଅତରା ଛାତି ଦୁଲୁକା ଗୋଳମାଳ ।

 

ଦେଖି ଆସିଥିବେ ସେମାନେ, ଲଦାଖର ଆକାଶୀ ପାହାଡ଼ମାନଙ୍କ ଉପରେ ବରଫ ଉପରେ ଚୀନା ଶତ୍ରୁ ଭିଆଇଛି ଯୁଦ୍ଧର ତାଣ୍ଡବ ଲୀଳା, ଆପଣା ଭାଇ ଓ ପଡ଼ିଶାଙ୍କ ମଢ଼ରେ ବରଫ ନଈ ଉପରେ ପୋଲ ପରି କରି ମାଡ଼ି ଚକଟି ଆସିଛି ମାରିବାକୁ ଜାଳିବାକୁ, ରକ୍ତ ନଈ ପହଁରି ପହଁରି ଆସିଛି । ଆଉ ଦେଖି ଆସିଥିବେ ସେମାନେ, ସେହି ପୃଥିବୀର କିରୀଟ ଉପରେ ଯେଉଁଠି ବରଫର ସଂସାର, ଯେ ଚିଲ ଶାଗୁଣାଙ୍କୁ ବି ଅପହଞ୍ଚ, ସେଠି ସାହସ ଫୁଟାଇ ଲଢ଼େଇ କରୁଛି ଭାରତୀୟ ସୈନିକ ।

 

ଶାନ୍ତି ଖୋଜି ହଂସ ଉଡ଼ି ଚାଲିଛନ୍ତି ମାନସରୋବର ଆଡ଼ୁ ଚିଲିକା ।

 

ଆଉ,–କିଏ କହିପାରେ ? କେତେବେଳେ ହୁଏତ ହଂସ ପରିବର୍ତ୍ତେ ଆକାଶରେ ଉଡ଼ୁଥିବ ଶତ୍ରୁର ଉଡ଼ାଜାହାଜମାନ, ବୋମା ଫୋପାଡ଼ୁଥିବ, ଆକାଶରୁ ଖଳୁଥିବ ନିଆଁ, ତାକୁ ଭସ୍ମ କରିବାକୁ ତଳୁ ଉପର ଆଡ଼କୁ ତୋପ ମୁହଁରୁ ନିଆଁବାଣ ବିଜୁଳି ପରି ଖେଦି ଯାଉଥିବ । ଆକାଶ-ମେଦିନୀ–ବ୍ୟାପୀ ନିଆଁ ଧୂଆଁ ଭିତରେ ତୁହାଇ ତୁହାଇ ବିଜୁଳି ଘଡ଼ଘଡ଼ିମାନଙ୍କ ଚଢ଼ାକୁ ଉପର ଚଢ଼ୋଉ ଆଉ ପଛିଡ଼ା । ସେହି ପ୍ରଳୟ ଭିତରେ ଦଳ ଦଳ ହୋଇ କାମ କରି ଯାଉଥିବେ ୟେ ମାଟିର ସନ୍ତାନମାନେ, ନିଆଁ ନିଭାଉଥିବେ, ଜଳନ୍ତା ଘର ଭିତରୁ ଭଙ୍ଗା କାନ୍ଥ କୁଢ଼ ତଳୁ ମଣିଷଙ୍କୁ ଉଦ୍ଧାର କରୁଥିବେ, ଯେତେ ଯାହା ଭଙ୍ଗାରୁଜା ତାକୁ ପୁଣି ଦରହ୍‌କରି ଗଢ଼ୁଥିବେ ସଜାଡ଼ୁଥିବେ, ମୁର୍ଦ୍ଦାରମାନଙ୍କୁ ଉଠାଇ ନେଉଥିବେ ବୀରୋଚିତ ମର୍ଯ୍ୟାଦା ଦେଇ ସଂସ୍କାର କରିବାକୁ, ଆହତମାନଙ୍କୁ ଶୁଶ୍ରୂଷା ପାଇଁ ବୋହି ନେଉଥିବେ, ଆଶ୍ରୟହୀନମାନଙ୍କୁ ଆଶ୍ରୟ ଦେଉଥିବେ, ଯୋଦ୍ଧାମାନଙ୍କୁ ଯୋଗାଡ଼ି ଦେଉଥିବେ ଯୁଦ୍ଧ ଉପକରଣ, ଉତ୍ସାହ ଦେଉଥିବେ, ହୀନବଳକୁ ଭରସା ଓ ସାହସ ଦେଉଥିବେ । ଯେତେ କ୍ଷୟ କ୍ଷତି ହେଉ ଧୈର୍ଯ୍ୟ ଓ ସାହସ ଘେନି ସେହି ଧ୍ୱଂସର ରୋଳ ଭିତରେ ବି କ୍ଲାନ୍ତି-ଅବସାଦହୀନ ବୀର ସୈନିକ ହୋଇ ସମୁଦାୟ ସାମର୍ଥ୍ୟ ଖଟାଇ ଲାଗି ପଡ଼ିଥିବେ ସେମାନେ, ସ୍ତ୍ରୀ ପୁରୁଷ, କି ଶିଶୁ, ବୃଦ୍ଧ, ମରଣ ଯେଉଁଠି ସାଇଁ ସାଇଁ ଉଡ଼ି ଚାଲିଥିବ ଆଖି ପିଛୁଡାକେ, କେତେବେଳେ କିଏ ଗଡ଼ି ପଡ଼ୁଥିବ, ଦେହ କାଠ କରି ଦମ୍ଭ ହୋଇ ସେମାନେ ସେଠି ଗତାଗତ ହେଉଥିବେ, ଏ ପାଖ ଖବର ସେ ପାଖେ ପହଞ୍ଚାଇ ଦେଉଥିବେ, ଏଠି ନିଅଣ୍ଟ ପଡ଼ିଲେ ସେଠୁ ଆଣି ଯୋଗାଇ ଦେଉଥିବେ, ଜିନିଷ ତିଆରି କରୁଥିବେ, ଜିନିଷ ବୋହୁଥିବେ, ଛାନିଆଁ ଭାଙ୍ଗୁଥିବେ, ଗୋଷ୍ଠୀକୁ ଏକାଠି ରଖିଥିବେ, ଘର ଜଗୁଥିବେ, ଯେ ଯାହା କେବେ ଜନ୍ମରେ ନ କରିଛି ତାକୁ କରିବାକୁ ଆଗଭର ହୋଇ ତାଲିମ ନେଉଥିବ, ଆଉ ସେମାନେ ଲଢ଼ୁଥିବେ, ମାତୃଭୂମିର ଛୁଞ୍ଚିମୂନ ମାପରେ କାଣିଚା କାଣିଚାକ ଭୂମି ଶତ୍ରୁର କଳଙ୍କବୋଳା ପାଦ ବାଜି ଅପବିତ୍ର ନ ହେଉ ବୋଲି ଜୀବନ ପଣ କରି ଲଢ଼ୁଥିବେ ଲଢ଼ୁଥିବେ, ପଛେଇବେ ନାହିଁ । ସେତେବେଳେ ଏ ଦେଶର ଘର ବାରି ଜମି ଧନ ଜୀବନ ଦେଉଳ ପୋଖରୀ ରକ୍ଷା କରିବାକୁ ଦରକାର ହେଲେ ମାଇପେ ବି ଅଣ୍ଟାରେ ପଣତ ଗୁରେଇ ବନ୍ଧୁକ କାନ୍ଧେଇ ଯୁଦ୍ଧ କରୁଥିବେ, ହାଫପ୍ୟାଣ୍ଟ ପକେଟରେ ଲେମଞ୍ଜୁସ୍‌ ଆଉ ବିସ୍କୁଟ୍‌ ଥାଉ ପଛେ ପିଲାଏ ବି ଲଢ଼ୁଥିବେ, ଯେତେ ଖଣ୍ଡାଏତ ବାଉରି ବ୍ରାହ୍ମୁଣ ଗଉଡ଼ କରଣ କେଉଟ ହାଡ଼ି ପାଣ କି ଗୁଡ଼ିଆ କି ବଢ଼େଇ କମ୍‌ହାର ଏକଜୋଟ ହୋଇ ସେମାନେ ଲଢ଼ୁଥିବେ, ଜାତି ଭାଙ୍ଗି ଯାଉଛି ଭାଙ୍ଗିଥିବ ଶ୍ରେଣୀ ଭାଙ୍ଗି ଯାଉଛି ଭାଙ୍ଗିଥିବ ଏକାଠି ଆଉଟା ଆଉଟି ହୋଇ ଏକ ଜାତି ଏକ ମଣିଷ ହୋଇ ଜନନୀ ଜନ୍ମଭୂମିକୁ ରକ୍ଷା କରୁଥିବେ ସେମାନେ । ଲାଗୁ ଯେତେ ଦିନ, ଦିଆଯାଉ ମୂଲ୍ୟ ଯେତେ ଲୋଡ଼ା ହେବ, ଶତ୍ରୁ ନିର୍ମୂଳ ହେବାଯାକେ କି ଏ ଦେଶରୁ ଚାଲିଯିବାଯାକେ ସେମାନେ ବିଶ୍ରାମ କ’ଣ ଜାଣିବେ ନାହିଁ, ଦିନ କ’ଣ ରାତି କ’ଣ ଜାଣିବେ ନାହିଁ, କାଲି ଯେ ଥିଲେ ଅଚିହ୍ନା, ଅଜଣା, ମଳିମୁଣ୍ଡିଆ, ଅ’ପାସଙ୍ଗ ଅଧାମଣିଷ ତଳେ ଲେଖା, କାଲି ଯାହାଙ୍କୁ ଲୋକେ ଚଗଲା ବଗୁଲିଆ ବାଇଟୁଙ୍ଗୁରି ପତରଚକି ଅଳସୁଆ କି ନିକମା ବୋଲି ଭାବୁଥିଲେ, କେତେ ତହିଁରୁ ଆପଣା ପ୍ରାଣର ସାଇତା ଗୁମର ଫିଟାଇ ରକ୍ତରେ ସାହସରେ ପାରିଲାପଣରେ କି ଚରମ ତ୍ୟାଗରେ ଲେଖି ରଖିଯିବେ ନିଜ କୀର୍ତ୍ତିର କାହାଣୀ ଭବିଷ୍ୟତର ପୁରୁଷ ପୁରୁଷର ନାତି ପଣନାତିମାନଙ୍କ ପାଇଁ, କେତେ ତହିଁରୁ ବାହାରିବେ କର୍ଣ୍ଣ କି ଅର୍ଜୁନ, ଭୀଷ୍ମ କି ଦ୍ରୋଣ ।

 

ଆଉ ଏ ଘର, କ’ଣ ୟେ ?

 

ୟେ କ’ଣ କାଲିକା ବାଟ କରରେ ଆଜିକା ଚଟି ଘର ?

 

ଆଖି ଖୋଲିଲେ । ନିର୍ମଳା ନାହାନ୍ତି । ପିଲାଏ ବି ବାହାରି ଗଲେଣି । ସାନ ପିଲାଟି ଶୋଇଛି । ଏକୁଟିଆ ସେ ବସିଛନ୍ତି ।

 

ସବୁ ଦିନେ ପହିଲି ପହରେ ସେ ଧ୍ୟାନ କରନ୍ତି । ଆସନରେ ବସନ୍ତି । ପବନ ଉଜାଣି ଉଠାନ୍ତି । ନିଶ୍ୱାସ ରୋଧନ୍ତି । କେତେ କେତେ ଗୋପନ ଉପାୟ । ଏ ଗହଳି ଦାଢ଼ି, ନିଶ, ଏ ବହଳ ମୁଣ୍ଡବାଳ, ଏ କସରା କସରା ଆଖିରେ ବେଳେବେଳେ ସେହି ଯେଉଁ ଛୁଞ୍ଚିରେ ଫୁଟିଲା ପରି ସରୁ ଚାହାଁଣି ଫୁଟି ଉଠେ, ଆଖି ଆଗରେ ଦିଶୁଥିବା ବସ୍ତୁ ସେ କରେ କ’ଣ ଖୋଜିଲା ଖୋଜିଲା ପରି ଦୃଷ୍ଟି, କ’ଣ ପାଇଲା ପାଇଲା ପରି ବିଜୁଳି ଚମକରେ ଉଲ୍ଲାସ, ପରିପୂର୍ଣ୍ଣ ମୁହଁ ପେଣ୍ଡୁରେ ବେଳେବେଳେ ଯେଉଁ ଢାଉ, ସେହି ଯେଉଁଥିପାଇଁ ଲୋକେ ଗୁପ୍ତଜାଣ ଭାବି ବେଳେବେଳେ ମାନନ୍ତି ବେଳେବେଳେ ଡରନ୍ତି, ସେ ସବୁ ସେହି ଆଖିବୁଜି ସ୍ଥିର ହୋଇ ବସି ଭିତରକୁ ଚାହିଁ ଲୟ ଲଗାଇବା ଫଳ ବୋଲି ତାଙ୍କର ପ୍ରତେ ହୁଏ ।

 

ସେମାନେ କବାଟ ଆଉଜେଇ ଦେଇ ଚାଲି ଯାଇଛନ୍ତି ।

 

ସେହି ଧ୍ୟାନର ବେଳ ଆସିଛି । ମନ ଭିତର ଚାଉଁ ଚାଉଁ । ଏମିତି ସାଧୁ ସାଧୁ ଦିନେ ପୁଣି ଡାମରତନ୍ତ୍ର ପ୍ରସନ୍ନ ହେବ । ଆଶା ହେଲା ପରି ଲାଗେ, ହୁଏ ନାହିଁ । ପାଖକୁ ଆସେ । ପଳାଏ, ଲୁଚିଯାଏ । ଆହୁରି ସାଧନା ଦରକାର, ବିଭୂତି ପାଇବାକୁ ଏ ଘଟ ଯୋଗୀଦେହ ହୋଇପାରି ନାହିଁ, ଅପୂର୍ଣ୍ଣ, ମୋଟା ବସ୍ତୁଜଡ଼ିତ, ଅନୁପଯୁକ୍ତ । ହେଲେ ହୁଅନ୍ତା ସ୍ଥୂଳ ଭିତରେ ସୂକ୍ଷ୍ମ । କାନରେ ଶୁଭୁଥାନ୍ତା ଅନାହତ ଶବଦ, ବସ୍ତୁର ଗତିରେ ଆଘାତ ପାଇଲେ ପବନ କମ୍ପି ଉଠି ଯେଉଁ ଶବ୍ଦ ହୁଏ ସେ ତ ଆହତ ଶବ୍ଦ, ସିଦ୍ଧ ଯୋଗୀ ଶୁଣିବ ଅନାହତ ଶବ୍ଦ । ଇନ୍ଦ୍ରିୟ ବାହାରେ ଅତୀନ୍ଦ୍ରିୟ ତା ଦ୍ୱାରା ଅନୁଭୂତ ହେବ । ସେତେବେଳେ ଆତ୍ମସ୍ଥ ହୋଇ ପାରିବ, ପୁଣି ପରିବ୍ୟାପ୍ତ ହୋଇ ପାରିବ, କାହାରି ବଶ ହେବ ନାହିଁ, ପ୍ରକୃତିର ବି ନୁହେଁ । ସେତେବେଳେ ସେ ରୂପ ଦେଖି ପାରିବ, ସିଦ୍ଧ କବି ଆରତ ଦାସ ଗାଇଥିଲେ–

 

‘‘ତୁ ଚାହାଁ ହୋ ଗ୍ୟାନି ଗ୍ୟାନ ଲୋଚନ ବାଗେ

ଚର୍ମ ନୟନକୁ ରୂପ ନ ଦିଶଇ

ଖେଳୁଛି ନୟନ ଆଗେ ।’’

 

ଯୁଗ ଯୁଗର କେତେ ସିଦ୍ଧ ସାଧକ, ଚୌରାଅଶୀ ସିଦ୍ଧ, ଆଉ ପ୍ରାଚୀ ନଈ କୂଳର ଯେତେ ସିଦ୍ଧ, ଆଉ ପଞ୍ଚ ମହାପୁରୁଷ, ଆଉ କେତେ ଯୋଗୀ ଋଷି କିଏ କେଉଁ ପାହାଡ଼ ଗୁମ୍ଫାରେ ସାଧନାରେ ବସିଛନ୍ତି କେତେ ଶହ ଶହ ବର୍ଷ ହୋଇଗଲାଣି । ପ୍ରାଚୀ କୂଳରେ ନିଛାଟିଆ ବାଲିବନ୍ତ ଉପରେ ଠାଏ ଳଠାଏ ଗୋଟିକିଆ ବରଗଛ, ସେଠି କାହାର କଠୋଉ ପୂଜାପାଏ, ମଣିଷ ନାହାନ୍ତି ଭଜନ ଶୁଭେ, ଖଣ୍ଡଗିରିରେ କେଉଁ କଣାରେ କାନେଇଲେ ଶୁଭେ ସଂକୀର୍ତ୍ତନ ଧ୍ୱନି, ଅନ୍ଧାରିଗଡ଼ରେ ପାହାଡ଼ତଳ କିମ୍‌ହିରିଆ ଜୋରରେ ସେମାନେ ବ୍ରାହ୍ମମୁହୂର୍ତ୍ତରେ ଗାଧୋଉ ଥାଆନ୍ତି, ପାହାଡ଼ ଗୁମ୍ଫାରେ; କେଉଁଠି ରହନ୍ତି, ବେଶି ବେଶି ସଂଖ୍ୟାରେ ସେମାନେ ଦିଶନ୍ତି ହିମାଳୟ ପର୍ବତ ଉପରେ, କାହିଁକା କାହିଁ ପଡ଼ିଛି ତା ଉପରକୁ ତା ଉପରକୁ ହୋଇ ବିମାନ ଉପରେ ବିମାନ ଖଞ୍ଜା ହେଲା ପରି ନିବିଡ଼ ଅରଣ୍ୟ ଛାଉଣୀ ହୋଇ ପର୍ବତ ଉପରେ ପର୍ବତ, ତା ଉପରେ ମୁଣ୍ଡା ବରଫର ପାହାଡ଼, କେତେବେଳେ ଦିଶେ ରୂପା ପରି, କେତେବେଳେ ସୁନା ପରି, କେତେବେଳେ ପୋହଳା ବର୍ଣ୍ଣ, କେତେବେଳେ ଇନ୍ଦ୍ରନୀଳମଣି, କେତେବେଳେ ଆଉ କେଉଁ ବର୍ଣ୍ଣଛଟା । ସେଇଠି ଖୋଲ ଭିତରେ ଆତ୍ମଗୋପନ କରିଛନ୍ତି ପରା କେଉଁ ଅକଳନ ଯୁଗର ସିଦ୍ଧ ସାଧକମାନେ, ପୃଥିବୀର ଛାତ ଉପରେ, ଏ ବସୁଧାରେ ପାଦ ରଖି ଦେହ ଧରି ତଥାପି ସେମାନେ ଅଛନ୍ତି ଆକାଶ ଉପରେ, ସବୁ ଯୋଗୀ ଋଷିଙ୍କ ସାଧନାର ସ୍ୱର୍ଗ ସେହି ହିମାଳୟ ।

 

କୃଷ୍ଣ ମିଶ୍ର ବସି ବସି ଗୋଟିକ ପରେ ଗୋଟିଏ କରି ଭାବି ଯାଉଥିଲେ, ଏଇ ଧାରଣାର ସଂଗୀତ ସତେ ଯେପରି ତାଙ୍କ ଧ୍ୟାନ ଆରମ୍ଭରୁ ଅନାହତ ଧ୍ୱନିର ସଂଗୀତ, ଏଇ ଧାରଣାର ଆଲୁଅ ଯେପରି ଅଲୌକିକ ଦର୍ଶନ ପାଇଁ ନାଟ ପ୍ରାଙ୍ଗଣର ବିଚିତ୍ର ଆଲୁଅ । ସବୁ ଧାରଣା ସବୁ ବିଚାର ବଳି ବଳି ଚାଲିଲା ସେହି ହିମାଳୟ ଆଡ଼କୁ । ତା ପରେ ହଠାତ୍‌ ସବୁ ବିଭ୍ରଷ୍ଟ ହୋଇଗଲା । ସେହି ବରଫର ଧଳା ଚାଦରଯାକ ଏଠି ସେଠି ରକ୍ତ ପଡ଼ିଛି । ଥଲ ଥଲ ହୋଇଛି ବରଫ ହୋଇଛି । ସେହି କଳ୍ପିତ ତପଶାଳାରେ ପଡ଼ିଛି କୁଢ଼ କୁଢ଼ ଖଣ୍ଡିଆ ଖାବଡ଼ା ମୁର୍ଦ୍ଦାର, କବନ୍ଧ ମାଳ ମାଳ, ସେହି ନିଃଶବ୍ଦ ଶାନ୍ତ ଯୋଗ ଧ୍ୟାନର ସ୍ଥଳି ଧ୍ୱାନ୍ତ ହୋଇ ଉଠିଛି କର୍କଶ ଭୀଷଣ ରଣ ଧନ୍ଦୋଳରେ, ସେହି ବରଫ ଉପରେ ଗୁଳି ବାରୁଦର ନିଆଁ ଧୂଆଁ, ସାରା ପୃଥିବୀର ଶାନ୍ତିକୁ ଭୂମିକମ୍ପ ପରି ଦୋହଲାଇ ଚହଲାଇ ଛଟଛଟ କରି ସେଠି କିଏ ଯେପରି ଆରମ୍ଭ କରି ଦେଇଛି ସୃଷ୍ଟି ଧ୍ୱଂସକାରୀ ମହାପ୍ରଳୟର ଆସୁରୀ ଯଜ୍ଞ, ସତେ ଯେମିତି ବେଦୀ ସଜାଇଛି ଗର୍ଭିଣୀର ଛାଲରେ, ବାଛୁରୀର ରକ୍ତରେ, ଶିଶୁର କଟା ମୁଣ୍ଡରେ, ଶାନ୍ତି ମାନବିକତାକୁ ହତ୍ୟା କରୁଛି, ନିଦ୍ରା ବିଶ୍ରାମକୁ ହତ୍ୟା କରିଛି ।

 

ତେଣୁ ଅନାହତ ଧ୍ୱନିରେ ପ୍ରତିରୋଧର ଡାକ ।

 

ଯେତେ ଘାସ ଗଜୁରୁଛି ସେଠି ସେହି ପ୍ରତିରୋଧର ଡାକ ।

 

ଆକାଶ, ପବନ, ଆଲୁଅ, ଅନ୍ଧାର, ମାଟି ପାଣି, ଉଦ୍ଭିଦ, ଜନ୍ତୁ, ଚଢ଼େଇ, ମଣିଷ, ସବୁ ଉଚ୍ଚାଟ ହୋଇ ଡାକୁଛି ପ୍ରତିରୋଧ ।

 

ଏ ସୃଷ୍ଟି ଶାନ୍ତି ଚାହେଁ ।

 

ତେଣୁ ଧ୍ୟାନରେ ଉଇଁଛି ଭଗବାନଙ୍କର ସୌମ୍ୟ ରୂପ ନୁହେଁ ଭୟଙ୍କର ରୁଦ୍ର ରୂପ, ସେ ଭୟାଂନାଂ ଭୟଂ ଭୀଷଣଂ ଭୀଷଣାନାଂ, ଧୀର ମନ୍ଥର ହୋଇ ସେ ପଦେ ପଦେ ଶ୍ଳୋକ ଉଚ୍ଚାରଣ ଆରମ୍ଭ କରିଦେଲେ ଯେପରି ଆପେ ଆପେ ପତ୍ରରୁ ଶିଶିର ଝଡ଼ି ପଡ଼ୁଛି, ଫୁଲରୁ ପାଖୁଡ଼ା ଝଡ଼ି ପଡ଼ୁଛି, ଶବ୍ଦ ଶୁଭୁଛି କି ନାହିଁ ରୂପେ ଦିଶିଲା ପରି ଲାଗୁଛି–

 

ଦଂଷ୍ଟ୍ରାକରାଳାନି ଚ ତେ ମୁଖାନି

ଦୃଷ୍ଟୈବ କାଳାନଳସନ୍ନଭାନି

ଦିଶୋ ନ ଜାନେ ନ ଲଭେ ଚ ଶମି

ପ୍ରସୀଦ ଦେବେଶ ଜଗନ୍ନିବାସ

 

ସେହି ରୂପ ଠିଆ ହୋଇଛି ହିମାଚଳ ଉପରେ ଉତ୍ତରକୁ ମୁହଁ କରି–

 

କାଳୋଽସ୍ମି ଲୋକକ୍ଷୟକୃତ୍‌ ପ୍ରବୃଦ୍ଧୋ

ଲୋକାନ୍‌ ସମାହର୍ତୁମିହ ପ୍ରବୃତ୍ତଃ

ଋତେଽପି ତ୍ୱାଂ ନ ଭବିଷ୍ୟନ୍ତି ସର୍ବେ

ଯେଽବସ୍ଥିତାଃ ପ୍ରତ୍ୟନୀକେଷୁ ଯୋଧାଃ

 

ସେହି ସେ କୋଦଣ୍ଡଧାରୀ ରାମ ଶରୀର, ସେହି ସେ ଚକ୍ରଧାରୀ କୃଷ୍ଣ ଅବତାର, ସେହି ସେ ଆଦିବୁଦ୍ଧ କାଳଚକ୍ର ବଜ୍ରଧର, ଆଉ ସେହି ସେ ଆସନ୍ନ କଳ୍‌କି ଅବତାର, ‘‘ମ୍ଳେଚ୍ଛନିବହ ନିଧନେ କଳୟସି କରବାଳଂ ଧୂମକେତୁମିବ କିମପି କରାଳଂ’’ ଯୁଗେ ଯୁଗେ ସେହି ରୂପ, ଯେତେଥର ଧର୍ମ ଗ୍ଳାନି ହୋଇଛି, ସତ୍ୟ ଶାନ୍ତି ମୈତ୍ରୀ ବିପନ୍ନ ହୋଇଛି ସେତେଥର ଏ ଧାରାରେୁ ଅବତୀର୍ଣ୍ଣ ହୋଇଛି ସେ ସୃଷ୍ଟିର ପ୍ରତି କଣିକାରେ ପ୍ରତି ରୋମ କୂପରେ, ସେହି ଭୟଙ୍କର ମୂର୍ତ୍ତି ଧ୍ୟାନ କଲେ ବାହାରର ଭୟ ନିଷ୍ପଭ୍ର ହୋଇ କୁଆଡ଼େ ଝାଉଁଳି ପଡ଼େ, ପୁଣି ସେ ଉଭା ହୋଇଛନ୍ତି ଏଇ ହୃଦୟ ଆସନରେ, ଶତଦଳ ପଦ୍ମ ଉପରେ ମଣିର ପ୍ରକାଶ ଦିଶୁଛି ସେହି ରୂପରେ, ସେ ଅନାହତ ଶବ୍‌ଦରେ ଅଭୟବାଣୀ ଶୁଣାଉଛନ୍ତି, ଉଠ୍‌, ଲଢ଼୍‌, ଶତ୍ରୁକୁ ଜିଣି ସମୃଦ୍ଧ ରାଜ୍ୟକୁ ସୁଖରେ ଭୋଗ କର୍, ମୁଁ ଏ ଖାଉଡ଼ ଖାଉଡ଼ଙ୍କୁ ଆଗରୁ ଧ୍ୱସଂ କରି ସାରିଛି, ତୁ ଖାଲି ହ’ ହତିଆର୍‌ ।

 

କବାଟ ଖୋଲିଲା ।

 

ନିର୍ମଳା, ବଡ଼ ଝିଅ କୁନି । ଦିହେଁ ଖଣ୍ଡେ ଖଣ୍ଡେ ଉଲ୍‌ର ହାତ କାମ ଧରିଛନ୍ତି, କଣ୍ଟା ଚାଲିଛି । ହସି ଦେଇ ନିର୍ମଳା କହିଲେ ‘‘ଆଜିର ଧ୍ୟାନ ବଡ଼ ଲମ୍ୱା, ବୋଧହୁଏ ବହୁତ ଦିନ ପାଇଁ ଏକାଠି । ତା ପରେ ତ ପାଦ ଚାଲିଥିବ ।, ହାତ ଚାଲିଥିବ, ଭିତରର ଧ୍ୟାନ ଦେଖା ଦେଉଥିବ ବାହାରର କାମରେ, ଏଇଆ ଟି !

 

କୃଷ୍ଣ ମିଶ୍ରଙ୍କ ଥନ ଥନ ମୁହଁ କ’ଣ କହିଲା ପରି ହେଲା ।

 

ନିର୍ମଳା ତୁନି ତୁନି କହିଲେ ‘‘ମୁଁ ଜାଣିଚି, କ’ଣ ଧ୍ୟାନ କରୁଥିଲା କହିବ । ପଦ୍ମ ଆଜି ଦିଶିଲା ଉଗ୍ରତାରା, ମଣି ଆଜି ଦିଶିଲା କାଳରୁଦ୍ର, ଆଜି ମହାସରସ୍ୱତୀ ମହାଲକ୍ଷ୍ମୀ ମହାକାଳୀ ଏକହେଲେ, ରୁଦ୍ର ସୂର୍ଯ୍ୟ ବୁଦ୍ଧ ଏକହେଲେ, ଆଜି ଜଗନ୍ନାଥଙ୍କ ପାଖେ ଆଉ ଗୋପାଳ ମନ୍ତ୍ରରେ ପୂଜା ହେଉନାହିଁ, କବାଟ କିଳି ଗୁପ୍ତ ମନ୍ତ୍ରରେ ନୈବେଦ୍ୟ ହେଉଛି, ଗ୍ରହଣ କାଳର ପୂଜା ଆଉ ଭୋଗ ।’’

 

କଣ ଅତି ଆଶ୍ଚର୍ଯ୍ୟ ଦେଖିଲା ପରି ବଡ଼ ବଡ଼ ଆଖି ଫାଡ଼ି କୃଷ୍ଣ ମିଶ୍ର ସ୍ତ୍ରୀଙ୍କ ଆଡ଼କୁ ଅନାଇଁ ରହିଲେ । ନିର୍ମଳା ଚଞ୍ଚଳ ହୋଇ ଉଠିଲେ, କହିଲେ ‘‘ଯାହା ରହିଲା ରହିଲା ସେ ଭିତରେ, ମୁଦ ହୋଇ ରହିଲା ହୃଦୟ ଭିତରେ ନିଭୃତରେ, ଏଥର ଧ୍ୟାନ ଭାଙ୍ଗିଛି, ଏଣିକି ଶ୍ରମ, ଦିନ ରାତି ଉଦୁମୁଦା ଶ୍ରମ, ଉଠ, କାମ ସାର ।’’

Image